ଚନ୍ଦ୍ରଶେଖରପୁର : ବାତ୍ୟାକୁ ୨୩ ଦିନ ବିତିଲାଣି। ତଥାପି ଲୋକଙ୍କ ଘରେ ବିଜୁଳି ଜଳୁନି। କାହାର କେବୁଲ୍ ଖରାପ ତ ଆଉ କାହାର ମିଟର ଚାଲୁନି। ବାତ୍ୟା ମାଡ଼ରେ ଘରର ବିଦ୍ୟୁତ୍ ବ୍ୟବସ୍ଥା ବିଗିଡ଼ିଯାଇଛି। ମରାମତି ଲାଗି କେହି ଆସୁନାହାନ୍ତି। ଫୋନ୍ କଲେ ବି କେହି ଉଠାଉନାହାନ୍ତି। ବିଦ୍ୟୁତ୍ ସେକ୍ସନ ଜେଇଙ୍କ ଦେଖାମିଳୁନି। ବାରମ୍ବାର ଅଭିଯୋଗ କରିବାକୁ ଗଲେ ମଧ୍ୟ ସେକ୍ସନର କେହି ବି ଅଧିକାରୀ ଧରାଛୁଆଁ ଦେଉନାହାନ୍ତି। କାଲି ଆସ। ୫ ଦିନ ପରେ ଆସ। ଷ୍ଟାଫ୍ ନାହାନ୍ତି, ଆସିଲେ ମରାମତି କରିବାକୁ ଯିବେ। ସବୁଠି ଏମିତି ସମସ୍ୟା। ତୁମେ ଏତେ ବ୍ୟସ୍ତ କାହିଁକି ହେଉଛ?
ସେବା ପାଇବା ଲାଗି ସାଧାରଣ ଲୋକଙ୍କୁ ଏଭଳି କଡ଼ା ଭାଷାରେ ଚନ୍ଦ୍ରଶେଖରପୁର ସେକ୍ସନ-୧ରେ ଶୁଣିବାକୁ ମିଳୁଛି। ଲୋକେ ବି ଧାଇଁ ଧାଇଁ ନୟାନ୍ତ ହେଲେଣି। ସମାଧାନ କରିବା ଦୂରର କଥା, ଅଭିଯୋଗ ପରେ ବି ସେକ୍ସନର କର୍ମଚାରୀମାନେ ଲୋକଙ୍କ ଘରେ ପହଞ୍ଚୁନାହାନ୍ତି। ଇତି ମଧ୍ୟରେ ସେକ୍ସନରେ ଅଭିଯୋଗ ସଂଖ୍ୟା ବଢ଼ିଚାଲିଛି। ଏବେ ସୁଦ୍ଧା ସେକ୍ସନ କାର୍ଯ୍ୟାଳୟରେ ୧୧୩ରୁ ଅଧିକ ଅଭିଯୋଗ ପଡ଼ିଲାଣି। ତେବେ ବି କର୍ମଚାରୀ ମରାମତି କରିବାକୁ ଯାଉନାହାନ୍ତି। ସହରର କେତେକ ସେକ୍ସନରେ ସ୍ଥିତି ସୁଧୁରିଥିବା ବେଳେ ଚନ୍ଦ୍ରଶେଖରପୁର ସେକ୍ସନ-୧ରେ ଏଭଳି ସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ତା’ମାନେ ନୁହେଁ ଯେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ କାମ କରୁନାହାନ୍ତି। ସେମାନେ ପ୍ରତିଦିନ ୧୫ରୁ ୨୦ଟି ଘରର ବିଦ୍ୟୁତ୍ ମରାମତି କରୁଛନ୍ତି। ମାତ୍ର ବଡ଼ବଡ଼ିଆ ବାବୁଙ୍କ ଘରେ। ଯେଉଁଠି ଅଧିକ ଟଙ୍କା ମିଳୁଛି ସେଠାରେ ସଙ୍ଗେ ସଙ୍ଗେ ମରାମତି ହୋଇଯାଉଛି। ଚନ୍ଦ୍ରଶେଖରପୁର ବିଡିଏ କଲୋନି, ଡିଷ୍ଟ୍ରିକ୍ଟ ସେଣ୍ଟର ସମେତ ଆଖପାଖ ଅଞ୍ଚଳରେ ରହୁଥିବା ବାବୁମାନେ ଅଭିଯୋଗ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ କର୍ମଚାରୀ ପହଞ୍ଚି ବିଦ୍ୟୁତ୍ ଖୁଣ୍ଟିରେ ଚଢ଼ି ମରାମତି କରି ଦେଉଛନ୍ତି। ସାଧାରଣ ଲୋକଙ୍କ କେବୁଲ୍ରେ ହାତ ମାରୁନାହାନ୍ତି। ଅନୁରୋଧ କଲେ ମଧ୍ୟ କର୍ମଚାରୀ ଶୁଣୁନାହାନ୍ତି। ଟଙ୍କା ନ ଦେଲେ ମରାମତି ହେବ ନାହିଁ ବୋଲି କର୍ମଚାରୀମାନେ କହୁଥିବା ଲୋକେ ଅଭିଯୋଗ କରିଛନ୍ତି। ଆଇଟିଆଇ ଛାତ୍ରମାନେ ଘରେ ପହଞ୍ଚି ମାଗଣାରେ ମରାମତି କରିବେ ବୋଲି ସରକାର ଘୋଷଣା କରିଥିଲେ। ତେବେ ଏହି ସେକ୍ସନରେ ସେମିତି କିଛି ଦେଖିବାକୁ ମିଳୁନି।
ସେକ୍ସନ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଲୋକେ ନୟାନ୍ତ ହୋଇଗଲେଣି। ସେକ୍ସନରେ ଜେଇଙ୍କ ଦେଖା ମିଳୁନି। ତାଙ୍କ ସହ ଯୋଗଯୋଗ କଲେ ମଧ୍ୟ ମୋବାଇଲ୍ ବନ୍ଦ ବୋଲି କହୁଛି। ତେଣୁ ଲୋକେ ଆଉ କୌଣସି ଉପାୟ ନ ପାଇ ଗରମରେ ହନ୍ତସନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ଚନ୍ଦ୍ରଶେଖରପୁର ସେକ୍ସନ-୧ ନିକଟରେ ଥିବା ଏକ ହୋଟେଲକୁ ସେକ୍ସନ ଭିତରେ ଥିବା ଟ୍ରାନ୍ସଫର୍ମରୁ ବିଦ୍ୟୁତ୍ ସଂଯୋଗ ହୋଇଛି। ବାତ୍ୟା ପରବର୍ତୀ ସମୟରେ ଯେତେବେଳେ ସେକ୍ସନକୁ ଲାଇନ୍ ଆସିଥିଲା ଉକ୍ତ ହୋଟେଲରେ ସେବେଠାରୁ ଲାଇନ୍ ଜଳୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେବେ ଏନେଇ ଜେଇଙ୍କ ମତାମତ ନେବାକୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମୋବାଇଲ୍ ବନ୍ଦ ଥିଲା।