ଚନ୍ଦ୍ରଶେଖରପୁର: ବାତ୍ୟା ‘ୟାସ୍’ର ପ୍ରଭାବ ଭୁବନେଶ୍ବରରେ ପଡ଼ିନି। ତା’ ପରେ ବି ତୁହାକୁତୁହା ପବନ ଓ ଲଗାଣ ବର୍ଷା ଯୋଗୁଁ ସହରରେ ବିଦ୍ୟୁତ୍ ବ୍ୟବସ୍ଥା କିଛି ମାତ୍ରାରେ ପ୍ରଭାବିତ ହୋଇଛି। ଗଛ ଡାଳ ଭାଙ୍ଗି ପଡ଼ିବା ଯୋଗୁଁ ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ୍ ଡିଭିଜନ୍ (ବିସିଡିଡି)-୨ର କେତେକ ସେକ୍ସନରେ ୧୧ କେଭି ଓ ଏଲଟି ତାର ଛିଣ୍ଡି ଯିବାରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଥିଲା। କିନ୍ତୁ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିର୍ବାହୀଯନ୍ତ୍ରୀଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗ୍ରାହକଙ୍କ ନିକଟରେ ବିଦ୍ୟୁତ୍ ସେବା ପହଞ୍ଚି ପାରିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବାତ୍ୟା ପୂର୍ବଦିନ ବିସିଡିଡି-୨ର ବିଭିନ୍ନ ସେକ୍ସନରେ ଲଗାତାର ଭାବେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିଲେ ମଧ୍ୟ ବାତ୍ୟା ଦିନ ସେଭଳି ବିଦ୍ୟୁତ୍ ବିଭ୍ରାଟ ସାମ୍ନାକୁ ଆସି ନଥିଲା। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ବିଦ୍ୟୁତ୍ ତାର ଉପରେ ଗଛ ଡାଳ ପଡ଼ିବା ଯୋଗୁଁ କିଛି ସମୟ ଲାଗି ସେବା ବିଚ୍ଛିନ୍ନ ହୋଇଥିଲା। ବିଶେଷକରି ଭରତପୁର, ଖଣ୍ଡଗିରି, ବାରଙ୍ଗ ସେକ୍ସନରେ ଗଛ ଡାଳ ଦ୍ବାରା ବହୁ ପରିମାଣରେ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବାତ୍ୟା ଦିନ ମଳିପଡ଼ି ଅଞ୍ଚଳରେ ବିଦ୍ୟୁତ୍ ତାର ଉପରେ ଦୁଇଟି ବାଉଁଶ ବୁଦା ଉପୁଡ଼ି ପଡ଼ିବା ଯୋଗୁଁ ଲୋକେ ସେବା ପାଇବାରୁ ବଞ୍ଚିତ ହୋଇଥିଲେ। ଖବର ପାଇ କର୍ମଚାରୀମାନେ ପହଞ୍ଚି ବାଉଁଶବୁଦା କାଟିବା ପରେ ସେବା ପୁଣିଥରେ ଆରମ୍ଭ ହୋଇଛି। ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ନୟାପଲ୍ଲୀର କୌଣସି ସ୍ଥାନରେ ସେଭଳି କିଛି କ୍ଷତିଗ୍ରସ୍ତ ହୋଇନାହିଁ ଏବଂ ଲୋକଙ୍କୁ ନିୟମିତ ସେବା ଯୋଗାଇ ଦିଆଯାଇଛି।
ବିସିଡିଡି-୨ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୩ଦିନ ମଧ୍ୟରେ ବିଭିନ୍ନ ସେକ୍ସନକୁ ପ୍ରାୟ ୫ହଜାର ଫ୍ୟୁଜ୍ କଲ୍ ଆସିଛି। ଯୁଦ୍ଧକାଳୀନ ଭିତ୍ତିରେ ସେଗୁଡ଼ିକର ସମାଧାନ କରାଯାଇଛି। ଭରତପୁରକୁ ସର୍ବାଧିକ ୧୧୦୭ ଫ୍ୟୁଜ୍ କଲ ଆସିଥିବା ବେଳେ ଚନ୍ଦ୍ରଶେଖରପୁର-୧କୁ ୨୯୨, ନୟାପଲ୍ଲୀକୁ ୪୧୫, ବରମୁଣ୍ଡା ସେକ୍ସନକୁ ୧୧୧, ଭିଏସ୍ଏସ୍ ନଗରକୁ ୨୧୭, ବାରଙ୍ଗକୁ ୩୯୬, କାନନ ବିହାରକୁ ୪୧୧, ଚନ୍ଦ୍ରଶେଖରପୁର-୨କୁ ୩୪୫, ଡୁମୁଡୁମା ସେକ୍ସନକୁ ୫୨୭, କଳିଙ୍ଗନଗର ସେକ୍ସନକୁ ୭୧୨ ଫ୍ୟୁଜ୍ କଲ୍ ଆସିଛି। ଖଣ୍ଡଗିରି ସେକ୍ସନକୁ ସର୍ବନିମ୍ନ ମାତ୍ର ୮୯ଟି ଫ୍ୟୁଜ୍ କଲ ଆସିଛି। ଯାହାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରାଯାଇଥିବା ସୂଚନା ମିଳିଛି। ଗଛ ଡାଳ ଭାଙ୍ଗିବା ଯୋଗୁଁ ନୟାପଲ୍ଲୀରେ ୩ଟି ଖୁଣ୍ଟିରୁ ୧୧ କେଭି ଛିଣ୍ଡିଥିବା ବେଳେ ବାରଙ୍ଗରେ ୮ଟି ଖୁଣ୍ଟରୁ, ଭରତପୁରରେ ୧୧ କେଭି ୪ଟି ଖୁଣ୍ଡରୁ ଓ ଏଲ୍ଟି ୬ଟି ଖୁଣ୍ଟରୁ ଛିଣ୍ଡି ପଡ଼ିଥିଲା। ଡିଭିଜନ୍ ଅଧୀନରେ ମୋଟ ୧ ଲକ୍ଷ ୭୦ହଜାର ଗ୍ରାହକ ରହିଥିବାରୁ ସେମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଦେବା ଦିଗରେ ପଦକ୍ଷେପ ନିଆଯାଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବାତ୍ୟା ଯୋଗୁଁ କୌଣସି ସ୍ଥାନରେ ବିଦ୍ୟୁତ୍ ସେବା ବିଳମ୍ବିତ ହୋଇ ନଥିବା ସେ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/electricity-supply.jpg)
