ଭୁବନେଶ୍ବର: ଏସି ଚାଲିଛି। ୫ରୁ ଅଧିକ ବିଜୁଳି ବଲ୍ ଜଳୁଛି। ହେଲେ ମାସ ଶେଷରେ ଟଙ୍କାଟିଏ ଦେବାକୁ ପଡ଼ୁନାହିଁ। ଗୋଟିଏ ଗୋଟିଏ ଘରେ ୪ରୁ ଅଧିକ ଫ୍ୟାନ୍ ଚାଲୁଥିଲେ ମଧ୍ୟ ବିଦ୍ୟୁତ୍ ବିଲ୍ ବାବଦରେ ଗୋଟିଏ ବି ଟଙ୍କା ଦେଉ ନାହାନ୍ତି। ଏଭଳି ଘଟଣା ଆଉ କେଉଁଠି ନୁହେଁ ବରଂ ରାଜଧାନୀ ଛାତି ଉପରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଦେଖିବାକୁ ମିଳୁଛି। ଏହା ପରିସରରେ ରହୁଥିବା କିଛି କର୍ମଚାରୀ ଓ ଚୋରାରେ ବିଜୁଳି ଜାଳୁଥିବା ବସ୍ତିବାସିନ୍ଦାଙ୍କୁ ବିଲ୍ ଦେବାକୁ ପଡ଼ୁନାହିଁ। ବରଂ ପ୍ରତି ମାସରେ ବ୍ୟବହୃତ ହେଉଥିବା ବିଜୁଳି ବାବଦ ଅର୍ଥ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଭରଣା କରୁଛନ୍ତି। କେଉଁ ମାସରେ ୨୮ ଲକ୍ଷ ଟଙ୍କାର ବିଲ୍ ଆସୁଛି ତ କେତେବେଳେ ୩୫ ଲକ୍ଷ ଡେଇଁ ଯାଉଛି। ଗୋଟିଏ ପଟେ ଦିନ ଦି’ପହରରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ବିଜୁଳି ଚୋରି ହେଉଥିବା ବେଳେ ଅନ୍ୟପଟେ ଏଭଳି ହିଟର ବ୍ୟବହାର କରି ବିଲ୍ ନ ଦେବା ଦ୍ବାରା ବିଶ୍ବବିଦ୍ୟାଳୟ ଉପରେ ଆର୍ଥିକ ଚାପ ବଢ଼ିବାରେ ଲାଗିଛି।
ସେପଟେ ବିଜୁଳି ଚୋରି ହେଉଥିବା ନେଇ ଗତ ସପ୍ତହରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସଜାଗ ହୋଇଛନ୍ତି। ୭ ଦିନ ମଧ୍ୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତିନି ଥର ଚଢ଼ଉ କରିଛନ୍ତି। କ୍ୟାମ୍ପସ ଭିତରୁ ନିକଟସ୍ଥ ବସ୍ତିକୁ ଟଣାଯାଇଥିବା ୨୫ଟି କେବୁଲ୍କୁ କାଟି ଦିଆଯାଇଛି। ଛୋଟ ଛୋଟ କେବୁଲ୍କୁ ଯୋଡ଼ାଯାଇ ୨୦୦ ମିଟର ପର୍ଯ୍ୟନ୍ତ ବସ୍ତିବାସିନ୍ଦାଙ୍କ ଘରକୁ ବିଜୁଳି ସଂଯୋଗ ହୋଇଥିଲା। ବିପଦପୂର୍ଣ୍ଣ ଭାବେ ମାଟି ତଳେ, ଗଛ ଡାଳରେ ଟଣାଯାଇଥିବା କେବୁଲ୍ଗୁଡ଼ିକୁ କ୍ୟାମ୍ପସ ବାହାରକୁ ପକାଯାଇଛି। ଚିନ୍ତାର କାରଣ ହେଉଛି ଯେ ଯେତେଥର କେବୁଲ୍ କଟାଯାଉଛି କିଛି ଅସାମାଜିକ ବ୍ୟକ୍ତି ପୁଣିଥରେ ତାହାକୁ ଯୋଡ଼ି କ୍ୟାମ୍ପସ ଭିତରୁ ବିଦ୍ୟୁତ୍ ସଂଯୋଗ ନେଉଥିବା କର୍ତ୍ତୃପକ୍ଷଙ୍କ ନଜରକୁ ଆସିଛି। ତା’ସତ୍ତ୍ବେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ମଚାରୀମାନେ ପୁଣିଥରେ କେବୁଲ୍ କାଟିଥିବା ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସେପଟେ ବର୍ଷା ଦିନ ଆସିଯାଇଥିବାରୁ କ୍ୟାମ୍ପସରେ ରହୁଥିବା ପ୍ରଫେସର, କର୍ମଚାରୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଏବେ କର୍ମଚାରୀଙ୍କ ପାଇଁ ଥିବା ଅଧିକାଂଶ କ୍ବାର୍ଟର ପରିତ୍ୟକ୍ତ ହୋଇପଡ଼ିଛି। ଠିକ୍ ସମୟରେ ମରାମତି ହେଉ ନ ଥିବାରୁ ସେଥିରେ ରହିବାକୁ କର୍ମଚାରୀମାନେ ଭୟ କରୁଛନ୍ତି। ପ୍ରବଳ ବର୍ଷା ପବନ ହେଲେ ଭାଙ୍ଗଯିବାର ଆଶଙ୍କା ପ୍ରକାଶ ପାଉଛି। କେଉଁଠି କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ବାସଭବନ ଉପରକୁ ଗଛଲତା ମାଡ଼ିଗଲାଣି। ଜଙ୍ଗଲିଆ ପରିବେଶ ହୋଇଥିବାରୁ ସେଥିରେ ସାପ ସମେତ ବିଭିନ୍ନ ପ୍ରକାରର ଜନ୍ତୁ ବାସବାସ କରୁଥିବା ନଜରକୁ ଆସିଛି। ବର୍ଷା ସମୟରେ ବନ୍ୟଜନ୍ତୁଗୁଡ଼ିକ ଘର ଭିତରକୁ ଚାଲି ଆସୁଥିବା ଅଭିଯୋଗ କରିଛନ୍ତି। ପ୍ରଫେସରଙ୍କ ପାଇଁ ଥିବା କ୍ବାର୍ଟରଗୁଡ଼ିକ ଅବସ୍ଥା ତଦ୍ରୁପ। ବଡ଼ କ୍ବାର୍ଟର ହୋଇଥିଲେ ମଧ୍ୟ ବର୍ଷାଦିନେ ଗଛଲତା ଘର ଆଡ଼କୁ ମାଡ଼ି ଆସିଛି। ଗତ ବର୍ଷକ ମଧ୍ୟରେ ଦୁଇଟି ବଡ଼ ବିଲ୍ଡିଂ ନିର୍ମାଣ କରାଯାଇ ତାହାକୁ ପ୍ରଫେସରଙ୍କୁ ଆଲଟ୍ କରାଯାଇଛି। ତେବେ ଏମିତି ବି କିଛି କ୍ବାର୍ଟର ରହିଛି ତାହା ରହିବା ଉପଯୋଗୀ ନୁହେଁ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଫେସର ଓ କର୍ମଚାରୀମାନେ ଦାବି କରିଛନ୍ତି।