ଭୁବନେଶ୍ୱର: ବିଦ୍ୟୁତ ଶ୍ରମିକ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ଆନ୍ଦୋଳନ ଚେତାବନୀ ଦେଇଛି। ସେସୁକୁ ରିଷ୍ଟ୍ରକ୍ଚରିଙ୍ଗ କରାନଯିବା ପର୍ଯ୍ୟନ୍ତ ନୂତନ ଉଚ୍ଚ ଦରମାଧାରୀ କର୍ମଚାରୀ ନିଯୁକ୍ତି ବନ୍ଦ କରିବା, ୨୦୧୩ରୁ କର୍ମଚାରୀଙ୍କର ପ୍ରୋଭିଡେଣ୍ଟ ଫଣ୍ଡର ଏମ୍ପ୍ଲୋଇଜ୍ ସେୟାର ତୁରନ୍ତ ପ୍ରୋଭିଡେଣ୍ଟ ଫଣ୍ଡରେ ପୈଠ, ସେସୁରେ ତ୍ରିପାକ୍ଷିକ ଚୁକ୍ତିନାମା ଅନୁସାରେ ୧୨୧ଜଣ କ୍ଷେତ୍ର କର୍ମଚାରୀ, ୩୯ ଜଣ କିରାଣିଙ୍କ ସମେତ ମୋଟ ୪୩୨ କର୍ମଚାରୀଙ୍କୁ ଟାଟା ପାୱାର (ଟିପିସିଓଡିଏଲ୍)ରେ ନିୟମିତ ଚାକିରି ପ୍ରଦାନ କରଯାଉ। ଏହାବ୍ୟତୀତ ନିଯୁକ୍ତି କ୍ଷେତ୍ରରେ ଓଆର୍ଭି ଆକ୍ଟ ଲାଗୁ ହୋଇନଥିବା କର୍ମଚାରୀଙ୍କ ପଦୋନ୍ନତିରେ ଓଆର୍ଭି ଆକ୍ଟ ଲାଗୁ କରା ନଯାଉ, ଓପିଟିସିଏଲ୍ କର୍ମଚାରୀଙ୍କ ମେଡିକାଲ ସୁବିଧା ଟିପିସିଓଡିଏଲ୍ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯାଉ ଓ ପ୍ରତ୍ୟେକ କର୍ମଚାରୀଙ୍କ ମେଡିକାଲ ଇନ୍ସ୍ୟୁରାନସ ଟିପିସିଓଡିଏଲ୍ ବହନ କରୁ, କର୍ମଚାରୀଙ୍କ ପଡ଼ି ରହିଥିବା ସମସ୍ତ ବକେୟା ପାଉଣା ଯଥା-୬୦% ମଜୁରୀ ନିର୍ଦ୍ଧାରଣ, ଜାତୀୟ ଛୁଟି ଦିବସ ପାଉଣା, ଡ୍ରେସ୍, ଆଇଡେଣ୍ଟି କାର୍ଡ, ରେନ୍ କୋର୍ଟ, ସେଫ୍ଟି ସୁ ଆଦି ପୂରଣ ନ କରାଗଲେ କେବଳ ଟାଟା ପାୱାର ଅଞ୍ଚଳ ନୁହେଁ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।
ମଞ୍ଚ ପକ୍ଷରୁ ଏଠାରେ ଆୟୋଜିତ ଏକ ଜରୁରୀ ବୈଠକରେ ଟାଟା ପାୱାର (ଟିପିସିଓଡିଏଲ୍)ରେ କାର୍ଯ୍ୟ କରୁଥିବା ଶ୍ରମିକ କର୍ମଚାରୀ ଓ ଇଂଜିନିୟରଙ୍କ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯିବା ପରେ ଉକ୍ତ ଦାବି ଉପସ୍ଥାପନ କରାଯାଇଛି। ଏଥିରେ ଏକତା ମଞ୍ଚର ଯତୀନ୍ଦ୍ର କୁମାର ରାଏ, ପ୍ରଶାନ୍ତ ମହାପାତ୍ର, ଅକ୍ଷୟ ତ୍ରିପାଠୀ, ବି.ପି ବସୁ ମଲ୍ଲିକ, ବ୍ରହ୍ମ ପ୍ରକାଶ ପାଇଟାଲ, କେଦାର ନାଥ ଷଡ଼ଙ୍ଗୀ, ଧୋବେଇ ସାହୁ, ପ୍ରଭାତ ମଲ୍ଲ, ସଞ୍ଜୀବ ପ୍ରସାଦ ବେହେରା, ସତ୍ୟବାଦୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ।