ଭୁବନେଶ୍ବର/ ମେଣ୍ଢାଶାଳ: ଆତଙ୍କ ସୃଷ୍ଟିକରି ବର୍ଷ ବର୍ଷ ଧରି ଚର୍ଚ୍ଚାରେ ରହି ଆସିଥିବା ଚନ୍ଦକା ଅଞ୍ଚଳର ବାହୁବଳୀ ଦନ୍ତାହାତୀ ରାମୁ ବିଦ୍ୟୁତ୍‌ ଆଘାତରେ ମୃତୁବରଣ କରିଛି। ବନ ବିଭାଗର ଅବହେଳା ଯୋଗୁଁ ତା’ର ଜୀବନ ଯାଇଛି ବୋଲି ଆଲୋଚନା ହେଉଛି। ଶୁଣ୍ଢ ଓ ଗୋଡ଼ରେ ବିଦ୍ୟୁତ ଆଘାତର ଚିହ୍ନ ଥାଇ ରାମୁର ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ବଳଶାଳୀ ଓ ସୁ୍ନ୍ଦର ହାତୀଟି ଭରତପୁର, ଅନ୍ଧାରୁଆ, ମାଳିମ ରାସ୍ତା, ମଳିପଡା, ଶାମପୁର, ଗୋଠପାଟଣା ତଥା ଖୋର୍ଦ୍ଧା ରେଞ୍ଜ ରତନପୁର ଅଞ୍ଚଳକୁ ନିୟମିତ ବ୍ୟବଧାନରେ ଆତଙ୍କିତ କରି ରଖୁଥିଲା। ଫସଲ ନଷ୍ଟ କରିବା ସହିତ ଘର ଓ ପାଚେରି ଆଦି ଭାଙ୍ଗୁଥିଲା। କିନ୍ତୁ ତା’ର ମୃତ୍ୟୁ‌ରେ ସେହିସବୁ ଅଞ୍ଚଳରେ ଏକପ୍ରକାର ଶୋକର ଛାୟା ଖେଳିଯାଇଛି।

Advertisment

ଆଜି ଚୁନକୋଳି ବସ୍ତିର ଲୋକମାନେ ବନବିଭାଗକୁ ଖବର ଦେଇଥିଲେ ଯେ ଭରତପୁର ରେଞ୍ଜର ଟ୍ରେଞ୍ଚ୍‌ ପାଚେରି ନିର୍ମାଣ ହେଉଥିବା ସ୍ଥାନ ନିକଟରେ ଏକ ଦନ୍ତାହାତୀ ମରି ପଡିଛି। ବନବିଭାଗର କର୍ମଚାରୀମାନେ ଯାଇ ତାହା ରାମୁ ଦନ୍ତାହାତୀର ବୋଲି ଚିହ୍ନଟ କରିଥିଲେ। ଚନ୍ଦକା-ଡମପଡା ଡିଏଫ୍‌ଓ ଶରତ ଚନ୍ଦ୍ର ବେହେରା ଖବର ପାଇ ତୁରନ୍ତ ସେଠାରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ବନବିଭାଗ ଦ୍ବାରା ଲଗା ଯାଇଥିବା ବିଦ୍ୟୁତ୍‌ ତାର ଲାଗି ହିଁ ରାମୁର ମୃତ୍ୟୁ ଘଟିଛି। ସେମାନଙ୍କ କହିବା ଅନୁସାରେ, ବନବିଭାଗ ତରଫରୁ ଚୁନକୋଳି ବସ୍ତି ନିକଟରେ ଏକ ଟ୍ରେଞ୍ଚ୍‌ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେଠାକୁ ଯେପରି ଜଙ୍ଗଲରୁ କୌଣସି ଜୀବଜନ୍ତୁ ଆସିପାରିବେ ନାହିଁ, ସେଥିପାଇଁ ସେହି ସ୍ଥାନରେ ବନବିଭାଗ ତାର ଲଗାଇ କରେଣ୍ଟ ଦେଇଥିଲା। କାମ ଚାଲିଥିବା ସମୟରେ ରାମୁ ଥରେ ସେଠାକୁ ଯାଇ ଫେରି ଯାଇଥିଲା। ତେବେ ବିଳମ୍ବିତ ରାତିରେ ସେ ପୁଣି ସେହି ବାଟଦେଇ ବସ୍ତିକୁ ଯିବା ପାଇଁ ଚେଷ୍ଟା କରିବା ସମୟରେ ବିଦ୍ୟୁତ୍‌ ଆଘାତର ଶିକାର ହୋଇଥିଲା। ମୃତ୍ୟୁ ପୂବର୍ରୁ ସେ ବହୁ ସମୟଧରି ସଂଘର୍ଷ କରି ବିଫଳ ହୋଇଥିଲା ବୋଲି ଲୋକେ କହୁଛନ୍ତି। ଆଜି ସନ୍ଧ୍ୟାରେ ଓୟୁଏଟି ପ୍ରଫେସର ଓ ନନ୍ଦନକାନନ ଡାକ୍ତରୀ ଦଳର ସହାୟତାରେ ରାମୁର ଶବ ବ୍ୟବଚ୍ଛେଦ କରା ଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫ୍‌ଓ ଶ୍ରୀ ବେହେରା କହିଛନ୍ତି। ରାମୁର ବୟସ ୩୫ ରୁ ୪୦ ବର୍ଷ ଭିତରେ ଥିଲା।

ଉଲ୍ଲେଖନୀୟ ଯେ ରାମୁ ଉକ୍ତ ଅଞ୍ଚଳରେ ନିୟମିତ ବାଡ଼ିବଗିଚାରେ ପଶି ଫସଲ ନଷ୍ଟ କରୁଥିବାରୁ ସ୍ଥାନୀୟ ଲୋକକଥାର ଅଂଶବିଶେଷ ପାଲଟି ଯାଇଥିଲା। ତେବେ ମଣିଷଙ୍କୁ ସେ କେବେ ଆଘାତ କରିବାର କିଛି ଉଦାହରଣ ନାହିଁ। କିଛି କାଳ ପାଇଁ ସେ ବାହାରକୁ ଚାଲିଯିବାପରେ ଗତ ଜୁନ୍‌ମାସର ମଧ୍ୟଭାଗରେ ଭରତପୁର ସଂରକ୍ଷିତ ଜଙ୍ଗଲକୁ ଫେରିଥିଲା। ଏକଦା ଏହି ଜଙ୍ଗଲରେ ଦୁଇଟି ଅଣ୍ଡିରା ହାତୀଛୁଆ- ରାମୁ ଓ କଳିଙ୍ଗା ଥିଲେ। ତେବେ ସେହି ଅଳ୍ପବୟସରେ ହିଁ କଳିଙ୍ଗାର ମୃତ୍ୟୁ ହୋଇଥିବା ବେଳେ ରାମୁ ହୃଷ୍ଟପୁଷ୍ଟ ହୋଇ ବଢ଼ି ଏକ ବିଶାଳ ଦନ୍ତାହାତୀରେ ପରିଣତ ହୋଇଥିଲା।

୨୪ ଘଣ୍ଟାରେ ରିପୋର୍ଟ ଦିଅ
ଭରତପୁର ଜଙ୍ଗଲରେ ପ୍ରଥମ ଥର ପାଇଁ ଏଭଳି ହାତୀ ମୃତ୍ୟୁକୁ ନେଇ ବନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ବନ ବିଭାଗର ଜଏଣ୍ଟ ଟାକ୍ସ ଫୋର୍ସ (ଜେଟିଏଫ୍‌) ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ହାତୀ ମୃତ୍ୟୁର କାରଣ ଖୋଜିଛି। ବିଦ୍ୟୁତ୍‌ ବିଭାଗର ଯନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଯେ ବିଦ୍ୟୁତ୍‌ ଆଘାତରେ ହିଁ ରାମୁର ମୃତ୍ୟୁ ହୋଇଛି। ତେବେ କେଉଁଭଳି ଭାବେ ବିଦ୍ୟୁତ୍‌ ଆଘାତ ହେଲା, ତାହାର ତଦନ୍ତ ଚାଲିଛି। ଭରତପୁର ଜଙ୍ଗଲ ନିକଟରେ ଥିବା ବସ୍ତିର କଦଳୀଗଛରୁ କଦଳୀ ଖାଇବାକୁ ଉଦ୍ୟମ କରିବା ସମୟରେ ସେଠାରେ ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତାହାର ମୃତ୍ୟୁ ହୋଇଥାଇପାରେ। ଅଥବା ଜଙ୍ଗଲ ନିକଟରେ ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ତାହାର ଜୀବନ ଯାଇଛି। କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହାର ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦେବାକୁ କୁହାଯାଇଛି।

ବର୍ଷା ପରେ ରେଡିଓକଲାର ଲାଗିଥାନ୍ତା
ପିସିସିଏଫ୍‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି, ‘‘ରାମୁକୁ ନେଇ ବନ ବିଭାଗ ବଡ଼ ଯୋଜନା କରିଥିଲା। ସହରକୁ ଲାଗିରହିଥିବା ସଂରକ୍ଷିତ ଜଙ୍ଗଲରେ ସେ ରହୁଥିଲେ ମଧ୍ୟ କେବେ କାହାର କ୍ଷତି କରି ନ ଥିଲା। ତା’ସତ୍ତ୍ବେ ମଧ୍ୟେ ମଧ୍ୟେ ଜନବସତି ଆଡ଼କୁ ମାଡ଼ି ଆସୁଥିବାରୁ ତା’ ବେକରେ ରେଡ଼ିଓକଲାର ପକାଇବାକୁ ‌ରୂପରେଖ ପ୍ରସ୍ତୁତ ହୋଇଥିଲା। ଏବେ ବର୍ଷାଦିନ ଚାଲୁଥିବାରୁ ଟ୍ରାଙ୍କୁଲାଇଜ୍‌ କରି ରେଡିଓକଲାର ଲଗାଇବା ସମ୍ଭବପର ହୋଇ ନ ଥାନ୍ତା। ତେଣୁ ବର୍ଷା ସରିବାକ୍ଷଣି ସେଦିଗରେ ପଦକ୍ଷେପ ନିଆଯାଇଥାନ୍ତା। ମାତ୍ର ସେତେଦିନ ପର୍ଯ୍ୟନ୍ତ ସେ ବଞ୍ଚିରହିପାରିଲା ନାହିଁ। ରାମୁର ଏଭଳି ଅକାଳ ବିୟୋଗ ବିଭାଗ ପାଇଁ ଚିନ୍ତା ଓ ଆହ୍ବାନ ପାଲଟିଛି।’’

ରହିଲେ ୧୫ ହାତୀ
ଡିଏଫ୍‌ଓ ଶ୍ରୀ ବେହେରାଙ୍କ ସୂଚନା ଅନୁଯାୟୀ, ‘‘ଗୋଟିଏ ସମୟରେ ଭରତପୁର ଜଙ୍ଗଲରେ କେବଳ ରାମୁ ହିଁ ରହୁଥିଲା। ଏହି ସଂରକ୍ଷିତ ଜଙ୍ଗଲ ଛାଡ଼ି ଯାଉ ନ ଥିଲା। ବେଳେବେଳେ ଖୋର୍ଦ୍ଧା ବନଖଣ୍ଡ ଆଡ଼େ ମାଡ଼ି ଯାଉଥିଲା। ଭୋର ସମୟରେ ତାହାର ମୃତ୍ୟୁ ଖବର ପାଇବା ପରେ ଆମେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲୁ। ୪ ଜଣିଆ ପ୍ରାଣୀ ଚିକିତ୍ସକ ଦଳ ରାତି ସାଢ଼େ ୮ଟାରେ ଶବ ବ୍ୟବଚ୍ଛେଦ ଶେଷ କରିଛନ୍ତି। ରାମୁର ମୃତ୍ୟୁ ପରେ ଏବେ ଭରତପୁର ଜଙ୍ଗଲ ଭିତରେ ମାତ୍ର ୧୫ଟି ହାତୀ ରହିଛନ୍ତି।’’