ଭୁବନେଶ୍ୱର : ରାଜ୍ୟ ଇଲେକ୍ଟ୍ରୋପାଥି ଚିକିତ୍ସକ ସଂଘର ସାଧାରଣ ବୈଠକ ଆଜି ରେଡକ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ଇଲେକ୍ଟ୍ରୋପାଥି ଚିକିତ୍ସକ ଯୋଗ ଦେଇ ଏହି ଚିକିତ୍ସା ପଦ୍ଧତିର ଗୁଣାତ୍ମକ ପ୍ରୟୋଗ ଓ ଲୋକପ୍ରିୟତା ଉପରେ ଆଲୋଚନା କରିଥିଲେ। ଇଲେକ୍ଟ୍ରୋପାଥିକୁ ତୁରନ୍ତ ସରକାରୀସ୍ତରରେ ମାନ୍ୟତା ପ୍ରଦାନ ପାଇଁ ବୈଠକରେ ଦାବି ଉଠିଥିଲା। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ନିରାପଦ ଇଲେକ୍ଟ୍ରୋପାଥି ଚିକିତ୍ସାର ମାନ୍ୟତା, ପ୍ରୟୋଗ ଓ ଶିକ୍ଷାର ପ୍ରସାର, ନିୟନ୍ତ୍ରଣ ଓ ଏହାର ବିକାଶ ପରିଷଦ ଗଠନ କରି ସମସ୍ତ ଚିକିତ୍ସକଙ୍କୁ ପଞ୍ଜୀକୃତ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି।
ସଂଘ ପକ୍ଷରୁ କୁହାଯାଇଛି ଯେ କେବଳ ୧୧୪ଟି ଔଷଧୀୟ ବୃକ୍ଷଲତାକୁ ଉତ୍ସ କରି ଏହାର ସମସ୍ତ ୩୮ଟି ମୂଳ ଯୌଗିକ ଓଷଧ ଗୁଡ଼ିକୁ ପ୍ରାୟ ସମସ୍ତ ପ୍ରକାରର ସାଧାରଣ ଓ ଜଟିଳ ରୋଗ ପାଇଁ ପ୍ରୟୋଗ କରାଯାଇଥାଏ। ଭାରତରେ ଏହାର ପ୍ରୟୋଗ ଓ ପ୍ରସାର ପ୍ରାୟ ୧୦୦ ବର୍ଷ ଅତିକ୍ରମ କରିଥିବା ବେଳେ ନିକଟରେ ରାଜସ୍ଥାନ ସରକାର ଏହି ଚିକିତ୍ସା ପଦ୍ଧତିକୁ ସରକାରୀ ମାନ୍ୟତା ପ୍ରଦାନ କରିଛନ୍ତି। ଦେଶର ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏହାର ପ୍ରୟୋଗ, ପ୍ରସାର ଓ ବିକାଶ ଦିଗରେ ସରକାରୀ ମାନ୍ୟତା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେଥିପାଇଁ କେନ୍ଦ୍ର ସରକାର ଏହାର ମାନ୍ୟତା ଦିଗରେ ସକରାତ୍ମକ ଦୃଷ୍ଟି ରଖି ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିଛନ୍ତି ଯେଉଁଥିରେ ରାଜ୍ୟ ଆୟୁଷ ନିର୍ଦେଶକ ସଦସ୍ୟ ରହିଛନ୍ତି। ସଂଘ ପକ୍ଷରୁ ବିଭିନ୍ନ ତଥ୍ୟ ସମ୍ବଳିତ ଚିଠି ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ଆୟୁଷ ନିର୍ଦେଶକଙ୍କୁ ପ୍ରଦାନ କରାଯାଇଛି। ବୈଠକରେ ସଂଘର ସଭାପତି ଡ. ସରୋଜ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ଡ. ସୁନନ୍ଦନ ମିଶ୍ର ଓ ଗୋବିନ୍ଦ ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/ele-5.jpg)