ବିଜୁଳି ବିତ୍ପାତ: ପହଞ୍ଚିଲେ ବେଙ୍ଗାଲୁରୁ ଟିମ୍‌

କଳିଙ୍ଗ ନଗରରେ ନୂଆ ଅଡୁଆ, ସଂଯୋଗ ପାଇଁ ଟଙ୍କା ଆଦାୟ ଅଭିଯୋଗ, ଜେଇଙ୍କ ନାମରେ ଏତଲା

ଭୁବନେଶ୍ବର: ସାରା ସହରରେ ବିଜୁଳି ସଂଯୋଗ ପହଞ୍ଚାଇବା ପାଇଁ ଧାର୍ଯ୍ୟ ହୋଇଥିବା କଣ୍ଟ ପୂରିବାକୁ ଆଉ ଗୋଟିଏ ଦିନ ବାକି। ହେଲେ ଯେଉଁ ଢଙ୍ଗରେ କାମ ହେଉଛି, ପ୍ରତ୍ୟେକ ଦିନ ଯେପରି ନୂଆ ନୂଆ ଅଭିଯୋଗ ଆସୁଛି, ତାହାକୁ ବିଚାର କଲେ ଧାର୍ଯ୍ୟ ସମୟରେ ଭୁବନେଶ୍ବରର ସମସ୍ତ ଜାଗାରେ ବିଜୁଳି ପହଞ୍ଚିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏକ ନୂଆ ଅଭିଯୋଗ ଏବେ ସେସୁର ମୁଣ୍ଡବିନ୍ଧାର କାରଣ ସାଜିଛି। ବିଜୁଳି ସଂଯୋଗ ପାଇଁ ଜେଇ ଟଙ୍କା ନେବା ନେଇ ଥାନାରେ ଏତଲା ହୋଇଛି।

ଖଣ୍ଡଗିରି ଥାନାରେ କଳିଙ୍ଗ ନଗର ଜେଇଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି। ଏହି ଅଭିଯୋଗ ହେବା ପରେ ତନାଘନା ହୋଇଛି। ଲାଞ୍ଚ ମାଗିବା ପ୍ରସଙ୍ଗକୁ ବିଭାଗ ପକ୍ଷରୁ ନିନ୍ଦା କରାଯାଇଛି। ସେଠାରେ କିଭଳି ତୁରନ୍ତ ବିଜୁଳି ସଂଯୋଗ ଦିଆଯିବ ସେ ନେଇ ବିସିଡିଡି-୨ ନିର୍ବାହୀ ଯନ୍ତ୍ରୀ ବାଣୀଭୂଷଣ ମହାନ୍ତି ଡେରା ପକାଇଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ବଡ଼ ବଡ଼ ମଲ୍‌ ସହ ବିଭିନ୍ନ ଜାଗାକୁ ୩ ଫେଜ୍‌ର ସଂଯୋଗ ଦିଆଯାଇଛି। ଏଣୁ ଏଠାରେ ପ୍ରବଳ ଲାଞ୍ଚ କାରବାର ହୋଇଥିବ ବୋଲି ଚର୍ଚ୍ଚା ହେଉଛି। ତେବେ ଏପରି ଅଭିଯୋଗକୁ ସମ୍ପୃକ୍ତ ‌କନିଷ୍ଠ ଯନ୍ତ୍ରୀ ଖଣ୍ଡନ କରିଛନ୍ତି। ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଥିବାରୁ ଏପରି ମିଥ୍ୟା ଅଭିଯୋଗ କରାଯାଉଛି ବୋଲି ସେ କହିଛନ୍ତି। ଫିଟିଲା ଗୁମର: ବାତ୍ୟାକୁ ୧୧ ଦିନ ପୂରିଥିଲେ ମଧ୍ୟ କଳିଙ୍ଗ ନଗର ସମସ୍ତ ଅଞ୍ଚଳରେ ବିଜୁଳି ପହଞ୍ଚିନି। ଫଳରେ ବିଭିନ୍ନ ଜାଗାରେ ଉତ୍ତେଜନା ପ୍ରକାଶ ପାଉଛି। ଜଣେ ଉପ ଆଜି ବିଜୁଳି ସଂଯୋଗ ପାଇଁ ଲାଞ୍ଚ କାରବାର ହେଉଥିବା ଅଭିଯୋଗ କରିବା ପରେ ତନାଘନା ହୋଇଥିଲା। ଏଠାରେ କେଉଁ କେଉଁ ଅଞ୍ଚଳରେ କେତେ କ୍ଷୟକ୍ଷତି ହୋଇଛି ବିଭାଗୀୟ କର୍ତ୍ତୃପକ୍ଷ ତାହାର ହିସାବ ତଲବ କରିଥିଲେ। ହେଲେ ବାତ୍ୟା ପରଠାରୁ ଏହି ହିସାବ କାହା ପାଖରେ ନଥିଲା। ଖୋଳତାଡ଼ ପରେ ଜଣାପଡ଼ିଲା କି ଏଠାକାର ଜେଇ କ୍ଷୟକ୍ଷତିର ହିସାବ ଦେଇ ନାହାନ୍ତି କିମ୍ବା ତାଙ୍କୁ ଉଚ୍ଚପଦସ୍ଥ ଅଧିକାରୀ ହିସାବ ମାଗିନାହାନ୍ତି। ଚଳିତ ବାତ୍ୟାରେ ଭୁବନେଶ୍ବରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି। କିନ୍ତୁ ବାତ୍ୟାର ୧୧ ଦିନ ପରେ ବି କ୍ଷୟକ୍ଷତି ହିସାବ ହୋଇ ନାହିଁ। ଏଭଳି ଏକ ଦାୟିତ୍ବହୀନତା ପାଇଁ ନିୟନ୍ତ୍ରଣ କକ୍ଷରେ ହଇଚଇ ହୋଇଛି। ପ୍ରଥମେ ଏହି ଅଞ୍ଚଳରେ କିଭଳି ବିଜୁଳି ପହଞ୍ଚିବ ସେ ନେଇ ଯୁଦ୍ଧକାଳୀନ ଭିତ୍ତି‌ରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

।ପହଞ୍ଚିଲେ ବେଙ୍ଗାଲୁରୁ ଟିମ୍‌: ପୁନରୁଦ୍ଧାର କାମରେ ସହଯୋଗ କରିବା ପାଇଁ ଆଜି ବାଙ୍ଗାଲୋର୍‌ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନି(ବେସ୍‌କମ୍‌)ରୁ ୩୧୭ ଜଣ ଟେକ୍ନିସିଆନ ଭୁବନେଶ୍ବରରେ ପହଞ୍ଚିଛନ୍ତି। ରେଳ ଷ୍ଟେସନ୍‌ରେ ପହଞ୍ଚିବା ପରେ ସେସୁ ପକ୍ଷରୁ ବିକାଶ ସରକାର, ଦିଲ୍ଲୀପ ଦାସ ଓ ସୀମା ଷଡ଼ଙ୍ଗୀ ସେମାନଙ୍କୁ ସ୍ବାଗତ କରିଛି। ଆସନ୍ତାକାଲିଠାରୁ ସେମାନେ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ କାମରେ ଲାଗିପଡ଼ିବେ। ବେସ୍‌କମ୍‌ ସହ ସେସୁ ମୁଖ୍ୟ ମହାପ୍ରବନ୍ଧକ ଇଂ ସୁକାନ୍ତ ସ୍ବାଇଁ ‌ଯୋଗାଯୋଗ କରିଥିଲେ। ପରିସ୍ଥିତିର ଗୁରୁତ୍ବକୁ ଅନୁଭବ କରି କମ୍ପାନି ଏହି କୁଶଳୀ କର୍ମଚାରୀଙ୍କୁ ପଠାଇଛି।

।ବିସିଡିଡି-୧ରେ ସବୁ ଉପଭୋକ୍ତା ପାଇଲେ ବିଜୁଳି: ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ-୧(ବିସିଡିଡି) ଅଧୀନରେ ସମସ୍ତ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ବୋଲି ସେସୁ ପକ୍ଷରୁ କୁହାଯାଇଛି। ସେହିଭଳି ବିସିଡିଡି-୨ରେ ଆଉ ମାତ୍ର ୨ ହଜାର ଉପଭୋକ୍ତା ଅନ୍ଧାରରେ ଅଛନ୍ତି। ଯୁଦ୍ଧାଳୀନ ଭିତ୍ତିରେ କାମ ଚାଲିଛି। ଦୁଇଦିନ ଭିତରେ ଏହି ଡିଭିଜନ୍‌ ଅଧୀନରେ କଳିଙ୍ଗ ନଗର, ବାରଙ୍ଗ, ଚନ୍ଦକା, ଇନ୍‌ଫୋସିଟି, ଉତ୍ତରା, ଏସ୍‌ବିଆଇ କଲୋନି ସଂଯୋଗ ଦେବାକୁ ଯୋଜନା ହୋଇଛି। ସେହିଭଳି ଭୁବନେଶ୍ବର ଇଲେକ୍ଟ୍ରିକାଲ ଡିଭିଜନ୍‌ ଅଧୀନରେ ଆଉ ଅଧିକ ୩ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଥିବା ବିଭାଗ କହିଛି।

ସମ୍ବନ୍ଧିତ ଖବର