ପ୍ରାଥମିକ ବିଦ୍ୟାଳୟ ‌ଫେବ୍ରୁଆରିରେ ଖୋଲିବନି

ଭୁବନେଶ୍ବର: ଫେବ୍ରୁଆରିରେ ଖୋଲିବନି ପ୍ରାଥମିକ ବିଦ୍ୟାଳୟ। ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ରୁମ୍‌ ପାଠପଢ଼ା ଆହୁରି ବିଳମ୍ବ ହୋଇପାରେ। ବର୍ତ୍ତମାନ ସମୟରେ ଦେଶର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରି ପରିବର୍ତ୍ତେ ମାର୍ଚ୍ଚ ମାସରେ ସ୍କୁଲ ଖୋଲିବାକୁ ଆଲୋଚନା ଚାଲିଥିବା ଜଣାପଡ଼ିଛି। ଫେବ୍ରୁଆରି ଶେଷ ସପ୍ତାହରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଜନା କରିଥିଲା। ତାହାକୁ ନଜରରେ ରଖି ଏସ୍‌ଓପି ମଧ୍ୟ ପ୍ରସ୍ତୁତ ହୋଇଥିଲା। କିଭଳି ଭାବେ ସ୍କୁଲ ଖୋଲିବ, କେତେ ସମୟ ପାଠପଢ଼ା ହେବ, ସେନେଇ ସମସ୍ତ ତଥ୍ୟ ଉଲ୍ଲେଖ କରାଯାଇଥିଲା ଓ ଅନୁମତି ଲାଗି ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା। ତେବେ ଆଜି ରାତି ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଫେବ୍ରୁଆରି ମାସରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଣଶିକ୍ଷା ବିଭାଗକୁ ଅନୁମତି ଦିଆଯାଇ ନାହିଁ। ମହାରାଷ୍ଟ୍ର ସମେତ ଦେଶର କେତେକ ରାଜ୍ୟରେ ବହୁ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଏକ୍ଷେତ୍ରରେ ରାଜ୍ୟ ସରକାର ରିସ୍କ୍‌ ନେବାକୁ ଚାହୁଁ ନାହାନ୍ତି।

ସମ୍ବନ୍ଧିତ ଖବର