ଚନ୍ଦକା ଥାନା ଅନ୍ତର୍ଗତ ପଳାସପୁର ଗାଁରେ ପଶିଲେ ହାତୀ : ପାଚେରି, ଗ୍ରିଲ୍ ଓ କବାଟ ଭାଙ୍ଗିଲେ, ସଞ୍ଜ ନଇଁଲେ ତାଟିକବାଟ ବନ୍ଦ

ଖଣ୍ଡଗିରି : ଜଙ୍ଗଲ ଛାଡ଼ି ହାତୀମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ଖାଦ୍ୟ ଅନ୍ବେଷଣରେ ଆସି ଘରଦ୍ବାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଥାନା ପଳାସପୁରରେ ହାତୀମାନେ ଏଭଳି କାଣ୍ଡ କରିଛନ୍ତି। ସୌଭାଗ୍ୟକୁ ହାତୀମାନଙ୍କ ଦ୍ବାରା ବିଶେଷ ଧନଜୀବନ ହାନି ହୋଇନଥିଲେ ମଧ୍ୟ ଗହୀରରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ତେଣୁ ହାତୀ ଆତଙ୍କ ପାଇଁ ଏହି ଅଞ୍ଚଳରେ ସଞ୍ଜ ବୁଡ଼ୁବୁଡ଼ୁ ତାଟି କବାଟ ପଡ଼ି ଯାଉଛି। ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡାକଡ଼ି କରାଯାଇଥିଲେ ମଧ୍ୟ ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରୁନଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାବେଳେ ପଳାସପୁର ଗାଁରେ ବିମଳ ବେହେରାଙ୍କ ବାଡ଼ିପଟ କବାଟରେ ଜୋର୍ ଶବ୍ଦ ଶୁଣି ପରିବାର ଲୋକେ ଉଠିପଡ଼ିଥିଲେ। ପ୍ରଥମେ ଚୋର ବୋଲି ଭାବି ସେମାନେ ପାଖ ପଡ଼ୋଶୀଙ୍କୁ ଡାକ ପକାଇଥିଲେ। ତେବେ ବିମଳ ଟର୍ଚ୍ଚ ଲାଇଟ୍‌ ପକାଇବା ପରେ ଗ୍ରିଲ୍ ନିକଟରେ ବିଶାଳ ଦନ୍ତା ଠିଆ ହୋଇ ଗ୍ରିଲକୁ ପେଲୁଥିବା ଦେଖିଥିଲେ। ବିମଳଙ୍କ ପାଟି ଶୁଣି ହାତୀଟି ଧୀ‌ରେ ଧୀରେ ବାଡ଼ିରୁ ବାହାରି ଯାଇଥିଲା। ହାତୀ ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀମାନେ ଏକାଠି ହୋଇ ନିଆଁ ହୁଳା ଧରି ହାତୀକୁ ପିଛା କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ଦନ୍ତା ସହ ଆଉ ଗୋଟିଏ ବଡ଼ ହାତୀ ମଧ୍ୟ ଗାଁ ପଛପଟେ ବୁଲୁଥିବା ଦେଖିବାକୁ ମିଳିଥିଲା। ଲୋକଙ୍କ ପାଟିତୁଣ୍ଡ ଶୁଣି ସେମାନେ ଗହୀର ଦେଇ ରତନପୁର ଜଙ୍ଗଲ ଆଡ଼କୁ ପଳାଇଥିଲେ। ପରେ ଜଣାପଡ଼ିଥିଲା ‌ଯେ ଦନ୍ତା ହାତୀଟି ଯୁଧିଷ୍ଠିର ମୁଦୁଲିଙ୍କ କବାଟକୁ ଭାଙ୍ଗି ଦେଇଛି ଓ ଆଉ କେତେକଙ୍କ ପାଚେରିକୁ ଭାଙ୍ଗି ପକାଇଛି। ଏବେ ଗହୀରରେ ଖାଇବାକୁ ଧାନ ନଥିବାରୁ ହାତୀମାନେ ଗାଁ ମୁହାଁ ହୋଇଥିବା ଅନୁମାନ କରାଯାଉଛି। ପୂର୍ବରୁ ଖଳା ବାଡ଼ିରୁ ଧାନ ନେଇ ଯାଉଥିବା ହାତୀମାନେ ଏବେ ଖାଦ୍ୟ ପାଇଁ ଲୋକଙ୍କ ଘର ଉପରେ ଆକ୍ରମଣ କରିବା ଅନୁମାନ କରାଯାଉଛି। ଗ୍ରାମବାସୀଙ୍କ କହିବା କଥା ସାଧାରଣତଃ ଶୀତ ବା ଖରା ଦିନେ ହାତୀମାନେ ଗାଁ ମୁହାଁ ହୋଇଥାଆନ୍ତି। ମାତ୍ର ଚଳିତବର୍ଷ ବର୍ଷା ଦିନରେ ହାତୀମାନେ ଏଭଳି ଆଚରଣ କରୁଥିବାରୁ ଭୟର ବାତାବରଣ ଖେଳି ଯାଇଛି। ବାତ୍ୟା ଫନି ପାଇଁ ଚନ୍ଦକା ଜଙ୍ଗଲରେ ବ୍ୟାପକ ବାଉଁଶ ଗଛ ନଷ୍ଟ ହୋଇଥିବାରୁ ଏବେ ହାତୀମାନଙ୍କ ପାଇଁ ଖାଦ୍ୟ ସଂକଟ ଦେଖା ଦେଇଛି। ତେଣୁ ହାତୀମାନେ ଗାଁକୁ ଆକ୍ରମଣ କରିବା ଭୟ ବଢ଼ି ଯାଇଛି। ସକାଳୁ ଖବର ପାଇ ଖୋର୍ଧା ଓ ହଳଦିଆ ରେଂଜ୍‌ର କର୍ମଚାରୀମାନେ ପଳାସପୁର ଗାଁରେ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଆର୍‌ଆଇଙ୍କ ରିପୋର୍ଟ ମିଳିବା ପରେ ସମସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଲୋକଙ୍କ ଦାବି ଅନୁସାରେ ଆଜିଠାରୁ ପାଟ୍ରୋଲିଂ କଡ଼ାକଡ଼ି ହେବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର