ରାଜଧାନୀ ଉପକଣ୍ଠରେ ହାତୀ ଆତଙ୍କ: ୫୦ ଏକର ଧାନ ଫସଲ ଦଳିଦେଲେ

ମେଣ୍ଢାଶାଳ: ରାଜଧାନୀ ଉପକଣ୍ଠ ଅନ୍ଧାରୁଆ, ଦାମପୁର, ଭରତପୁର, ସାଁପୁର, ମଳିପଡ଼ା, ଚନ୍ଦକା, କଣ୍ଟାବାଡ଼, ଗିରିଙ୍ଗାପୁଟ, ମେଣ୍ଢାଶାଳ, ଦେଉଳିଆପାଟଣା, ମଦନପୁର ଓ ଅରିଶଲ ଆଦି ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ନିକଟସ୍ଥ ଚନ୍ଦକା ଜଙ୍ଗଲରୁ ଏକ ୩ଟିକିଆ ହାତୀପଲ ଏବେ ଏହି ସବୁ ଅଞ୍ଚଳରେ ଘୂରି ବୁଲି ବ୍ୟାପକ କ୍ଷୟକ୍ଷତି କରୁଥିବା ଅଭିଯୋଗ ହେଉଛି। ପ୍ରାୟ ୫୦ ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରିବା ସହ ଅରିଶଲ ଗାଁରେ ପଶି ଏକ ପଥର ପାଚେରି ଭାଙ୍ଗି ଦେଇଛନ୍ତି। ଏହି ହାତୀପଲରେ ଗୋଟିଏ ଦନ୍ତା, ଗୋଟିଏ ମାଈ ଓ ଗୋଟିଏ ଛୁଆ ହାତୀ ରହିଥିବା ଅଞ୍ଚଳବାସୀ କହିଛନ୍ତି। କିଛି ଦିନ ତଳେ ଭରତପୁର ଜଙ୍ଗଲ ରାସ୍ତାକୁ ଲାଗି ଏକ ଖାଲରେ ଏହି ହାତୀମାନେ ଜଳକ୍ରୀଡ଼ା କୁରଥିବା ଦେଖାଯାଇଥିଲା। ସଂଧ୍ୟା ହେଲେ ଏମାନେ ଖାଦ୍ୟ ଅନେ୍ଵଷଣରେ ଜଙ୍ଗଲରୁ ବାହାରି ଜନବସତିମୁହାଁ ହେଉଛନ୍ତି। ତେଣୁ ଏହି ହାତୀପଲଙ୍କୁ ଶୀଘ୍ର ଏଠାରୁ ଘଉଡ଼ାଇବା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର