ନନ୍ଦନକାନନର ହାତୀ ବାସନ୍ତୀ ଅସୁସ୍ଥ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହାତୀ ସଫାରିରେ ରହୁଥିବା ମାଈ ହାତୀ ବାସନ୍ତୀ(୫୫) ଅସୁସ୍ଥ ହୋଇପଡ଼ିଥିବା ଜଣାଯାଇଛି। ସେ ବଦହଜମି ରୋଗରେ ଆକ୍ରାନ୍ତ ହୋଇଛି। ତା’ ଆଗରେ ପକା ଯାଉଥିବା ପସନ୍ଦର ଘାସ, କଦଳୀ ଗଛ ଓ ବର ଡାଳକୁ ସେ ଆଡ଼ ଆଖିରେ ଚାହୁଁ ନାହିଁ। ଠିକ୍ ଭାବେ ଖିଆପିଆ ନକରି ମାନ୍ଦାଳିଆ ରହୁଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଚିକିତ୍ସକ ଔଷଧ ଦେଇ ଚିକିତ୍ସା କରିବା ପରେ ତା’ ସ୍ୱାସ୍ଥ୍ୟ ଅବସ୍ଥାରେ ସାମନ୍ୟ ପରିବର୍ତ୍ତନ ଆସିଛି। କେବଳ ପକା ଯାଇଥିବା ଘାସକୁ ଏଣେ ତେଣେ ଫିଙ୍ଗିବା ପରେ କିଛି କିଛି ଖାଉଥିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ୨୧ବର୍ଷ ବୟସର ହୋଇଥିବା ବେଳେ ବାସନ୍ତୀକୁ ୧୯୮୫ ଅକ୍ଟୋବର ୧୩ ତାରିଖରେ ମାଡ୍ରାସର ଭନ୍ଦାଲୁରରୁ ନନ୍ଦନକାନନକୁ ଅଣାଯାଇଥିଲା। ୧୯୮୭ ନଭେମ୍ବର ୨୮ ତାରିଖରେ ସେ ଚନ୍ଦକା ଅଭୟାରଣ୍ୟରେ ରହୁଥିବା ନନ୍ଦକୁ ଜନ୍ମ ଦେଇଥିଲା। ସେହିପରି ୨୦୧୬ ମସିହାରେ ନନ୍ଦନକାନନର ହାତୀ ସଫାରିରେ ଅନୁପ୍ରବେଶ କରିଥିବା ଚନ୍ଦକା ଜଙ୍ଗଲର ମାକନା ହାତୀ ଆକ୍ରମଣରେ ଆହତ ହୋଇଥିଲା। ନନ୍ଦନକାନନରେ ବର୍ତ୍ତମାନ ପ୍ରେମା, ବାସନ୍ତୀ, ହୀର, ଗୌରୀ, କମଳା, ଜୁଲି, ଚନ୍ଦନ ଓ ମାମାଙ୍କୁ ମିଶାଇ ମୋଟ ୮ଟି ହାତୀ ଅଛନ୍ତି।

ସମ୍ବନ୍ଧିତ ଖବର