ଓଡ଼ିଶାରେ ଏଲିଫ୍ୟାଣ୍ଟ ସେଲ୍‌ ଟିମ୍‌ : ମଣିଷ-ହାତୀ ସଂଘର୍ଷ ରୋକିବାକୁ ଅନୁଧ୍ୟାନ

ଯାଯାବର ହାତୀଙ୍କ ପାଇଁ ବଢ଼ୁଛି ସଂଘର୍ଷ

ଭୁବନେଶ୍ୱର : ମଣିଷ-ହାତୀ ସଂଘର୍ଷ(ଏଚ୍‌ଇସି) ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ପ୍ରତିବର୍ଷ ଶତାଧିକ ହାତୀ ଓ ମଣିଷ ପ୍ରାଣ ହରାଉଛନ୍ତି। ଓଡ଼ିଶା ସମେତ ସାରା ଦେଶରେ ଏହି ସମସ୍ୟା ଜଟିଳ ରୂପ ଧାରଣ କରିଥିବାରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏହାକୁ ଗୁରୁତ୍ବର ସହ ନେଇଛି। ସଂଘର୍ଷ ଏଡ଼ାଇବା ପାଇଁ ଜଙ୍ଗଲ ଭିତରେ ହିଁ ହାତୀଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇବା ଉପରେ ଗୁରୁତ୍ବାରୋପ କରାଯାଉଛି। ଏଥିଲାଗି ଏଲିଫ୍ୟାଣ୍ଟ ସେଲ୍‌ (ହାତୀ ସେଲ୍‌) ଟିମ୍‌ ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛି। କେଉଁ କାରଣ ଲାଗି ମଣିଷ-ହାତୀ ସଂଘର୍ଷ ହେଉଛି, ଏହାକୁ କିଭଳି ରୋକାଯାଇପାରିବ; ସେନେଇ ଅନୁଧ୍ୟାନ କରୁଛନ୍ତି। ୩ଦିନ ହେଲା ଏହି ସେଲ୍‌ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ମଣିଷ-ହାତୀ ସଂଘର୍ଷର କାରଣ ଅନୁଧ୍ୟାନ କରୁଛନ୍ତି।

ଗତ ୪ ତାରିଖରେ ହାତୀ ସେଲ୍‌ ଟିମ୍‌ ବାରିପଦା ଡିଭିଜନ୍ ପରିଦର୍ଶନ କରିଥିଲେ। ଗସ୍ତ ସମୟରେ ସେଲ୍‌ର ସଦସ୍ୟମାନେ ଏଠାରେ ହାତୀ ସଂରକ୍ଷଣ ଓ ଡିଭିଜନ୍‌ରେ ମଣିଷ-ହାତୀ ସଂଘର୍ଷ ସ୍ଥିତିର ମୂଲ୍ୟାଙ୍କନ କରିଥିଲେ। ପଶ୍ଚିମବଙ୍ଗରୁ ଓଡ଼ିଶା ପର୍ଯ୍ୟନ୍ତ ହାତୀଗୁଡ଼ିକର ବିଭିନ୍ନ ପ୍ରବେଶ ପଥ ପରିଦର୍ଶନ କରି ଏଚ୍‌ଇସି ପରିଚାଳନା ପାଇଁ ଗ୍ରାଉଣ୍ଡ ଲେଭଲ୍ ସ୍ଥିତିର ଆକଳନ ପାଇଁ ଗ୍ରାମବାସୀ, ସ୍କ୍ବାଡ୍‌ ଓ ବନ ବିଭାଗ କର୍ମଚାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ୫ତାରିଖରେ ହାତୀ ସେଲ୍‌ର ସଦସ୍ୟମାନେ ଶିମିଳିପାଳ ଉତ୍ତର ଡିଭିଜନ୍ ପରିଦର୍ଶନ କରି ହାତୀ ରିଜର୍ଭରେ ଲୋକଙ୍କ ବାସସ୍ଥାନ, ଶାଳ ଜଙ୍ଗଲ ମଧ୍ୟରେ ହାତୀକୁ ସଂରକ୍ଷଣ କରିବା ପାଇଁ ରାଜ୍ୟ ଜଙ୍ଗଲ ବିଭାଗ ଦ୍ୱାରା କରାଯାଇଥିବା ପ୍ରୟାସକୁ ଦେଖିଥିଲେ।

ବଡ଼ କଥା ହେଉଛି, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ହାତୀ ଓଡ଼ିଶା ଭିତରକୁ ପ୍ରବେଶ କରୁଥିବାରୁ ଅଧିକାଂଶ ସ୍ଥାନରେ ସଂଘର୍ଷ ହେଉଥିବା ଅଭିଯୋଗ ହେଉଛି। ତାହାକୁ ଅନୁଧ୍ୟାନ କରିବା ଲାଗି ଆଜି ହାତୀ ସେଲ୍‌ର ସଦସ୍ୟମାନେ ମୟୂରଭଞ୍ଜ ହାତୀ ଅଭୟାରଣ୍ୟ ଅଧୀନ ବାଲେଶ୍ବର ଡିଭିଜନ୍‌ର ନୀଳଗିରି ରେଞ୍ଜ ଗସ୍ତ କରିଥିଲେ। ପରିଦର୍ଶନ ସମୟରେ ସେମାନେ ଦେଖିବାକୁ ପାଇଥିଲେ ଯେ ଖାଦ୍ୟ ସନ୍ଧାନରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସୁଥିବା ହାତୀଙ୍କ ଯୋଗୁଁ ଅଞ୍ଚଳରେ ମଣିଷ-ହାତୀ ସଂଘର୍ଷ ବଢ଼ୁଛି। ମାଇଗ୍ରେଟୋରି(ଯାଯାବର/ଭ୍ରମଣଶୀଳ) ହାତୀଙ୍କ ଯୋଗୁଁ ଓଡ଼ିଶାର ଲୋକେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେଉଥିବା ଜାଣିବାକୁ ପାଇଛନ୍ତି।

ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଫସଲ ଅମଳ ସମୟରେ ପଡ଼ୋଶୀ ରାଜ୍ୟର ହାତୀମାନେ ଓଡ଼ିଶାକୁ ପ୍ରବେଶ କରୁଛନ୍ତି। କିଛି ଦିନ ରହିବା ପରେ ପୁଣି ଫେରି ଯାଉଛନ୍ତି, ଯେଉଁଥିଲାଗି ଏଭଳି ସମସ୍ୟା ହେଉଛି। ଉଭୟ ମଣିଷ ଓ ହାତୀଙ୍କ ଜୀବନ ବଞ୍ଚାଇବା ତଥା ସଂଘର୍ଷ ଏଡ଼ାଇବାକୁ ହେଲେ ମଣିଷ ଓ ହାତୀ ସହବାସନ ପ୍ରକ୍ରିୟା ନିତାନ୍ତ ଆବଶ୍ୟକ। ‌ହାତୀ ସେଲ୍‌ ଖୁବ୍‌ଶୀଘ୍ର ଏନେଇ ରିପୋର୍ଟ ଦେବେ।

ସମ୍ବନ୍ଧିତ ଖବର