ଟାଙ୍ଗୀରୁ ଉଦ୍ଧାର ହାତୀଛୁଆ ନନ୍ଦନକାନନରେ

ଖଣ୍ଡଗିରି: ଶୁକ୍ରବାର ଖୋର୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜରୁ ଉଦ୍ଧାର ୫ ମାସର ମାଈ ହାତୀ ଛୁଆକୁ ନନ୍ଦନକାନନରେ ଛଡ଼ା ଯାଇଛି। ମା’ ଓ ଦଳଠାରୁ ପରିତ୍ୟକ୍ତ ହେବା ପରେ ବନ ବିଭାଗ ଉପଯୁକ୍ତ ଚିକିତ୍ସା କରାଇ ତାକୁ ନନ୍ଦନକାନନରେ ରଖିଛି। ମଣିଷ ସଂସ୍ପର୍ଶରେ ଆସିଥିବାରୁ ହାତୀଛୁଆଟି ଆଉ ଦଳକୁ ଫେରିପାରିନଥିବା ପ୍ରମାଣିତ ହୋଇଛି। ପ୍ରଥମେ ମା’କୁ ଝୁରି ଝୁରିି କିଛି ଖାଉନଥିବା ହାତୀ ଛୁଆଟି ଏବେ କ୍ଷୀର ମିଶ୍ରିତ ଲାକ୍ଟୋଜେନ୍‌ ଖାଉଛି ଓ ବନ କର୍ମଚାରୀଙ୍କ ସହ ମିଶିବା ଆରମ୍ଭ କରିଛି ବୋଲି ଜଣାପଡ଼ିଛି।

ଖୋର୍ଧା ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗୋଠଛଡ଼ା ଏହି ହାତୀ ଛୁଆଟିକୁ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯିବା ପରେ ବନ କର୍ମଚାରୀମାନେ ତାକୁ ଦଳରେ ଛାଡ଼ିବା ପାଇଁ ଜଙ୍ଗଲ ନିକଟକୁ ନେଇଥିଲେ। ପୂର୍ବରୁ ହାତୀଛୁଆକୁ ନେବା ପାଇଁ ଅପେକ୍ଷା କରିଥିବା ହାତୀଦଳ ଯେଉଁ ଜଙ୍ଗଲ ଭିତରେ ଥିଲେ, ତାଠାରୁ ଅନତି ଦୂରରେ ଏକ ନାଳ ନିକଟରେ ହାତୀ ଛୁଆଟିକୁ ଛଡ଼ାଯାଇଥିଲା। ହାତୀ ଛୁଆର ଡାକ ଶୁଣି ମା’ ହାତୀ ଓ ଅନ୍ୟ ହାତୀମାନେ ତାକୁ ନେବା ପାଇଁ ଆସିଲେ, କିନ୍ତୁ କ’ଣ ହେଲା କେଜାଣି କିଛି ଦୂରରୁ ସେମାନେ ଫେରିଗଲେ। ମା’ ହାତୀଟି ବି ଛୁଆକୁ ନେବା ପାଇଁ ତା’ ନିକଟକୁ ଆସିଲା ନାହିଁ। ବିଚରା ଛୁଆଟି ମା’ ପାଖକୁ ଯିବା ପାଇଁ ନସରପସର ହୋଇ ଧାଇଁବାକୁ ଚେଷ୍ଟା କରୁକରୁ ନାଳ ଭିତରେ ପଡ଼ିଗଲା। ନାଳରେ ପଡ଼ି ଛୁଆଟି ଖୁବ୍‌ ଜୋର୍‌ରେ ଚିତ୍କାର କରୁଥିଲେ ବି ମା’ ହାତୀ ଓ ଅନ୍ୟମାନେ ଜଙ୍ଗଲ ଭିତରକୁ ଯାଇ ଅଦୃଶ୍ୟ ହୋଇଗଲେ। ପାଖରୁ ଥାଇ ନଜର ରଖିଥିବା ବନ ବିଭାଗ ଶେଷରେ ବାଧ୍ୟ ହୋଇ ନାଳରୁ ପୁଣି ହାତୀଛୁଆକୁ ବାହାର କରି ଆଣିଥିଲେ।

ଆଉ ହାତୀଦଳକୁ ଫେରିବା ସମ୍ଭାବନା ନଥିବା ଦେଖି ତାକୁ ତୁରନ୍ତ ଖୋର୍ଧା ପଶୁ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତା’ର ପ୍ରାଥମିକ ଚିକତ୍ସା କରାଯିବା ପରେ ଓୟୁଏଟି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ପ୍ରଫେସର୍‌ ନିରଂଜନ ସାହୁଙ୍କ ତତ୍ତ୍ୱାବଧାନରେ ପୁଣି ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା। କୂଅରେ ପଡ଼ିବା ଯୋଗୁଁ ଗୋଡ଼ରେ ହୋଇଥିବା କ୍ଷତର ଚିକିତ୍ସା କରାଯାଇଥିଲା। ପ୍ରଫେସର ଶ୍ରୀ ସାହୁ ସେହିଠାରେ ହିଁ ତାକୁ ଖାଇବା ପିଇବା କରାଇଥିଲେ। କିନ୍ତୁ ମା’କୁ ଝୁରି ହେଉଥିବା ବିଚରା ଛୁଆଟି ପ୍ରଥମେ କିଛି ଖାଇନଥିଲା। ଏମିତିକି ଖାଦ୍ୟରେ ମୁହଁ ଦେଇନଥିଲା। ମାତ୍ର ବନ କର୍ମଚାରୀମାନେ ତା’ ସହ ଖେଳାଖେଳି କରିବା ପରେ ସେ ଧୀରେ ଧୀରେ ବୁଝିଥିଲା ଓ ଖାଦ୍ୟ ଗ୍ରହଣ କରିଥିଲା। କିଛି ସମୟ ପରେ ହାତୀଛୁଆଟି ମା’କୁ ଭୁଲିଗଲା ଓ ବେଶ୍‌ ଭଲରେ କ୍ଷୀର ମିଶ୍ରିତ ଲାକ୍ଟୋଜେନ୍‌ ଖାଇଲା। ପରେ ତାକୁ ନନ୍ଦନକାନନକୁ ନିଆଯାଇଥିଲା। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ନନ୍ଦନକାନନ କର୍ତୃପକ୍ଷ ଏକ ସ୍ୱତନ୍ତ୍ର ଘର ବ୍ୟବସ୍ଥା କରିଥିଲେ। ତା’ ପାଇଁ ଏକ ନୂଆ ଇଣ୍ଡକ୍‌ସନ୍‌ ହିଟର ବ୍ୟବସ୍ଥା କରାଯାଇଥିଲା। ନନ୍ଦନକାନନରେ ପହଞ୍ଚିବା ପରେ ସେଠାରେ ତାକୁ ପୁଣି କ୍ଷୀର ଓ ଲାକ୍ଟୋଜେନ୍‌ ଦିଆଯାଇଥିଲା। ପ୍ରତି ୩ ଘଣ୍ଟାରେ ତାକୁ ଖାଇବାକୁ ଦିଆଯିବ ଓ ତା’ ପାଇଁ ୨ ଜଣଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି। କିଛି ଦିନ ପରେ ତାକୁ ଅନ୍ୟ ହାତୀମାନଙ୍କ ସହ ମିଶିବାକୁ ଦିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର