ପୁଣି ଫେରିଲେ ମାଖନା ଯୋଡ଼ି: ହାତୀ ଭୟରେ ବସ୍ତି ଛାଡ଼ି ଦୌଡ଼ିଲେ, ଦଳିଦେଲା ଅଟୋ ଓ ସ୍କୁଟି

ନାକେଦମ୍‌ କଲା ବାଟବଣା ମାଖ୍‌ନା

ଚନ୍ଦ୍ରଶେଖରପୁର/ବାରଙ୍ଗ/ମେଣ୍ଢାଶାଳ: ପୁଣି ଭରତପୁର ସଂରକ୍ଷିତ ଜଙ୍ଗଲକୁ ଫେରିଛନ୍ତି ମାଖନା ଯୋଡ଼ି। ଗତକାଲି ରାତିରେ ଫେରୁଫେରୁ ଆଜି ସେମାନଙ୍କ ଉପସ୍ଥିତି ଜାହିର୍ କରିଛନ୍ତି। ରାଜଧାନୀ‌ରେ ଆରମ୍ଭ କରି ଦେଇଛନ୍ତି ଉତ୍ପାତ। ବସ୍ତିରେ ପଶି ପାଚେରି ଭାଙ୍ଗିବା ସହ ଗୋଟିଏ ଅଟୋରିକ୍ସା ଓ ସ୍କୁଟିକୁ ଦଳି ପକାଇଛନ୍ତି। ସୌଭାଗ୍ୟକୁ କେହି ସିଧାସଳଖ ସେମାନଙ୍କ ହାବୁଡ଼ରେ ପଡ଼ି ନାହାନ୍ତି। ତେବେ ଲୋକଙ୍କ ହୋ-ହଲ୍ଲା, ଘଣ୍ଟ, ଘଣ୍ଟି ଶବ୍ଦକୁ ବେଖାତିର କରି ଏହି ଯୋଡ଼ି ପ୍ରାୟ ୪ଘଣ୍ଟା କାଳ ସେମାନଙ୍କ କାରନାମା ପ୍ରଦର୍ଶନ କରିଛନ୍ତି। ବହୁ କସରତ କରି ବନ କର୍ମଚାରୀମାନେ ସେମାନଙ୍କୁ ଜଙ୍ଗଲକୁ ଫେରାଇବାରେ ସକ୍ଷମ ହୋଇଛନ୍ତି।

ଆଜି ସକାଳୁ ପଥରଗାଡ଼ିଆ ନିକଟରେ ଲୋକେ ଏହି ଦୁଇ ମାଖନାଙ୍କୁ ପରିବା କିଆରିରେ ଦେଖିଥିଲେ। କିଛି ଚାଷୀଙ୍କ ବିଲରୁ ଯେତିକି ପରିବା ଖାଇ ନଥିଲେ, ତା’ଠାରୁ ଅଧିକ ଦଳିଚକଟି ନଷ୍ଟ କରିଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମା‌ନେ ସେଠାରେ ପହଞ୍ଚି ସେମାନଙ୍କୁ ଭରତପୁର ସଂରକ୍ଷିତ ଜଙ୍ଗଲକୁ ତଡ଼ିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ସେମାନେ ଜଙ୍ଗଲମୁହାଁ ନ ହୋଇ ଚୁନୁକୋଳି ଓ ବାରମାଣିଆ ବସ୍ତି ଦେଇ ଇନ୍‌ଫୋସିଟି ଆଡ଼କୁ ମୁହାଁଇଥିଲେ। ତେଣୁ ଚୁନୁକୋଳି ଓ ବାରମାଣିଆ ବସ୍ତି ଲୋକେ ଘଣ୍ଟ ଘଣ୍ଟି ବଜା‌ଇ ସେମାନଙ୍କୁ ତଡ଼ିବା ପାଇଁ ଚେଷ୍ଟା କରିଥିଲେ। ତେବେ ଏତିକିବେଳେ ଗୋଟିଏ ମାଖନା ଭଙ୍ଗା ଟ୍ରେଞ୍ଚ୍‌ ଦେଇ ଜଙ୍ଗଲ ଭିତରକୁ ପଳାଇଥିଲା। କିନ୍ତୁ ଅନ୍ୟଟି ଡରି ନଥିଲା। ସେ ଏକାମୁହାଁ ହୋଇ ବସ୍ତି ଆଡ଼କୁ ମାଡ଼ି ଚାଲିଲା। ତେଣୁ ଲୋକେ ପିଲାଛୁଆ ଧରି ବସ୍ତିରୁ ବାହାରି ଧାଇଁବାକୁ ଲାଗିଲେ। ମାଖନାଟି ଭିକାରୀ ବାରିକଙ୍କ ପାଚେରି ଭାଙ୍ଗି ପକାଇଲା। ଦାଣ୍ଡରେ ଥିବା ପୁଷ୍ପାଞ୍ଜଳି ସାହୁଙ୍କ ଅଟୋରିକ୍ସାକୁ ଦଳି ଦେଇଥିଲା। ପୁଣି ଆଗକୁ ମାଡ଼ି ଯାଇ ନୃସିଂହ ସାହୁଙ୍କୁ ସ୍କୁଟିକୁ ଦଳି ପକାଇଥିଲା। ସେଠାରୁ ସେ ଇନ୍‌ଫୋସିଟି ଆଡ଼କୁ ମୁହାଁଇଥିଲା। ତେଣୁ ସହର ଭିତରକୁ ପଶିଯିବ ବୋଲି ଭୟରେ ପ୍ରାୟ ସବୁ ସଫ୍ଟୱେୟାର୍‌ କମ୍ପାନିର ଫାଟକ ପଡ଼ିଗଲା। ଏହି ସମୟରେ ପୁଲିସ ପଥରଗାଡ଼ିଆ ଚନ୍ଦକା ରାସ୍ତାକୁ ସିଲ୍‌ କରିବାକୁ ବାଧ୍ୟ ହୋଇଥିଲା। ବନ କର୍ମଚାରୀମାନଙ୍କ ପାଟ୍ରୋଲିଂ ଭ୍ୟାନ୍‌ ତା’ ପାଖକୁ ମାଡ଼ି ଯିବାରୁ ସେ ଇନ୍‌ଫୋସିଟି ଭିତରକୁ ନ ପଶି ପୁଣି ପଛକୁ ଫେରି ଜଙ୍ଗଲମୁହାଁ ହେଲା। ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ ମାଖନା ଭରତପୁର ସଂରକ୍ଷିତ ଜଙ୍ଗଲରେ ପଶିଥିଲା।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏହି ମାଖନା ‌ଯୋଡ଼ି ଗତ କିଛି ମାସ ହେଲା ଚନ୍ଦକା ଅଭୟାରଣ୍ୟରୁ ବାହାରକୁ ପଳାଇଥିଲେ। ଏବେ ବର୍ଷା ଦିନ ଆସିବାରୁ ପୁଣି ଫେରିଛନ୍ତି। ଦୁଇ ବର୍ଷ ପୂର୍ବେ ଏହି ମାଖନା ଅନ୍ଧାରୁଆ, ଦାସପୁରରେ ମଇଁଷି ମାରିଥିଲେ। ତେଣୁ ଏଥର ବି ସେହି ଭୟ ରହିଛି। ମାଖନା ମଣିଷ ମାରୁ ନାହାନ୍ତି ବୋଲି ବନ ବିଭାଗ କହୁଥିଲେ ହେଁ ଏବେ ଏହି ମାଖନା ଯୋଡ଼ି ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଆଜି ଭଳି ଯଦି କେବେ ସେମାନେ ପୁଣି ବସ୍ତିରେ ପଶିବେ, ତେବେ ମଣିଷ କ୍ଷତି ହେବା ନିଶ୍ଚିତ ବୋଲି ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମେଣ୍ଢାଶାଳ ଅଞ୍ଚଳରେ ବୁଲୁଥିବା ମାଈହାତୀକୁ ନେଇ ଏବେ ମେଣ୍ଢାଶାଳ, କଣ୍ଟାବାଡ଼ ଆଦି ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ସମ୍ବନ୍ଧିତ ଖବର