ମେଣ୍ଢାଶାଳ/ ତ୍ରିଶୁଳିଆ: ଖାଦ୍ୟ ଅନ୍ୱେଷଣରେ ରାଜଧାନୀ ମୁହାଁ ହୋଇଛନ୍ତି ହାତୀପଲ। ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହ ପ୍ରାୟ ୧୦ ଏକର ଜମିରେ ଧାନ ଫସଲ ନଷ୍ଟ କରିଛନ୍ତି। ସେହିପରି ଡମପଡ଼ା ଜଙ୍ଗଲରୁ ଗତକାଲି ରାତିରେ ଆସିଥିବା ହତୀପଲ ମଧ୍ୟରୁ ମୁଣ୍ଡଳି ବ୍ରିଜ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ପାର୍ଶ୍ବ ଜଙ୍ଗଲରେ ଦୁଇଟି ମାଈ ହାତୀ ରହିଯାଇଛନ୍ତି।
ଚନ୍ଦକା ଅଭୟାରଣ୍ୟରୁ ଗୋଟାଏ ଦନ୍ତା ଓ ଗୋଟିଏ ମାଈ ହାତୀ ଆସି ଅନ୍ଧାରୁଆ, ଦାସପୁର, ଭରତପୁର ଅଞ୍ଚଳରେ ଫସଲ ନଷ୍ଟ କରୁଥିବା ବେଳେ ଗତ ଦୁଇ ଦିନ ଧରି କଣ୍ଟାବାଡ଼, ଗିରିଙ୍ଗାପୁଟ, ମେଣ୍ଢାଶାଳ, ଛତାବର ବିଞ୍ଜଗିରି ଓ ଅଙ୍ଗାରପଡ଼ା ଗ୍ରାମର ଗହିରରେ ପଶି ଥୋଡ଼ ଧାନ ନଷ୍ଟ କରୁଛନ୍ତି। ଏହି ହାତୀ ଦୁଇଟି ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ବାହାରି ଆସୁଛନ୍ତି। ସେହିପରି ଗତକାଲି ବିଞ୍ଜଗିରି ମୌଜା ଅଙ୍ଗାରପଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ବେହେରା, ଯୁଧିଷ୍ଠିର ବେହେରା, ବ୍ରହ୍ମଚାରୀ ବେହେରା, କାଳନ୍ଦୀ ପ୍ରଧାନ, ପ୍ରମୋଦ କୁମାର ବେହେରାଙ୍କ ଗଡ଼ବନ୍ଧ ମାଳରେ ଥିବା ୧୦ଏକର ଥୋଡ଼ ଧାନ ଫସଲକୁ ନଷ୍ଟ କରିଦେଇଛନ୍ତି। ଏହାକୁ ନେଇ ଏବେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି। ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏହାର କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, କାଠ ମାଫିଆମାନେ ଚନ୍ଦକା ଜଙ୍ଗଲରୁ ସାଇକେଲରେ କାଠ ଚୋରି କରିବା ଲାଗି ଅନେକ ସ୍ଥାନରେ ଜଙ୍ଗଲ କଡ଼ରେ ଥିବା ଟ୍ରେଞ୍ଚକୁ ପୋତି ପକାଇଛନ୍ତି। ଫଳରେ ହାତୀ ପଲ ସେହି ରାସ୍ତାରେ ଅଭୟାରଣ୍ୟରୁ ବାହାରି ଆସୁଛନ୍ତି। ବନ କର୍ମଚାରୀ ମାନଙ୍କର କାଠଚୋରଙ୍କ ସହିତ ସଲାସୁତୁରା ରହିଛି। ଯାହାର ପ୍ରଭାବ ସାଧାରଣ ଚାଷୀଙ୍କ ଉପରେ ପଡ଼ୁଛି। ଫସଲ ନଷ୍ଟ ବାବଦରେ କ୍ଷତିପୂରଣ ନ ମିଳିଲେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି।
ଅପରପକ୍ଷରେ ସୋମବାର ସକାଳୁ ମୁଣ୍ଡଳି ବ୍ରିଜ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ପାର୍ଶ୍ବ ଜଙ୍ଗଲରେ ଦୁଇଟି ମାଈ ହାତୀ ରହିଥିବା ଲୋକ ଦେଖିବାକୁ ପାଇଥିଲେ। ରବିବାର ବିଳମ୍ବିତ ରାତ୍ରିରେ କିଛି ହାତୀ ଡମପଡ଼ା ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହୋଇଥିଲେ। ସେମାନେ ରାତ୍ରିରେ କୁଅମଡ଼ା ଗହିର ହୋଇ ମୁଣ୍ଡଳି ଗହିରରେ ଧାନ ଖାଇବା ପାଇଁ ପଶିଥିଲେ। ସକାଳ ହୋଇଯିବାରୁ ସେମାନେ ଜଙ୍ଗଲକୁ ଯାଇନପାରି ମୁଣ୍ଡଳି ପୁରୀ ମୁଖ୍ୟ କେନାଲ ପାଖ ଜଙ୍ଗଲରେ ରହିଯାଇଥିଲେ। ସକାଳୁ ଲୋକମାନେ ଦେଖି ଡମପଡ଼ା ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଏକ ଟିମ ଦିନସାରା ହାତୀ ଦୁଇଟି ଉପରେ ନଜର ରଖିଥିଲେ। ଅପରାହ୍ଣ ସାଢ଼େ ୪ଟା ବେଳେ ହାତୀ ଦୁଇଟି ଜଙ୍ଗଲରୁ ବାହାରି ନୂଆସାହି ରାସ୍ତା ଦେଇ ବାଆଁରା ଗହିରକୁ ଯାଇଥିଲେ। କଟକ-ବାଙ୍କୀ ରାସ୍ତାରେ ଗହଳି ଥିବାରୁ ସେମାନେ ସେହି ଗହିରରେ ଅଟକି ଯାଇଛନ୍ତି। ତାଙ୍କ ଉପରେ ବନବିଭାଗର କର୍ମଚାରୀ ମାନେ ନଜର ରଖିଛନ୍ତି। ରାତି ହେଲେ ସେମାନେ ଡମପଡ଼ା ଜଙ୍ଗଲକୁ ଚାଲି ଯିବେ ବୋଲି ଡମପଡ଼ା ରେଞ୍ଜ ଅଧିକାରୀ ସଂଗ୍ରାମ କେଶରୀ ମହାନ୍ତି କହିଛନ୍ତି।