ନିରାକାରପୁର: ଟାଙ୍ଗୀ ବନାଞ୍ଚଳ ସରପାରି ପଞ୍ଚାୟତ ଅନ୍ତର୍ଗତ ବାଁ ବରଡା ମୈାଜା ଚାରିବାଟିଆ ଗହୀର ମଲାଗୁଣୀ ନଦୀପଠାରେ ୩ ଦିନ ହେବ ଅସୁସ୍ଥ ହୋଇ ପଡ଼ି ରହିଥିବା ମାଈ ହାତୀଟିର ଉପଯୁକ୍ତ ଚିକିତ୍ସା ଅଭାବରୁ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ତିନିଦିନ ତଳେ ହାତୀଟି ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଖବର ପାଇ ବନ ବିଭାଗ କର୍ମଚାରୀମାନେ ଆସି ପହଞ୍ଚିଥିଲେ। ବିଶେଷଜ୍ଞ ଦଳକୁ ନ ଡାକି ସ୍ଥାନୀୟ ପ୍ରାଣୀଧନ କର୍ମଚାରୀଙ୍କୁ ଡାକି ସାମାନ୍ୟ ଇଞ୍ଜେକ୍ସନ୍ ଦେବା ସହ ଦମକଳ ସହାୟତାରେ ହାତୀ ଉପରକୁ ପାଣିମାଡ଼ କରିଥିଲେ। ତେବେ ହାତୀର ମଳ ଓ ପରିସ୍ରା ପରୀକ୍ଷା ପାଇଁ ନିଆଯିବା ସହ ପ୍ରବଳ ଅମ୍ଲ କାରଣରୁ ହାତୀର ଏଭଳି ଅବସ୍ଥା ହୋଇଥିବା ଟାଙ୍ଗୀ ରେଞ୍ଜର ଅଜୟ ଜଗଦ୍ଦେବ ସୂଚନା ଦେଇଥିଲେ। ତେବେ ଦମକଳ ସାହାଯ୍ୟରେ ପ୍ରବଳ ପାଣି ମାଡ଼ ସହ ଅଦିନିଆ ବର୍ଷାରେ ପଙ୍କରେ ଲଟପଟ ହୋଇ ଗତକାଲି ରାତ୍ରିରେ ହାତୀଟିର ମୃତ୍ୟୁ ଘଟିଥିଲା। ଉପଯୁକ୍ତ ଚିକିତ୍ସା ସାଙ୍ଗକୁ ଆବଶ୍ୟକ ଯତ୍ନ ଅଭାବରୁ ହାତୀଟିର ମୃତ୍ୟୁ ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ଦୁଃଖର ବିଷୟ ହାତୀଟି ଅସୁସ୍ଥ ଅବସ୍ଥାରେ ଥିବା ବେଳେ କୌଣସି ଉଚ୍ଚପଦସ୍ଥ କର୍ମଚାରୀମାନଙ୍କ ଦେଖାମିଳିନଥିବା ବେଳେ ହାତୀ ମରିବା ମାତ୍ରେ ବର୍ଷା ରାତିରେ ଜଙ୍ଗଲ ରାସ୍ତା ଦେଇ ଅନ୍ୟସ୍ଥାନକୁ ନେଇ ଶବ ବ୍ୟବଛେଦ କରାଯାଇ ପୋତାଯିବାର ରହସ୍ୟ କ’ଣ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଟାଙ୍ଗୀ ରେଞ୍ଜର ଶ୍ରୀ ଜଗଦ୍ଦେବଙ୍କୁ ପଚାରିବାରୁ ଟାଙ୍ଗୀ ପଥରବନ୍ଧଠାରେ ଥିବା ନର୍ସରୀରେ ଶବ ବ୍ୟବଛେଦ କରାଯାଇ ପୋତା ଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପ୍ରକାଶ।
ଚିକିତ୍ସା ଅବହେଳାରୁ ଅସୁସ୍ଥ ହାତୀର ମୃତ୍ୟୁ
/sambad/media/post_attachments/wp-content/uploads/2020/03/cdg98j7g98j7dg98j7dg98j7dg98jdgjdgjgdjgjdgjddgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)