ବାଉଁଶ ମୋହରେ ଆଠଗଡ଼ ହାତୀ, ପୂର୍ବ ସ୍ଥିତିକୁ ଫେରୁଛି ଭରତପୁର ସଂରକ୍ଷିତ ଜଙ୍ଗଲ

ଚନ୍ଦ୍ରଶେଖରପୁର: ହାତୀ ଶୂନ୍ୟ ହୋଇଥିବା ଭରତପୁର ସଂରକ୍ଷିତ ଜଙ୍ଗଲ ପୂର୍ବ ସ୍ଥିତିକୁ ଫେରିବ। କଂକ୍ରିଟ୍‌ ଜଙ୍ଗଲ ଘେରି ରହିଥିବା ଏହି ସବୁଜିମା ଜଙ୍ଗଲ ପୁଣିଥରେ ହାତୀଙ୍କ ବାସସ୍ଥଳୀ ପାଲଟିବ। ଜଙ୍ଗଲ ସଫାରିରେ ବୁଲିବା ସମୟରେ ପର୍ଯ୍ୟଟକ ହାତୀଙ୍କ ଚଳପ୍ରଚଳ ଦେଖିବାକୁ ପାଇବେ। ବର୍ଷେ ହେଲା ଏଠାରେ ହାତୀଙ୍କ ସଂଖ୍ୟାକୁ ଦେଖି ପରିବେଶବିତ୍‌ମାନେ ଏ‌ଭଳି ଆକଳନ କରୁଛନ୍ତି। ବାତ୍ୟା ‘ଫନି’ରେ ଭରତପୁର ଜଙ୍ଗଲରେ ବ୍ୟାପକ ଗଛ ନଷ୍ଟ ହେବା ସହ ବଡ଼ ବଡ଼ ବାଉଁଶ ଗଛ ଉପୁଡି ପଡ଼ିବାରୁ କିଛି ଦିନ ପର୍ଯ୍ୟନ୍ତ ଖାଦ୍ୟ ଅଭାବ ପରିଲକ୍ଷିତ ହୋଇଥିଲା। ହାତୀ ସ‌ମେତ ଆଉ କିଛି ଜୀବଜନ୍ତୁ ଜଙ୍ଗଲ ଛାଡ଼ି ପଳାଇଥିବା ମଧ୍ୟ ଚର୍ଚ୍ଚା ହେଲା। ତେବେ ବନ ବିଭାଗର ଅକ୍ଳାନ୍ତ ଉଦ୍ୟମ ଫଳରେ କିଛି ଦିନ ମଧ୍ୟରେ ପୂର୍ବ ସ୍ଥିତି ଫେରିଆସିଲା। ନୂଆ ବାଉଁଶ ଗଛ ଲଗାଯିବା ସହ ହଜାର ହଜାର ଅନ୍ୟାନ୍ୟ ବୃକ୍ଷରୋପଣ ପରେ ଏବେ ସବୁଜିମାରେ ଭରପୁର ହୋଇଛି ଭରତପୁର ଜଙ୍ଗଲ। ଆଉ ଏହା ଏବେ ହାତୀଙ୍କ ବାସସ୍ଥଳୀ ପାଲଟିବାକୁ ଯାଉଛି। ଗତ ୮ ମାସ ହେଲା ହାତୀଗୁଡ଼ିକ ଏହି ଜଙ୍ଗଲ ଛାଡ଼ି ଯାଉ ନାହାନ୍ତି। ଦିନେ ହାତୀ ଶୂନ୍ୟ ହୋଇପଡ଼ିଥିବା ଏହି ସଂରକ୍ଷିତ ଜଙ୍ଗଲରେ ଏବେ ୧୪ଟି ହାତୀ ରହୁଛନ୍ତି। କେତେବେଳେ ୪ ଟିକିଆ ହାତୀ ପଲ ତ ଆଉ କେତେବେ‌ଳେ ୧୦ ଟିକିଆ ହାତୀ ପଲ ଏଠାକୁ ଆସୁଛନ୍ତି। ଆଠଗଡ଼ ଓ ଖୋର୍ଧା ବନଖଣ୍ଡ ଡିଭିଜନ୍‌ରୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଯେଉଁ ହାତୀ ପଲ ଆସୁଛନ୍ତି ସେମାନେ ଭରତପୁର ରହିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।
ଚନ୍ଦକା-ଡମପଡ଼ା ଡିଏଫ୍‌ଓ କେଦାରନାଥ ସ୍ବାଇଁଙ୍କ କହିବାନୁଯାୟୀ ହାତୀମାନଙ୍କ ଖାଦ୍ୟ ଲାଗି ଭରତପୁର ଜଙ୍ଗଲରେ ପ୍ରଚୁର ପରିମାଣର ବାଉଁଶ ଗଛ ରହିଛି। ବର୍ଷା ଦିନେ ବାଉଁଶ କଢ଼ି ଧରିଥିବାରୁ ହାତୀଙ୍କ ଲାଗି ଖାଦ୍ୟ ହେଉଛି। ଆଠଗଡ଼ ଆଡ଼ୁ ଆସିଥିବା ଏହି ହାତୀ ପଲରେ ୩ଟି ଛୁଆ ରହିଥିବାରୁ ସେମାନେ କଢ଼ି ମୋଡ଼ି ଖାଉଥିବା ଦେଖିବାକୁ ମିଳୁଛି। ଏତେ ସଂଖ୍ୟକ ହାତୀ ରହିଥିବାରୁ ବନ ବିଭାଗର ଏକ ସ୍ବତନ୍ତ୍ର ଦଳ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି। ଚଳିତବର୍ଷ ଏହି ଅଭୟାରଣ୍ୟରେ ବାଉଁଶ ସମେତ ଖାଦ୍ୟ ଉପଯୋଗୀ ଅନ୍ୟାନ୍ୟ ବୃକ୍ଷରୋପଣ ଲାଗି ଯୋଜନା ହୋଇଛି। ହାତୀଙ୍କ ବ୍ୟତୀତ ବାର୍‌ହା, ସମ୍ବର, ନେଉଳ, ବଣ ବିଲେଇ, ଠେକୁଆ, ହରିଣ, କୋକିଶିଆଳି, ମୟୂର ପରି ବନ୍ୟଜନ୍ତୁ ରହୁଥିବାରୁ ସେମାନଙ୍କ ଖାଦ୍ୟ ଓ ପାନୀୟ ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି। ୨୦୧୯ରେ ୨ ଲକ୍ଷ ଚାରା ରୋପଣ କରାଯାଇଥିବା ବେଳେ ଏଥର ଏକ ଲକ୍ଷ ଚାରା ରୋପଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବାନୁଯାୟୀ ଭରତପୁର ସଂରକ୍ଷିତ ଜଙ୍ଗଲରେ ହାତୀଙ୍କ ପାଇଁ ପ୍ରଚୁର ଖାଦ୍ୟ ମହଜୁଦ ରହିଛି। ଦୁଇ ଦଶନ୍ଧି ତଳେ ଏହି ଜଙ୍ଗଲ ହାତୀଙ୍କ ବାସସ୍ଥଳୀ ରହିଥିଲା। ୨୦ରୁ ଅଧିକ ହାତୀ ନିୟମିତ ଭାବେ ରହୁଥିଲେ। ଜଙ୍ଗଲ ନଷ୍ଟ ହେବା, ହାତୀଙ୍କ ଲାଗି ଜଙ୍ଗଲରେ ଉପଯୁକ୍ତ ଖାଦ୍ୟର ଅଭାବ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଜନବସତୀ ବଢ଼ିବା, କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି ହେବାରୁ ହାତୀଙ୍କ ଲାଗି ବିପଦ ସୃଷ୍ଟି ହେଲା। ସେମାନେ ଖାଦ୍ୟ ଅନ୍ବେଷଣରେ ବାହାର ଜଙ୍ଗଲକୁ ଚାଲିଯାଉଥିଲେ। ବାତ୍ୟା ‘ଫନି’ ପରେ ଭରତପୁର ଜଙ୍ଗଲରେ ବ୍ୟାପକ ବାଉଁଶ ଗଛ ଲଗାଯିବା, ପର୍ଯ୍ୟାପ୍ତ ଜଳାଶୟ ସୃଷ୍ଟି ହେବା ଦ୍ବାରା ହାତୀଙ୍କୁ ଖାଦ୍ୟ ମିଳୁଛି। ବର୍ଷା ଦିନେ ବାଉଁଶ କଢ଼ି ଧରିଥିବାରୁ ଏହି ହାତୀ ପଲ କିଛି ମାସ ଧରି ରହିବେ। ଯଦି ଏଭଳି ସ୍ଥିତି ଲାଗି ରୁହେ ଏହି ଜଙ୍ଗଲ ପୁଣିଥରେ ହାତୀଙ୍କ ବାସସ୍ଥଳୀ ପାଲଟିପାରିବ।

ସମ୍ବନ୍ଧିତ ଖବର