ଚନ୍ଦ୍ରଶେଖରପୁର: ଭରତପୁର ସଂରକ୍ଷିତ ଜଙ୍ଗଲର ପାଚେରି ଓ ଟ୍ରେଞ୍ଚ୍କୁ ମରାମତି କରାଯାଉ ନଥିବାରୁ ରାଜଧାନୀକୁ ହାତୀ ଭୟ ଘାରିଛି। ଏବେ ଚନ୍ଦକା ଅଭୟାରଣ୍ୟକୁ ୨୦ରୁ ଅଧିକ ହାତୀ ଆସିଥିବାରୁ ଭରତପୁର ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ବସ୍ତିବାସିନ୍ଦାମାନଙ୍କ ନିଦ ହଜି ଯାଇଛି। ସେହିଭଳି ଦୁଇ ସପ୍ତାହ ପୂର୍ବେ ଇନ୍ଫୋସିଟି ନିକଟରୁ ଜଙ୍ଗଲକୁ ଫେରି ଯାଇଥିବା ଏକ ଦନ୍ତା ହାତୀର ତାଣ୍ଡବ କଥାକୁ ମଧ୍ୟ ରାଜଧାନୀବାସୀ ଭୁଲି ପାରିନାହାନ୍ତି। ଭଙ୍ଗା ପାଚେରି ଓ ପୋତି ହୋଇପଡ଼ିଥିବା ଟ୍ରେଞ୍ଚ ମରାମତି ନହେଲେ ହାତୀମାନେ ସହର ଭିତରକୁ ପଶି ଆସିବା ଭୟରେ ରାଜଧାନୀବାସୀ ଆତଙ୍କିତ ହୋଇପଡ଼ିଛନ୍ତି।
ସୂଚନାନୁସାରେ, ପଥରଗାଡ଼ିଆ ଗଣେଶ ନଗରଠାରୁ ମୈତ୍ରୀବିହାର ପର୍ଯ୍ୟନ୍ତ ଥିବା ଭରତପୁର ସଂରକ୍ଷିତ ଜଙ୍ଗଲର ପାଚେରି ୩ଟି ସ୍ଥାନରେ ଭାଙ୍ଗି ପଡ଼ିଛି। ଭଙ୍ଗା ପାଚେରି ନିକଟରେ ଟ୍ରେଞ୍ଚ୍ ମଧ୍ୟ ପୋତି ହୋଇପଡ଼ିଛି। ଫଳରେ ସେହି ବାଟ ଦେଇ ହାତୀମାନେ ଜନବସତି ଭିତରକୁ ପଶି ଆସୁଛନ୍ତି। ସ୍ଥାନୀୟ ବାସିନ୍ଦା ଦିଲ୍ଲୀପ ମହାନ୍ତି ଓ ହନୁମାନ ମାନସିଂଙ୍କ କହିବା କଥା, ବନ ବିଭାଗ ଏହି ଭଙ୍ଗା ପାଚେରି ଓ ପୋତି ହୋଇପଡ଼ିଥିବା ଟ୍ରେଞ୍ଚ ବାବଦରେ ଜାଣିଥିଲେ ମଧ୍ୟ ମରାମତି କରିବା ନାଁ ଧରୁ ନାହିଁ। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବନ ବିଭାଗ ଶୁଣୁନାହିଁ। ଅନ୍ୟପକ୍ଷରେ କିଛି ଅସାଧୁ ବ୍ୟକ୍ତିବିଶେଷ ଅଭୟାରଣ୍ୟ ଟ୍ରେଞ୍ଚ୍କୁ ପଥର ଓ ମାଟି ପକାଇ ପୋତି ପକାଉଛନ୍ତି ଓ ପାଚେରିରୁ ପଥର ଖସାଇ ଜଙ୍ଗଲ ଭିତରକୁ ବାଟ କରୁଛନ୍ତି। ସେମାନେ ଅଭୟାରଣ୍ୟ ଭିତରେ ପଶି ଜାଳେଣୀ କାଠ ସଂଗ୍ରହ ବାହାନାରେ ଗଛ କାଟୁଛନ୍ତି ଓ ଅନେକ ସମୟରେ ବନ୍ୟଜନ୍ତୁମାନଙ୍କୁ ଶିକାର କରୁଛନ୍ତି। ବସ୍ତିବାସିନ୍ଦାମାନେ ଫାଶ ବସାଇ ହରିଣ ଶିକାର କରୁଛନ୍ତି। ଆଉ କିଛି ମଦ ରାନ୍ଧିବା ପାଇଁ ଅଭୟାରଣ୍ୟକୁ ନିରାପଦ ସ୍ଥାନ ଭାବେ ବାଛି ନେଇଛନ୍ତି। ବଣବୁଦା ଭିତରେ ଲୁଚାଚୋରାରେ ହାଣ୍ଡିଆ ରାନ୍ଧି ଆଦିବାସୀ ଲୋକଙ୍କୁ ବିକ୍ରି କରୁଛନ୍ତି। ଏହା ସବୁଠାରୁ ବଡ଼ ବିପଜ୍ଜନକ କଥା ବୋଲି ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି। କାରଣ ହାତୀମାନେ ହାଣ୍ଡିଆ ବାସ୍ନାରେ ବସ୍ତିମୁହାଁ ହେଉଛନ୍ତି। ତେଣୁ କଡ଼ା ପାଟ୍ରୋଲିଂ କରିବା ସହ ବନ ବିଭାଗ ତୁରନ୍ତ ଟ୍ରେଞ୍ଚ ଓ ପାଚେରି ମରାମତି କରିବାକୁ ଦାବି ହେଉଛି। ସୂଚନାଯୋଗ୍ୟ, ଦୁଇ ସପ୍ତାହ ପୂର୍ବେ ଏକ ଦନ୍ତାହାତୀ ଚୁନୁକୋଳି ବସ୍ତି ଦେଇ ଇନ୍ଫୋସିଟି-୧ ନିକଟରେ ପହଞ୍ଚିଥିଲା। ସୌଭାଗ୍ୟକୁ ସହର ଭିତରକୁ ପଶିବା ପୂର୍ବରୁ ସେ ପୁଣି ଜଙ୍ଗଲକୁ ଫେରି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/fh798h7f98shsfsfhffs.jpg)