ରାଜଧାନୀରେ ପଶିଲା ହାତୀ, ରାତିରେ ବୁଲୁଛି, ଦିନ‌ରେ ଜଙ୍ଗଲକୁ ଫେରୁଛି

ଖଣ୍ଡଗିରି-ଚନ୍ଦକା ରାସ୍ତାରେ ଦେଖି ଲୋକେ ଦୌଡ଼ିଲେ

ଚନ୍ଦ୍ରଶେଖରପୁର : ରାଜଧାନୀରେ ପୁଣି ପଶିଲା ଦନ୍ତା ହାତୀ। ସେଭଳି କିଛି କ୍ଷତି କରି ନ ଥିଲେ ମଧ୍ୟ ହାତୀକୁ ନେଇ ଆଜି ଭୁବନେଶ୍ବର ଉପକଣ୍ଠରେ ଆତଙ୍କ ଖେଳିଯାଇଛି। ତେ‌ବେ ୪ ଦିନ ହେଲା ଏକ ହାତୀ ପଲ ଅଳସୁଆ, ପଥରଗାଡ଼ିଆ, ଦାରୁଠେଙ୍ଗ, ଚନ୍ଦକା, କଣ୍ଟାବାଡ଼, ଦଳୁଆ, ଅନ୍ଧାରୁଆ, ଭରତପୁର, ଗୋଡିବାରି ପ୍ରଭୃତି ଅଞ୍ଚଳରେ ବୁଲୁଛନ୍ତି। କେଉଁଠି ଫାର୍ମ ହାଉସ୍‌ ଉଜାଡ଼ି ଦେଇଛି ତ କେଉଁଠି ଆମ୍ବ ଗଛ ଭାଙ୍ଗୁଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ହାତୀଙ୍କୁ ତୁରନ୍ତ ଘଉଡ଼ାଇବା ଲାଗି ଦୁଇ ଦିନ ହେଲା ଲୋକେ ବନ ବିଭାଗକୁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ।

ରାଜଧାନୀକୁ ଲାଗିରହିଥିବା ଭରତପୁର ଜଙ୍ଗଲରେ ଏବେ ବି ହାତୀଙ୍କ ଚଳପ୍ରଚଳ ଜାରି ରହିଛି। ପ୍ରତି ମାସରେ ଚନ୍ଦକା ଅଭୟାରଣ୍ୟରୁ ହାତୀ ପଲ ଭରତପୁର ମୁହାଁ ହେଉଥିବା ବେଳେ ଦୁଇଟି ହାତୀ ଭରତପୁର ଜଙ୍ଗଲରେ ଏବେ ବି ଡେରା ପକାଇ ରହିଛନ୍ତି। ସେମାନେ ଗତ ୬ ମାସ ହେଲା ଏଠାରେ ରହୁଛନ୍ତି। ଏମାନଙ୍କ ବ୍ୟତୀତ ଏକ ୩ ଟିକିଆ ହାତୀ ପଲ ଗତ ୪ ଦିନ ହେଲା ଚନ୍ଦକା-ଡମପଡ଼ା, ଭରତପୁର ଅଭୟାରଣ୍ୟରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳୁଛି। ରାତି ହେଲେ ସେମାନେ ଜଙ୍ଗଲରୁ ବାହାରି ନିକଟରେ ଥିବା ବିଭିନ୍ନ ଗାଁରେ ବୁଲୁଛନ୍ତି। ସୋମବାର ରାତିରେ ଏହି ହାତୀ ପଲ ଅଳସୁଆ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ଗାଁ ନିକଟରେ ଥିବା କଦଳୀ ଫାର୍ମ ହାଉସ୍ ପାଚେରି ଭାଙ୍ଗି ଆନେକ କଦଳୀ ଗଛ ଭାଙ୍ଗି ଦେଇଥିଲେ। ଦାରୁଠେଙ୍ଗ ଗାଁର ଏକ ଆମ୍ବ ତୋଟାରେ ହାତୀ ପଲ ପଣି ଆମ୍ବ ଖାଇବା ସହ କିଛି ଗଛକୁ ଭାଙ୍ଗି ଦେଇଥିଲେ।

Representative Image

ଗୋଟିଏ ଦିନ ବ୍ୟବଧାନରେ ଆଜି ଏକ ଦନ୍ତା ହାତୀ ଅନ୍ଧାରୁଆ ଓ ଭରତପୁରକୁ ପଶି ଆସିଥିଲା। ସନ୍ଧ୍ୟା ପ୍ରାୟ ୬ଟା ବେଳେ ହାତୀଟି ଏକୁଟିଆ ଭାବେ ଜଙ୍ଗଲରୁ ବାହାରି ଭରତପୁର ଆଡ଼କୁ ମୁହାଁଇଥିଲା। ଦନ୍ତା ହାତୀଟି ରାସ୍ତାର ପାର୍‌ ହେଉଥିବାରୁ କଳିଙ୍ଗ ଷ୍ଟୁଡିଓ-ଚନ୍ଦକା ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ହଡ଼ବଡ଼େଇ ଯାଇଥିଲେ। ହାତୀକୁ ଦେଖି ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥିଲେ। କିଛି ସମୟ ପାଇଁ ଚାଳକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ତେବେ ହାତୀଟି ରାସ୍ତା ପାର୍‌ ହେବା ପର୍ଯ୍ୟନ୍ତ ଲୋକେ ଅପେକ୍ଷା କରି ରହିଥିଲେ। ୧୦ ମିନିଟ୍‌ ଧରି ହାତୀଟି ରାସ୍ତାରେ ଛିଡ଼ା ହେବା ପରେ ଭରତପୁର ଆଡ଼କୁ ଯାଇଥିଲା। ସେଠାରେ ଥିବା ଲୋକଙ୍କ ଘର ଆଡ଼କୁ ମାଡ଼ି ଯିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏନେଇ ସେମାନେ ବନ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ପହଞ୍ଚି ହାତୀକୁ ଲାଇଟ୍‌ ପକାଇ ଘଉଡ଼ାଉଥିବା ଦେଖିବାକୁ ମିଳିଥିଲା।

ଲୋକଙ୍କ କହିବାନୁଯାୟୀ ହାତୀ ପଲ ଉପକଣ୍ଠରେ ପନିପରିବା ନଷ୍ଟ କରୁଛନ୍ତି। ଗୋଟିଏ ଛୁଆ ଓ ଦୁଇଟି ବଡ଼ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ଦନ୍ତା ହାତୀ ୪ ଦିନ ହେଲା ଭରତପୁରରେ ବୁଲୁଛି। ସନ୍ଧ୍ୟା ହେବା ପରେ ଜଙ୍ଗଲରୁ ବାହାରି ଏଣେତେଣେ ପଶୁଛି। ଲୋକଙ୍କ ବାଡ଼ିରେ ପଶି ଫସଲ ନଷ୍ଟ କରୁଛି। ଭୋର ସମୟରେ ହାତୀଟି ପୁଣି ଜଙ୍ଗଲ ଭିତରକୁ ଫେରି ଯାଉଛି। ହାତୀକୁ ଘଉଡ଼ାଇବା ଲାଗି ବନ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଗଲେ ମଧ୍ୟ କୌଣସି କର୍ମଚାରୀ ଆସୁନାହାନ୍ତି।

ସମ୍ବନ୍ଧିତ ଖବର