ରାଜଧାନୀ ଛାଡ଼ୁନି ଦନ୍ତା: ଦିନରେ କଳିଙ୍ଗଷ୍ଟୁଡିଓ, ରାତିରେ ଫାର୍ମ

ଖଣ୍ଡଗିରି: ରାଜଧାନୀ ଛାଡ଼ିବାକୁ ମନ କରୁନି ଦଳଛଡ଼ା ଦନ୍ତା। ୨ ଦିନ ହେଲା ବନ ବିଭାଗକୁ ନାକେଦମ୍‌ କଲାଣି। ଏପଟ ଫାର୍ମରୁ ସେପଟ ଫାର୍ମ ହୋଇ ବନ କର୍ମଚାରୀଙ୍କ ସହ ଲୁଚକାଳି ଖେଳୁଛି। ଦିନରେ ଘାଟିକିଆ ପାର୍ଶ୍ୱର ଘଞ୍ଚ ବଣ ଭିତରେ ରହୁଛି ଓ ରାତି ହେଲେ ବରମୁଣ୍ଡା ପାର୍ଶ୍ୱସ୍ଥ ଫାର୍ମକୁ ଯାଉଛି। ଫଳରେ ଦୁଇ ଦିନ ହେଲା ନାକାଗେଟ୍‌ରୁ କଳିଙ୍ଗଷ୍ଟୁଡିଓ ଛକ ପର୍ଯ୍ୟନ୍ତ ରାସ୍ତା ଓ ଏଠାରେ ଥିବା ବସ୍ତିରେ ଆତଙ୍କ ଖେଳିଯାଇଛି। କେତେବେଳେ କ’ଣ ଅଘଟଣ ଘଟାଇପାରେ ବୋଲି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ଜଗି ରହିଥିଲେ ବି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଜାଗର ରାତିରୁ ରାଜଧାନୀକୁ ମୁହାଁଇଥିବା ଏହି ଦଳଛଡ଼ା ଯୁବ ଦନ୍ତା ହାତୀଟି ଗତକାଲି ଦିନ ତମାମ୍‌ ନାକାଗେଟ୍‌ ନିକଟ ବନତତ୍ୱବିତ୍‌ କ୍ୟାମ୍ପସ ପରିସର ସଂଲଗ୍ନ ରିସର୍ଚ ଫାର୍ମରେ ଛପି ରହିଥିଲା। ସନ୍ଧ୍ୟାରେ ବନ ବିଭାଗ ଘଉଡ଼ାଇବା ପରେ ସେ ରାସ୍ତା ପାର୍‌ ହୋଇ ହର୍ଟିକଲ୍‌ଚର ଫାର୍ମରେ ପଶିଲା ଓ ଆଉ ସେଠାରୁ ବାହାରିବା ନାଁ ଧରିଲା ନାହିଁ। ତାକୁ ପିଛା କରୁଥିବା କର୍ମଚାରୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପେକ୍ଷା କଲେ ଓ ନିଛାଟିଆ ହେଲେ ଭରତପୁର ସଂରକ୍ଷିତ ଜଙ୍ଗଲକୁ ତଡ଼ିଦେବେ ବୋଲି ଯୋଜନା କରିଥିଲେ। ମାତ୍ର ତାହା ହେଲା ନାହିଁ। ରାତି ସାରା ଫାର୍ମ ଭିତରେ ବୁଲି ବୁଲି କଦଳୀ ଗଛ ଖାଇଲା ଓ ଭୋର୍‌ ସମୟରେ ସେ ଉଦୟଗିରି ପାହାଡ଼ ତଳ ଦେଇ ବରମୁଣ୍ଡା ଷଣ୍ଢସାହି ଆଡ଼କୁ ଯାଉଥିଲା। ମାତ୍ର ଲୋକଙ୍କୁ ଦେଖି ପୁଣି ପଛକୁ ଫେରି ଫାର୍ମ ଭିତରକୁ ପଶିଲା। ମାତ୍ର ଫାର୍ମ ଭିତରେ କର୍ମଚାରୀମାନଙ୍କ ଚଳପ୍ରଚଳ ଦେଖି ସେ ପୁଣି ରାସ୍ତା ପାର୍‌ ହୋଇ କଳିଙ୍ଗଷ୍ଟୁଡିଓ ଭିତରେ ପଶିଗଲା। ବନ୍ଦ ପଡ଼ିଥିବା କଳିଙ୍ଗଷ୍ଟୁଡିଓ ଭିତରର ଘଞ୍ଚ ବଣ ଭିତରେ ଦିନ ସାରା ରହିଲା। ଦିନବେଳା ଜଙ୍ଗଲ ଆଡ଼କୁ ତଡ଼ିବା ନିରାପଦ ନୁହେଁ ବୋଲି ବନ କର୍ମଚାରୀମାନେ ତାକୁ ଏକୁଟିଆ ଛାଡ଼ି ଦେଇଥିଲେ। ଦୂରରୁ ତା ଉପରେ ନଜର ରଖାଯାଇଥିଲା। ରାତିରେ ବାଣ ଫୁଟାଇ ତାକୁ ଜଙ୍ଗଲକୁ ତଡ଼ିବା ଯୋଜନା କରାଯାଇଥିଲା। କିନ୍ତୁ ତାକୁ ତଡ଼ିବା ପୂର୍ବରୁ ସେ ରାତି ପ୍ରାୟ ୮ଟାବେଳେ ହଠାତ୍‌ ସେଠାରୁ ବାହାରି ହର୍ଟିକଲ୍‌ଚର ଫାର୍ମକୁ ପଳାଇଛି।

ନଜରବନ୍ଦୀ ଯୋଗୁଁ ରାଗି ଗଲାଣି ଦନ୍ତା
ଆଜି ଦନ୍ତାଟି ରାଗି ଯାଇଥିବା ବାରି ହୋଇ ପଡ଼ିଥିଲା। ପିଛା କରୁଥିବା ବନ କର୍ମଚାରୀମାନଙ୍କ ସୂଚନାନୁସାରେ ଗତକାଲି ସେ ଚୁପ୍‌ଚାପ୍‌ ଠିଆ ହୋଇ ରହୁଥିଲା। ବନ ବିଭାଗର ଗାଡ଼ି ତାକୁ ଜଗିବାକୁ ଯାଇ ପାଖରେ ପହଞ୍ଚୁଥିଲେ ବି ସେ ଭୟଭୀତ ନ ହୋଇ ଠିଆ ହୋଇ ରହୁଥିଲା। କିନ୍ତୁ ଦୁଇ ଦିନ ହେଲା ସେ ନଜରବନ୍ଦୀ ହୋଇ ରହୁଥିବାରୁ ରାଗି ଗଲାଣି। ଆଜି ବନ ବିଭାଗର ଗାଡ଼ିକୁ ଦେଖି ସେ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲା। ତେଣୁ ଆଜି ଦିନବେଳା ତାକୁ କଳିଙ୍ଗଷ୍ଟୁଡିଓ ଭିତରେ ସେମିତି ଏକୁଟିଆ ଛାଡ଼ି ଦିଆଯାଇଥିଲା। ମଠରୁ ଗୁଡ଼ ପଣା ପିଇଦେଇଛିଗତକାଲି ରାତିରେ ହର୍ଟିକଲ୍‌ର ଫାର୍ମରେ ରହିଥିବାବେଳେ ଦନ୍ତାଟି ଓୟୁଏଟି ଫାର୍ମ ଆଡ଼କୁ ମୁହାଁଇଥିଲା। ନିକଟସ୍ଥ ଏକ ମଠବାଡ଼ି ଭିତରେ ପଶିଥିଲା। ମଠ ବାଡ଼ ଭିତେରେ ଥିବା କଦଳୀ ଗଛ ଖାଇବା ସହ ଏକ ବାଲ୍‌ତିରେ ଥିବା ଗୁଡ଼ ପଣା ପିଇଦେଇଥିଲା। ସେଠାରୁ ଭୋର୍‌ ସମୟରେ ବାହାରି ସେ ଷଣ୍ଢସାହି ଆଡ଼କୁ ଯାଇ ପୁଣି ଫେରି ଆସିଥିଲା। ତେଣୁ ଦୁଇ ଦିନ ହେଲା ସେ ଫାର୍ମ ଭିତରେ ଖାଇବାକୁ ପାଉଛି ବୋଲି ବନ କର୍ମଚାରୀମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର