ଖଣ୍ଡଗିରି: ଚନ୍ଦକାରେ ଘୂରି ବୁଲୁଛି ଗୋଟିକିଆ ଦଳଛଡ଼ା ଦନ୍ତା। ହଳଦିଆ ରେଞ୍ଜରୁ ଚନ୍ଦକା ରେଞ୍ଜ ପର୍ଯ୍ୟନ୍ତ ଖାଦ୍ୟ ସନ୍ଧାନରେ ବୁଲୁଛି। ଖଳାବାଡ଼ିରେ ଥିବା ଅମଳ ଧାନକୁ ଟାର୍ଗେଟ୍ କରି ଦନ୍ତା ଏବେ ଗାଁମୁହାଁ ହେଉଛି। ତେଣୁ ଚନ୍ଦକା ଅଞ୍ଚଳରେ ଦନ୍ତା ଆତଙ୍କ ଖେଳିଯାଇଛି। ଗତ ରାତିରେ ଚନ୍ଦକା ଥାନା କୁଜିମହୁଲ ଆଦିବାସୀ ସାହିରେ ଦନ୍ତା ପଶି ଯିବାରୁ ଲୋକେ ରାତି ସାରା ନାହିଁ ନଥିବା ହଇରାଣ ହୋଇଛନ୍ତି। ସୂଚନାନୁସାରେ, ବୁଧବାର ରାତି ପ୍ରାୟ ୧୧ଟାରେ ଏହି ଦଳଛଡ଼ା ଦନ୍ତା କୁଜିମହୁଲ ଆଦିବାସୀ ସାହିରେ ପଶି ଯାଇଥିଲା। ପ୍ରାୟ ୩/୪ଜଣଙ୍କର ଖଳା ବାଡ଼ିରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲା। ବାଡ଼ିରେ ଅମଳ ଧାନ ନପାଇ ସେ ଚିତ୍କାର କରିବା ସହ ଗଛପତ୍ର ଭାଙ୍ଗି ପକାଇଥିଲା। ଦନ୍ତାର ଗର୍ଜନ ଶୁଣି ସାହିଲୋକେ ଏକତ୍ର ହୋଇଥିଲେ ଓ ନିଅାଁ ହୁଳା ଦେଖାଇ ତାକୁ ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ କୁଜିମହୁଲରେ ପହଞ୍ଚି ଲୋକଙ୍କ ସହଯୋଗରେ ଦନ୍ତାକୁ ଜଙ୍ଗଲ ଭିତରକୁ ଘଉଡ଼ାଇ ଦେଇଥିଲେ। ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖରେ ଏହି ଦନ୍ତା ଆକ୍ରମଣରେ ଛତବାରରେ ଜଳଖିଆ ଦୋକାନୀ ତଥା ଅଙ୍ଗାରପଡ଼ା ଗାଁର ଡାକ ବେହେରା ଗୁରୁତର ଆହତ ହୋଇଥିଲେ। ଦନ୍ତାଟି ଡାକଙ୍କ ଗୋଡ଼କୁ ଭୁସି ଦେବା ସହ ଟେକି କଚାଡ଼ି ଦେଇଥିଲା। ସେହିଦିନ ରାତିରେ ଏହି ହାତୀଟି ଗଙ୍ଗପଡ଼ା ଭାତଖୁରୀରେ ୪ଜଣଙ୍କ ବାଡ଼ିରେ ପଶି ଧାନ ବସ୍ତାଗୁଡ଼ିକୁ ଫାଡ଼ି ନଷ୍ଟ କରିଥିଲା। ତେବେ ଡାକଙ୍କୁ ଆକ୍ରମଣ କରିବା ପରଠାରୁ ସେ କିଛି ଦିନ ହେଲା ଜଙ୍ଗଲ ଭିତରୁ ବାହାରୁ ନଥିଲା। ଗତକାଲି ରାତିରେ କୁଜିମହୁଲରେ ଦେଖାଯିବା କାରଣରୁ ଆଜି ପୁଣି ଆତଙ୍କ ଖେଳି ଯାଇଛି।
ଚନ୍ଦକାରେ ଦଳଛଡ଼ା ଦନ୍ତା ଆତଙ୍କ
/sambad/media/post_attachments/wp-content/uploads/2019/02/Untitled-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)