ଫେରିଗଲେ ହାତୀପଲ, ସେପ୍ଟେମ୍ବରରେ ସର୍ବାଧିକ ୩୪ଟି ହାତୀ ଥିଲେ

ଖାଦ୍ୟ ଅଭାବ ନେଇ ବିଶେଷଜ୍ଞଙ୍କ ଅଭିଯୋଗ, ବନ ବିଭାଗର ଖଣ୍ଡନ, ପ୍ରଚୁର ଖାଦ୍ୟ ଅଛି

ଭୁବନେଶ୍ବର: ଆଠଗଡ଼ ବନଖଣ୍ଡରୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଆସିଥିବା ୧୮ ଟିକିଆ ହାତୀ ପଲ ଫେରିଯାଇଛନ୍ତି। ଏକ ମାସରୁ ଅଧିକ ସମୟ ଧରି ଅଭୟାରଣ୍ୟ ଭିତରେ ରହିବା ପରେ ଗତ ସପ୍ତ‌ାହରେ ପୁଣିଥରେ ଆଠଗଡ଼ ବନଖଣ୍ତକୁ ‌ଫେରିଥିବା ସୂଚନା ମିଳିଛି। ହାତୀଙ୍କ ହାଠାତ୍‌ ଏଭଳି ଲେଉଟାଣିକୁ ନେଇ ପ୍ରଶ୍ନ ଉଠିଛି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଖାଦ୍ୟ ଅଭାବ ଦେଖାଦେଲାଣି। ଯେଉଁଥିପାଇଁ ହାତୀମାନେ ଏଠାରେ ରହୁନାହାନ୍ତି। ଅଳ୍ପ କିଛି ଦିନ ପରେ ଫେରିଯାଉଛନ୍ତି ବୋଲି ‌କେତେଜଣ ବନ୍ୟପ୍ରାଣୀ ବିଶେଷଜ୍ଞ ଅଭିଯୋଗ ଆଣିଛନ୍ତି।

ତେବେ ଏଭଳି ଅଭିଯୋଗକୁ ବନ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି। ଚନ୍ଦକା ଡିଏଫ୍‌ଓ କେଦାରନାଥ ସ୍ବାଇଁ କହିଛନ୍ତି ଯେ ଅଭୟାରଣ୍ୟରେ ଖାଦ୍ୟ କମୁନି। ବରଂ ଖାଦ୍ୟ ବଢ଼ୁଥିବାରୁ ହାତୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବରୁ ଗୋଟିଏ ଦୁଇଟି ହାତୀ ରହୁଥିବା ବେଳେ ଗତ ୮ ମାସ ହେଲା ଏକ ୧୪ ଟିକିଆ ହାତୀ ପଲ ଅଭୟାରଣ୍ୟ ଭିତରେ ରହିଛନ୍ତି। ଏହି ପଲରେ ଦୁଇଟି ହାତୀ ଶାବକ ମଧ୍ୟ ରହିଛନ୍ତି। ବାତ୍ୟା ‘ଫନି’ ପରେ ପ୍ରଚୁର ବାଉଁଶ ଗଛ ଲଗାଯାଇଥିବ‌ାରୁ ସେମାନଙ୍କ ଖାଇବା ପାଇଁ ଭଲ ହେଉଛି। ଯେଉଁଥିପାଇଁ ହାତୀ ପଲ ଜଙ୍ଗଲ ଛାଡ଼ି ଯାଉନାହାନ୍ତି। ଏମାନଙ୍କ ବ୍ୟତୀତ ଆଗରୁ ଆଉ ଦୁଇଟି ହାତୀ ଅଭୟାରଣ୍ୟ ଭିତରେ ରହିଛନ୍ତି। ଏମିତି ଭାବେ ୧୬ଟି ହାତୀ ଏବେ ଚନ୍ଦକା ଓ ଭରତପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚଳପ୍ରଚଳ କରୁଛନ୍ତି। ବର୍ଷର ବିଭିନ୍ନ ସମୟରେ ଆଠଗଡ଼, ଖୁଣ୍ଟୁଣି, ଖୋର୍ଧା ଆଦି ବନଖଣ୍ଡରୁ ହାତୀ ପଲ ଏଠାକୁ ଆସିଥାନ୍ତି। କିଛି ଦିନ ଧରି ଏଠାରେ ରହିବା ପରେ ପୁଣି ଫେରିଯାଆନ୍ତି। ହାତୀମାନେ କେବଳ ଗୋଟିଏ ସ୍ଥାନରେ ରହିବେ ବୋଲି କିଛି ମାନେ ନାହିଁ। ସେମାନେ ଗୋଟିଏ ଦିନରେ ଶତାଧିକ କିଲୋମିଟର ଯାଇପାରିବେ। ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଯିବା ସେମାନଙ୍କର ନିତିଦିନିଆ ଅଭ୍ୟାସ। ସେହି ଅନୁଯାୟୀ ଗତ ମାସରେ ଆଠଗଡ଼ରୁ ଏଠାକୁ ଆସିଥିବା ହାତୀ ପଲ କିଛି ଦିନ ରହିବା ପରେ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୬ଟି ହାତୀ ଛୁଆ ରହିଥିଲେ। ପ୍ରଚୁର ବାଉଁଶ ଗଛ ରହିଥିବାରୁ ହାତୀ ଛୁଆଙ୍କ ଖାଇବା ଲାଗି ତାହା ଭଲ ହେଉଛି। ଗତ ସେପ୍ଟେମ୍ବର ମାସରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ୩୪ଟି ହାତୀ ରହିଥିଲେ। ଗତ କିଛି ବର୍ଷ ମଧ୍ୟରେ ଏହା ସର୍ବାଧିକ ଥିଲା। ଜୁନ୍‌ ଓ ଜୁଲାଇ ମାସରେ ଏକ ୧୧ ଟିକିଆ ହାତୀ ପଲ ମଧ୍ୟ ଆସିଥିଲେ। କିଛି ଦିନ ରହିବା ପରେ ଅଗଷ୍ଟରେ ଫେରିଥିଲେ। ତେଣୁ ଏହା ଏକ ସ୍ବାଭାବିକ ପ୍ରକ୍ରିୟା।

ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ‘ଫନି’ରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବ୍ୟାପକ ଗଛ ନଷ୍ଟ ହେବା ସହ ବଡ଼ ବଡ଼ ବାଉଁଶ ଗଛ ଉପୁଡି ପଡ଼ିବାରୁ କିଛି ଦିନ ପର୍ଯ୍ୟନ୍ତ ଖାଦ୍ୟ ଅଭାବ ପରିଲକ୍ଷିତ ହୋଇଥିଲା। ହାତୀ ସ‌ମେତ ଆଉ କିଛି ଜୀବଜନ୍ତୁ ଜଙ୍ଗଲ ଛାଡ଼ି ପଳାଇଥିବା ମଧ୍ୟ ଚର୍ଚ୍ଚା ହେଲା। ତେବେ ବନ ବିଭାଗର ଅକ୍ଳାନ୍ତ ଉଦ୍ୟମ ଫଳରେ କିଛି ଦିନ ମଧ୍ୟରେ ପୂର୍ବ ସ୍ଥିତି ଫେରି ଆସିଛି। ନୂଆ ବାଉଁଶ ଗଛ ସହ ଅନ୍ୟାନ୍ୟ ବୃକ୍ଷରୋପଣ ପରେ ଏବେ ସବୁଜିମାରେ ଭରପୁର ହୋଇଛି ଚନ୍ଦକା, ଡମପଡ଼ା ଓ ଭରତପୁର ସଂରକ୍ଷିତ ଜଙ୍ଗଲ। ଆଠଗଡ଼ ଓ ଖୋର୍ଧା ବନଖଣ୍ଡ ଡିଭିଜନ୍‌ରୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଯେଉଁ ହାତୀ ପଲ ଆସୁଛନ୍ତି ସେମାନେ ଭରତପୁର ରହିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ୨୦୧୯ରେ ୨ ଲକ୍ଷ ଚାରା ରୋପଣ କରାଯାଇଥିବା ବେଳେ ଏଥର ପ୍ରାୟ ଏକ ଲକ୍ଷ ଚାରା ରୋପଣ କରାଯାଇଛି।

ସମ୍ବନ୍ଧିତ ଖବର