ହାଣ୍ଡିଆ ବାଉଳା ହାତୀ ଗର୍ଜୁଛି, ନନ୍ଦ ଏବେ ମତ୍ତ

ଚନ୍ଦ୍ରଶେଖରପୁର: ହାଣ୍ଡିଆ ବାସ୍ନାରେ ହାତୀ ବାଉଳା ହେଉଛି। ଟ୍ରେଞ୍ଚ୍‌ ଡେଇଁ ବସ୍ତିକୁ ପଶି ପାରୁନଥିବାରୁ ଗର୍ଜନ କରୁଛି। ଅନ୍ୟ ରାସ୍ତା ଡେଇଁ ବସ୍ତିକୁ ଆସିବା ପାଇଁ ଉଦ୍ୟମ କରୁଛି। ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଗତ ଦୁଇ ଦିନ ହେଲା ଚୁନୁକୋଳି ବସ୍ତି ବାସିନ୍ଦାମାନେ ଟ୍ରେଞ୍ଚ ସେପଟେ ଗର୍ଜୁଥିବା ହାତୀ ପାଇଁ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଇନ୍‌ଫୋସିଟି ଅଞ୍ଚଳରେ ଚନ୍ଦକା ଅଭୟାରଣ୍ୟ ଟ୍ରେଞ୍ଚକୁ ଲାଗି ରହିଛି ଚୁନୁକୁଳି ବସ୍ତି। ବସ୍ତିରେ ମହୁଲି ମଦ ଓ ହାଣ୍ଡିଆ ରନ୍ଧା ହେବା ଏକ ନିତିଦିନିଆ କଥା। ତେଣୁ ପୂର୍ବରୁ ବାସ୍ନା ବାରି ଅଭୟାରଣ୍ୟରୁ ଅନେକ ସମୟରେ ହାତୀମାନେ ଆସି ହାଣ୍ଡିଆ ଖାଇଛନ୍ତି। ବିଶେଷକରି ଏବେ ଭରତପୁର ସଂରକ୍ଷିତ ଜଙ୍ଗଲରେ ରହୁଥିବା ଦନ୍ତା ପୂର୍ବରୁ ଏହି ବସ୍ତିରେ ପଶି ହାଣ୍ଡିଆ ଖାଇ ଯାଇଛି। କିନ୍ତୁ ବର୍ତ୍ତମାନ ‌ଟ୍ରେଞ୍ଚ୍‌ ଗୁଡ଼ିକ ଗଭୀର କରି ଖୋଳା ଯାଇଥିବାରୁ ହାତୀ ପାର୍ ହୋଇପାରୁନାହିଁ। ଏଣେ ହାଣ୍ଡିଆ ବାସ୍ନା ତାକୁ ବିକଳ କରୁଛି। ତେଣୁ ଅଭୟାରଣ୍ୟ ଭିତର ପାଖରେ ରହି ସେ ଚିତ୍କାର କରୁଛି ବୋଲି ବସ୍ତିବାସିନ୍ଦାମାନେ କହିଛନ୍ତି।

ନନ୍ଦ ଏବେ ମତ୍ତ
ମେଣ୍ଢାଶାଳ: ଚନ୍ଦକା-ଡମପଡା ଅଭୟାରଣ୍ୟ ଗୋଡିବାରୀରେ ବନ୍ଧା ହୋଇ ରହୁଥିବା ୩୨ ବର୍ଷିୟ ଦନ୍ତା ହାତୀ ନନ୍ଦ ଏବେ ମତ୍ତ ଅବସ୍ଥାରେ ଅଛି। ତେଣୁ ତା’ଠାରେ କିଛି ଅସ୍ବାଭାବିକ ପ୍ରବୃତ୍ତି ଦେଖା ଦେଇଛି। ପାଖରେ ଲୋକମାନଙ୍କୁ ଦେଖିଲେ ତାହାର ପାଗଳାମି ଆରମ୍ଭ ହୋଇଯାଉଛି। ରାଗରେ ଚିହିଁକି ଉଠୁଛି ଓ ଗୋଡ଼ରେ ପଡ଼ିଥିବା ଚେନ୍‌କୁ ଛିଣ୍ଡାଇବାକୁ ଉଦ୍ୟମ କରୁଛି। ମଝିରେ ମଝିରେ ଖୁବ୍‌ ଜୋର୍‌ରେ ପିଙ୍କାରୁଛି। ନନ୍ଦର ଏହି ଅବସ୍ଥା ପାଇଁ ଏବେ ତା’ଉପରେ କଡ଼ା ନଜର ରଖାଯାଇଛି ଓ ଆସାମୀ ମାହୁନ୍ତମାନେ ତାକୁ ଗୋଡ଼େ ‌ଗୋଡ଼େ ଜଗି ରହିଛନ୍ତି।
ଆଜି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଡିଏଫ୍ଓ କେଦାର ନାଥ ସ୍ୱାଇଁଙ୍କଠାରୁ ମିଳିଥିବା ସୂଚନାନୁସାରେ ନନ୍ଦ ମସ୍ତ ଅବସ୍ଥାରେ ଥିଲେ ବି ତା’ଠାରୁ କୌଣସି ବିପଦର ଆଶଙ୍କା ନାହିଁ। ଆସାମ ମାହୁନ୍ତ ରୁଦ୍ଦୀ ରାଭାଙ୍କ ସୂଚନାନୁସାରେ ନନ୍ଦର ମସ୍ତ ସମୟ ସରି ଆସିଲାଣି। ସେ ଏବେ ସାଧାରଣ ଜୀବନ ଫେରି ପାଇବ। ମସ୍ତ ବେଳେ ତାକୁ ଅଧିକ ଖାଦ୍ୟ ଦରକାର ପଡ଼େ ଓ ସେଥିପାଇଁ ପ୍ରଚୁର ଖାଦ୍ୟ ମହଜୁଦ ରଖାଯାଇଛି।

ସମ୍ବନ୍ଧିତ ଖବର