କଣ୍ଟାବାଡ଼ରେ ହାତୀ ଉପଦ୍ରବ: ପାଚେରି ଭାଙ୍ଗି ପଶିଲେ, ଫସଲ ଉଜାଡ଼ିଲେ

ବାରଙ୍ଗ: ଚନ୍ଦକା ଥାନା ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତରେ ହାତୀ ଉପଦ୍ରବ ଦେଖାଦେଇଛି। ଗତ ରାତିରେ ୨ଟି ଜଙ୍ଗଲୀ ହାତୀ ଭଗବତୀପୁର କଳାପୀଠ ସାହିରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀ ମଧ୍ୟରାତ୍ରିରେ ସାହିର ରାଜକିଶୋର ଲେଙ୍କାଙ୍କ ଘର ପାଚେରି ଭାଙ୍ଗି ଭିତରକୁ ପଶିଥିଲେ। ଗୋଟିଏ ସାଇକେଲ, ବାଇକ୍‌, ଲୁନା ଓ ପାଓ୍ବାର ଟ୍ରିଲରକୁ କଚାଡ଼ି ଭାଙ୍ଗିବା ସହ ବାଡ଼ିରେ ଥିବା କଦଳୀ, ମକା, ପନିପରିବା ଖାଇବା ସହ ପାଦରେ ଦଳି ଦେଇଥିଲେ। ସେହିପରି ଦୁଇବଖରା କୋଠାଘରର ବାରଣ୍ତାରେ ଥୁଆ ହୋଇଥିବା ଧାନ ଓ ଚାଉଳ ବସ୍ତା ଖାଇବା ସହ ତଳେ ବିଞ୍ଚି ନଷ୍ଟ କରି ଦେଇଥିଲେ। ହାତୀଙ୍କ ଗର୍ଜନ ଶୁଣି ପରିବାରଲୋକ ଭୟରେ ଘର ଭିତରେ ଲୁଚି ରହିଥିଲେ। ସକାଳେ ସେମାନେ ଏ ସଂପର୍କରେ ଅଭିଯୋଗ କରିବା ପରେ ଚନ୍ଦକା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର