ନିର୍ବାସନରେ ନରହନ୍ତା ନରସିଂହ‌ା

ଖଣ୍ଡଗିରି: ଯାଜପୁରରେ ଆତଙ୍କ ଖେଳାଇ ଥିବା ନରହନ୍ତା ଦନ୍ତା ନରସିଂହା (ସ୍ଥାନୀୟ ଲୋକଙ୍କ ପ୍ରଦତ୍ତ ନାଁ)କୁ ଏବେ ଚନ୍ଦକା କୁମାରଖୁଣ୍ଟିରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। କେବଳ ଆସାମ ମାହୁନ୍ତଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ତା’ ନିକଟକୁ ଛଡ଼ାଯାଉନାହିଁ। ସେମାନେ ତା’ର ଖିଆପିଆ କଥା ବୁଝୁଛନ୍ତି ଓ ଅନ୍ୟ ସମୟରେ ତାକୁ ଏକାକୀ ରହିବାକୁ ଦିଆଯାଉଛି। ଦୂରରୁ ଥାଇ ବନ କର୍ମଚାରୀମାନେ ତା’ ଉପରେ ନଜର ରଖିଛନ୍ତି। ତେଣୁ ଏମିତିରେ ବେଶ୍ କିଛି ଦିନ ପର୍ଯ୍ୟନ୍ତ ତାକୁ ନିର୍ବାସନ ଦଣ୍ଡ ଭୋଗିବାକୁ ପଡ଼ିବ।

ଯାଜପୁରରେ ନରହନ୍ତା ଦନ୍ତା ଧରା ଅପରେସନ୍ ଶେଷ ହୋଇଥିଲେ ବି ତାକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ପର୍ଯ୍ୟନ୍ତ ଚନ୍ଦକାରେ ଏକ ଲମ୍ବା ଅପରେସନ୍ ଚାଲିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ଯାଜପୁରରେ ଚାରି ଜଣ ଓ କେନ୍ଦୁଝର ଟମ୍‌କା ଥାନା ଅଞ୍ଚଳରରେ ଜଣଙ୍କୁ ଗୋଡ଼ରେ ଦଳି ହତ୍ୟା କରିବା ପରେ ଏହି ନରହନ୍ତା ଦନ୍ତାକୁ ହାତୀକୁ କାବୁ କରିବା ପାଇଁ ବନ ବିଭାଗ ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଥିଲା। ଏମିତିକି ଟ୍ରାଙ୍କୁଲାଇଜ୍ କରି କାବୁ କରିବା ପରେ ମଧ୍ୟ ସ୍ଥାନୀୟ ଲୋକେ ତାକୁ ସେଠାରେ ରଖିବାକୁ ଦେଇନଥିଲେ। ତେଣୁ ତାକୁ ରାତାରାତି ଗୋପନୀୟଭାବେ ଚନ୍ଦକା କୁମାରଖୁଣ୍ଟିକୁ ଅଣାଯାଇଥିଲା। ଏଠାରେ ପୂର୍ବରୁ ମଣିଷମରା ଶଙ୍କର ରହିଛି। ଶଙ୍କର ନିଜ ମାହୁନ୍ତକୁ ହତ୍ୟା କରିଥିଲେ ବି ସ୍ଥାନୀୟ ଲୋକଙ୍କର କିଛି କ୍ଷତି କରିପାରିନାହିଁ। ଜନବସତିଠାରୁ ଢେର୍ ଦୂରରେ ଗୋଡ଼ରେ ଶିକୁଳି ପଡ଼ି ରହୁଥିବାରୁ ତା’ ଆଡ଼ୁ ଲୋକଙ୍କ ପ୍ରତି ବିପଦ ନାହିଁ। ତେଣୁ ସେହି ହିସାବରେ ଏବେ ନରସିଂହାକୁ କୁମାରଖୁଣ୍ଟିରେ ରଖାଯିବ ବୋଲି ଜଣାପଡ଼ିବା ପରେ ଲୋକ ଆଶ୍ବସ୍ତ ହୋଇଛନ୍ତି। ସେହିଭଳି ଶଙ୍କର ଓ ନରସିଂହାକୁ ପୂରା ଅଲଗା ରଖାଯାଇଥିବା ଜଣାପଡ଼ିଛି। ତେଣୁ ସେମାନଙ୍କ ମଧ୍ୟରେ ମଧ୍ୟ ଗଣ୍ଡଗୋଳ ଘଟିବା ଆଶଙ୍କା ନାହିଁ। ଏହି ଦନ୍ତାକୁ ନେଇ ଏବେ ବନ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ଚିକିତ୍ସା ଜାରି ରହିଥିବାରୁ ତା’ର ଭବିଷ୍ୟତ ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ଜଣାପଡ଼ିଛି। ତେବେ ତାକୁ ଯେ ଆଉ ମୁକ୍ତଭାବେ ବିଚରଣ କରିବାକୁ ଜଙ୍ଗଲକୁ ଛଡ଼ାଯିବ ନାହିଁ, ଏହା ଆପାତତଃ ସ୍ଥିର ବୋଲି ସୂଚନା ମିଳିଛି। ତାକୁ ଆସାମ ମାହୁନ୍ତମାନଙ୍କ ଦ୍ବାରା କୁମ୍‌କୀ ପ୍ରଶିକ୍ଷଣ ଦିଆଯିବ ଓ ସବୁଦିନ ପାଇଁ ପୋଷା ହାତୀ ଭଳି ରଖାଯିବ ବୋଲି ଜଣାପଡ଼ିଛି। ଆଜି ସେ ଭଲରେ ଖିଆପିଆ କରିଛି। କଅଁଳ କଦଳୀ ଗଛ ସାଙ୍ଗକୁ ବରଡାଳ ଖାଇବାକୁ ଦିଆଯାଇଛି। ସେ ସ୍ବାଭାବିକ ଭାବେ ଖାଦ୍ୟ ଖାଇଛି ଓ ସ୍ଥିର ରହିଛି। ତେବେ ଆସାମ ମାହୁନ୍ତମାନଙ୍କ କହିବା କଥା ଗୋଡ଼ ବନ୍ଧା ହୋଇଥିବାରୁ ଦୁଷ୍ଟାମୀ କରୁନଥିଲେ ହେଁ ସେ ରାଗରେ ଗରଗର ହେଉଛି। ତେଣୁ ତାକୁ ଶାନ୍ତ କରିବା ପାଇଁ ବେଶ୍ କିଛି ଦିନ ଲାଗିବ ବୋଲି ସେମାନେ ଅନୁମାନ କରିଛନ୍ତି। ବନ ବିଭାଗ ପକ୍ଷରୁ ତା ନାଁ ରଖାଯାଇନଥିଲେ ବି ତାକୁ ଶଙ୍କର ନାଁ ସହ ଯୋଡ଼ି ‘ଶିବା’ ବୋଲି ଡାକିବାକୁ କିଛି ଅଧିକାରୀ ସୁପାରିଶ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର