କୁମାରଖୁଣ୍ଟି ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ଦନ୍ତା, ଗୋଡ଼ରୁ ବେଡ଼ି ଖୋଲିବ କେବେ?

ଭୁବନେଶ୍ବର : ଗତକାଲି ପାତ୍ରପଡ଼ାରୁ ନିଶ୍ଚେତକ ଦେଇ କାବୁ କରାଯାଇଥିବା ଦନ୍ତା ହାତୀ ଏବେ ଚନ୍ଦକା ଅଭୟାରଣ୍ୟର କୁମାରଖୁଣ୍ଟି ପ୍ରାଣୀ ଉଦ୍ଧାର କେନ୍ଦ୍ର(ରେସ୍କ୍ୟୁ ସେଣ୍ଟର)ରେ ବନ୍ଦୀ ଅବସ୍ଥାରେ ରହିଛି। ତା’ ଗୋଡ଼ରୁ ବେଡ଼ି ଖୋଲାଯାଇନାହିଁ। ଗତକାଲିଠାରୁ ନନ୍ଦନକାନନର ପ୍ରାଣୀ ଚିକିତ୍ସକମାନେ ତା’ର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ବନ୍ଦୀ ଅବସ୍ଥାରେ ତାକୁ ବରଡାଳ ଓ କଦଳୀଗଛ ଖାଇବାକୁ ଦିଆଯାଉଛି। ସେ ସ୍ବାଭାବିକ ଭାବେ ଖାଇବା ପିଇବା କରୁଛି ବୋଲି କୁହାଯାଉଛି। କିନ୍ତୁ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ବନ୍ଦୀ ଅବସ୍ଥାରେ ଥିବାରୁ ତା’ର ସ୍ବାସ୍ଥ୍ୟାବସ୍ଥାକୁ ନେଇ ନାନା କଳ୍ପନାଜଳ୍ପନା ଉପୁଜିଛି। ବାରମ୍ବାର ଟ୍ରାଙ୍କୁଲାଇଜ୍‌ କରାଯାଇଥିବାରୁ ତା’ର ଅବସ୍ଥା ଭଲ ନାହିଁ ବୋଲି କୁହାଯାଉଛି।

ମିଳିଥିବା ସୂଚନାନୁସାରେ ଆଜି ସକାଳେ ପ୍ରାଣୀ ଚିକିତ୍ସକମାନେ କୁମାରଖୁଣ୍ଟିକୁ ଯାଇ ଦନ୍ତାର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ସେମାନଙ୍କ ଆଗରେ ମାହୁନ୍ତ ହାତୀକୁ ବରଡାଳ ଓ କଦଳୀ ଗଛ ଖାଇବାକୁ ଦେଇଥିଲେ। ତେବେ ଗୋଡ଼ ବନ୍ଧା ହୋଇଥିବାରୁ ସେ ବିରକ୍ତ ହେଉଥିଲା। ଶୁଣ୍ଢରେ ମାହୁନ୍ତମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିଲା। ତେଣୁ ସେ କ୍ରମଶଃ ସ୍ବାଭାବିକ ଅବସ୍ଥାକୁ ଫେରୁଛି ବୋଲି ପ୍ରାଣୀଚିକିତ୍ସକମାନେ କହିଛନ୍ତି। ଆସନ୍ତାକାଲି ତା’ ଗୋଡ଼ରୁ ବେଡ଼ି ଖୋଲିଦିଆଯିବ ବୋଲି ସେମାନେ କହିଥିବା ସୂଚନା ମିଳିଛି। ତେବେ ବନ୍ଦୀ ହେବାର ୪୮ ଘଣ୍ଟା ପରେ ବି ତାକୁ ମୁକ୍ତ କରାଯାଇନଥିବାରୁ ହାତୀ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରଦୀପ ତରାଇ କହିଛନ୍ତି ଯେ ଗତକାଲି ହାତୀକୁ ହାଇୱାରେ ଲଦି ବୁଲାଇବା ସମୟରେ ୩ଥର ଟ୍ରାଙ୍କୁଲାଇଜ୍‌ କରାଯାଇଥିବା କୁହାଯାଉଛି। ଯଦି ସତରେ ସେମିତି ହୋଇଥାଏ, ତେବେ ତାହାର କୁପ୍ରଭାବ ହାତୀ ଉପରେ ପଡ଼ିବ। ଏବେ ତାକୁ ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରଖାଯାଇଛି। ଯଦି ବନ ବିଭାଗ ପୂର୍ବରୁ ଏହି ନିଷ୍ପତ୍ତି ନେଇଥାଆନ୍ତା, ତାକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ପଡ଼ିନଥାଆନ୍ତା କି ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ବର ପର୍ଯ୍ୟନ୍ତ ଗାଡ଼ିରେ ଲଦି ବୁଲାଇବାକୁ ପଡ଼ିନଥା’ନ୍ତା। ଏବେ ତା’ର ସ୍ବାସ୍ଥ୍ୟାବସ୍ଥା ନେଇ ବନ ବିଭାଗ ପକ୍ଷରୁ କିଛି କୁହାଯାଉନାହିଁ।

ବାରମ୍ବାର ଟ୍ରାଙ୍କୁଲାଇଜ୍‌ କରାଯିବା ଦ୍ବାରା ଗୋଡ଼ିବାରୀର ହାତୀ ନନ୍ଦର ଯେମିତି ମୃତ୍ୟୁ ହୋଇଥିଲା, ଏହି ଯୁବ ହାତୀ କ୍ଷେତ୍ରରେ ସେଭଳି ହେବାର ଆଶଙ୍କା ରହିଛି। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ହାତୀକୁ ହନ୍ତସନ୍ତ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ତରାଇ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ତିନି ବର୍ଷ ପୂର୍ବେ ହାତୀ ବାହୁବଳୀ ଖୋର୍ଦ୍ଧାରୁ ଡେଲାଙ୍ଗ ଦେଇ ପିପିଲିରେ ପ୍ରବେଶ କରିଥିଲା। ସେଠାରେ ୩ ଜଣଙ୍କୁ ମାରିବା ପରେ ବାହୁବଳୀ ଚନ୍ଦକା ଜଙ୍ଗଲକୁ ଫେରିବା ବାଟରେ ପାତ୍ରପଡ଼ାରେ ପହଞ୍ଚିଥିଲା। ବନ ବିଭାଗ ତାକୁ ଟ୍ରାଙ୍କୁଲାଇଜ୍‌ ନକରି ଜଗି ରହିଥିଲା ଏବଂ ସନ୍ଧ୍ୟା ହେବା ପ‌ରେ ତାକୁ ଚନ୍ଦକା ଜଙ୍ଗଲ ଆଡ଼କୁ ମୁହାଁଇ ଦିଆଯାଇଥିଲା। ମାତ୍ର ଏଥର ପୂର୍ବର ସେହି ଅନୁଭୂତିକୁ ବନ ବିଭାଗ କାର୍ଯ୍ୟକାରୀ କରିନଥିଲା।

ସମ୍ବନ୍ଧିତ ଖବର