ନନ୍ଦନକା‌ନନରେ ପୁଣି ପଶିଲା ମାକ୍‌ନା

ବାରଙ୍ଗ: ଗତକାଲି ରାତିରେ ଚନ୍ଦକା ଜଙ୍ଗଲର ମାକ୍‌ନା(ନଂପୁସକ ହାତୀ) ପୁଣି ନନ୍ଦନକାନନକୁ ପଶି ଆସିଥିଲା। ପାଚେରି ଭାଙ୍ଗି ଭିତରକୁ ପଶିବା ପରେ ହାତୀଶାଳ ଆଡ଼କୁ ମୁହାଁଇଥିଲା। କିନ୍ତୁ ନନ୍ଦନକାନନ ହାତୀ ମାନଙ୍କ ପାଖରେ ପହଞ୍ଚି ପାରିନଥିଲା। ହାତୀ ସଫାରି ଜଙ୍ଗଲରେ କିଛି ସମୟ ରହିବା ପରେ ପୁଣି ଚନ୍ଦକା ଜଙ୍ଗଲକୁ ଫେରି ଯାଇଥିଲା। କେବଳ ପାଚେରି ଭାଙ୍ଗିବା ଛଡ଼ା ମାକ୍‌ନା ନନ୍ଦନକାନନର ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନର କୌଣସି କ୍ଷତି କରିନଥିବା ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ୨ଟାବେଳେ ଏହି ମାକ୍‌ନା ହାତୀ ସଫାରି ପଛ ପାଖ ପାଚେରିକୁ ଭାଙ୍ଗି ହାତୀଶାଳ ପଛ ଜଙ୍ଗଲରେ ପଶିଥିଲା। ପାଚେରି ଭାଙ୍ଗିବା ଶବ୍ଦ ଶୁଣି ରାତ୍ର ଜଗୁଆଳମାନେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହାତୀଶାଳରେ ଯେମିତି ନ ପଶିବ, ସେଥିପାଇଁ କର୍ମଚାରୀମାନେ ରାତିସାରା ଟର୍ଚ୍ଚ ବୁଲାଇ ମାକ୍‌ନାକୁ ତଡ଼ିବାକୁ ଉଦ୍ୟମ କରିଥିଲେ। ତେଣୁ ମାକ୍‌ନା ହାତୀ ଉଦ୍ଭିଦ ଉଦ୍ୟାନ ଆଡ଼କୁ ଚାଲିଯାଇଥିଲା। ସେଠାରେ ଆଉ ଏକ ପାଚେରିକୁ ଭାଙ୍ଗିଥିଲା। କିନ୍ତୁ ପୁଣି ପଛକୁ ଫେରି ହାତୀ ସଫାରି ଦେଇ ଚନ୍ଦକା ଜଙ୍ଗଲକୁ ଫେରିଥିଲା। ମାକ୍‌ନା ଏଥର କୌଣସି ବଡ଼ ଧରଣର କ୍ଷୟକ୍ଷତି କରି ନଥିବା ଉପନିର୍ଦ୍ଦେଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୩ ଡିସେମ୍ବର ମାସରେ ପ୍ରଥମ ଥର ପାଇଁ ମାଈ ହାତୀ ହୀରା ପ୍ରତି ଆକୃଷ୍ଟ ହୋଇ ମାକ୍‌ନା ନନ୍ଦନକାନନରେ ପଶିଥିଲା। ସେହିଭଳି ୨୦୧୪ ଜାନୁଆରି ୧ ତାରିଖ ରାତିରେ ନନ୍ଦନକାନନ ହାତୀ ସଫାରି ପଛ ପାଖ ପାଚେରି ଭାଙ୍ଗି ସେ ପୁଣି ଥରେ ପଶିଥିଲା। ସେଥର ହାତୀଶାଳ ପରିସରରେ ଲୁଚି ରହିଲା ଓ ବାହାରିବା ନାଁ ଧରିଲା ନାହିଁ। ତେଣୁ ୨ ତାରିଖ ସକାଳେ ତାକୁ ନନ୍ଦନକାନନର ହାତୀ ବାସନ୍ତୀ ଓ ନନ୍ଦ ସହାୟତାରେ ଘେରା ବନ୍ଦୀ କରିବା ପରେ ନିଶ୍ଚେତକ ଦିଆଯାଇଥିଲା। ପରେ ଟ୍ରକ୍‌ରେ ନେଇ ଚନ୍ଦକା ଅଭୟାରଣ୍ୟ କୁମାରଖୁଣ୍ଟି ନିକଟରେ ଛାଡ଼ି ଦିଆଯାଇଥିଲା। ଏହା ପରେ ପୁଣି ୨୦୧୬ରେ ଓ ୨୦୧୭ରେ ମଧ୍ୟ ମାକ୍‌ନା ହାତୀ ସଫାରିକୁ ପଶି ଆସିଥିଲା। କିନ୍ତୁ କିଛି ଅଘଟଣ ଘଟାଇବା ପୂର୍ବରୁ ତାକୁ ଘଉଡ଼ାଇ ଦିଆଯାଇଥିଲା। ମାତ୍ର ୨୦୧୮ ମସିହାରେ ସେ ନନ୍ଦନକାନନରେ ପଶି ବୟସ୍କା ମାଈ ହାତୀ ବାସନ୍ତୀ ଓ ଛୋଟ ଦନ୍ତା ଚନ୍ଦନକୁ ଆକ୍ରମଣ କରିଥିଲା। ମାକ୍‌ନା ଆକ୍ରମଣରେ ବାସନ୍ତୀ କାନରେ କ୍ଷତ ହୋଇଥିବାବେଳେ ଚନ୍ଦନର ଲାଞ୍ଜରେ ମଧ୍ୟ କ୍ଷତ ହୋଇଥିଲା। ତେବେ ଏଥର ସେ କିଛି କ୍ଷତି କରି ପାରିନାହିଁ।

ସମ୍ବନ୍ଧିତ ଖବର