ଭୁବନେଶ୍ବର: ସୁନ୍ଦରୀ ଚିନ୍ତା ମୁଣ୍ଡରୁ ନ ଯାଉଣୁ ବନ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ହାତୀ ଯଶୋଦା। ପ୍ରଥମ ଥର ପାଇଁ ନରହନ୍ତା ପାଲଟିବା ପରେ ଚନ୍ଦକାର କୁମ୍କି ପ୍ରଶିକ୍ଷିତ ହାତୀ ଯଶୋଦାକୁ ସାତକୋଶିଆ ଅଭୟାରଣ୍ୟରୁ ତୁରନ୍ତ ଫେରାଇ ଆଣିବାକୁ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କିନ୍ତୁ ଭୟ କରୁଛି ବନ ବିଭାଗ। ସ୍ବଭାବରେ ବେଶ୍ ଶାନ୍ତ ରହୁଥିବା ଯଶୋଦା ହଠାତ୍ ଉଗ୍ର ହୋଇପଡ଼ିଥିବା କାରଣରୁ ପୁଣି କାଳେ ବାଟରେ କିଛି ଅଘଟଣ କରି ବସିବ ବୋଲି ଆଶଙ୍କା କରୁଛି ବନ ବିଭାଗ। ତେଣୁ ତା’ର ମାନସିକ ସ୍ଥିତି ଭଲ ଭାବେ ପରଖିବା ପରେ ହିଁ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ତାକୁ ସାତକୋଶିଆରେ ଅଧିକ ଦିନ ରଖିଲେ ବି ପରିସ୍ଥିତି ଅଧିକ ବିଗିଡ଼ିବା ସମ୍ଭାବନା ଥିବାରୁ ବନ ବିଭାଗ ଦ୍ବନ୍ଦ୍ବରେ ପଡ଼ିଥିବା ଜଣାପଡ଼ିଛି। ଏମିତି ସ୍ଥିତିରେ କେବେ ତାକୁ ସାତକୋଶିଆରୁ ଫେରାଇ ଅଣାଯିବ, ତାହା ସ୍ଥିର ହୋଇନାହିଁ। ଏବେ ସାତକୋଶିଆ ପୁରୁଣାକୋଟ୍ ରେଂଜ୍ରେ ରହିଛି ଯଶୋଦା।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ସ୍ଥାନୀୟ ମାଟିଆସାହିର ସୁଦର୍ଶନ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଦଳିଚକଟି ମାରି ଦେବା ପରେ ଯଶୋଦାକୁ ନେଇ ଚିନ୍ତାରେ ପଡ଼ି ଯାଇଛି ବନ ବିଭାଗ। ବାଘୁଣୀ ସୁନ୍ଦରୀ ମୁହଁରୁ ମଣିଷକୁ ବଞ୍ଚାଇବାକୁ ଆସିଥିବା ଯଶୋଦା ଶେଷର ନରହନ୍ତା ପାଲଟି ଯାଇଛି। ତାର ମାନସିକ ସ୍ଥିତି ଦେଖି ଚନ୍ଦକାକୁ ଫେରାଇ ଅଣାଯିବାକୁ ଯୋଜନା କରାଯାଉଛି। ଅପରପକ୍ଷେ ଚନ୍ଦକା ଗୋଡ଼ିବାରୀରେ ନନ୍ଦ ସହ ଦୀର୍ଘ ବର୍ଷ ଏକାଠି ଥିବା ଯଶୋଦା ଏବେ ଏକୁଟିଆ ହୋଇଯାଇଥିବାରୁ ତା’ଠାରେ ହଠାତ୍ ଏଭଳି ଉଗ୍ର ସ୍ବଭାବ ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି। ତେଣୁ ଯେତେ ଅଧିକ ଦିନ ସେ ଏକୁଟିଆ ରହିବ, ସେତେ ବିପଦ ବୋଲି ବି କୁହାଯାଉଛି। ଚନ୍ଦକା ଡିଏଫ୍ଓ କେଦାର କୁମାର ସ୍ବାଇଁଙ୍କ କହିବା କଥା ଯଶୋଦା ନିକଟକୁ ଅଚିହ୍ନା ମଣିଷଟିଏ ଚାଲିଯିବାରୁ ଏଭଳି କାଣ୍ତ ଘଟିଛି। ନଚେତ୍ ସେ ପୂର୍ବଭଳି ଶାନ୍ତ ସ୍ବଭାବର ହାତୀ ହୋଇରହିଛି। ତେବେ ତାକୁ କେବେ ଚନ୍ଦକା ଫେରାଇ ଅଣାଯିବ, ସେ ବାବଦରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। କିନ୍ତୁ ଏ ନେଇ ପିସିସିଏଫ୍ ସନ୍ଦୀପ ତ୍ରିପାଠୀଙ୍କ କହିବା କଥା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାରେ ସହଯୋଗ କରିବା ପାଇଁ ତା’କୁ ଅଣାଯାଇଥିଲା। ଟ୍ରାଙ୍କୁଲାଇଜ୍ ଅପରେସନ୍ ସରିଯାଇଛି। ତେଣୁ ଯଶୋଦାକୁ ତୁରନ୍ତ ପୁଣି ଚନ୍ଦକା ଫେରାଇ ଦିଆଯିବ ଓ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ୩ ତାରିଖରେ ଚନ୍ଦକା ଗୋଡ଼ିବାରୀରୁ ଯଶୋଦାକୁ ସାତକୋଶିଆ ନିଆଯାଇଥିଲା ଓ ୬ତାରିଖ ଦିନ ତା’ ସହଯୋଗରେ ସୁନ୍ଦରୀ ବାଘୁଣୀକୁ କାବୁ କରାଯାଇଥିଲା।