ହାତୀ ‘ଜୁଲି’ର ଅକାଳ ମୃତ୍ୟୁ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅଳ୍ପବୟସ୍କା ମାଈ ହାତୀ ‘ଜୁଲି’ର ଆଜି ସନ୍ଧ୍ୟା ୭ଟା ୯ମିନିଟ୍‌‌‌ରେ ଅକାଳ ମୃତ୍ୟୁ ହୋଇଛି। ଉପନିର୍ଦ୍ଦେଶକ ଜୟନ୍ତ ଦାସଙ୍କ ସୂଚନା ଅନୁଯାୟୀ, ଗତକାଲିଠାରୁ ଜୁଲି ଖାଇବାକୁ ଇଚ୍ଛା କରୁ ନଥିଲା। ଆଜି ଦିନ ୧୧ଟା ବେଳେ ମାନ୍ଦାଳିଆ ରହିବା ସହ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବା ଦେଖି ନନ୍ଦନକାନନର ପ୍ରାଣୀ ଚିକିତ୍ସକ ତା’ର ଚିକିତ୍ସା ଆରମ୍ଭ କରିଥିଲେ। ତାକୁ ୨ଟି ସାଲାଇନ୍ ଦିଆଯିବା ପରେ ରୋଗ ପ୍ରତିଷେଧକ, ଅଗ୍ନିମାନ୍ଦ୍ୟ ଉପଶମ ଓ ଯନ୍ତ୍ରଣା ନିବାରକ ଟିକା ଦିଆଯାଇଥିଲା। କିନ୍ତୁ ଅବସ୍ଥା ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଥିଲା। ପୁଣିଥରେ ସଂଧ୍ୟା ପ୍ରାୟ ୬ଟା ବେଳେ ତାକୁ ସାଲାଇନ୍ ଦେବାକୁ ଯାଇଥିବା ଚିକିତ୍ସକମାନଙ୍କୁ ଦେଖି ସେ ଅସ୍ଥିର ହୋଇଥିଲା। ଚିକିତ୍ସା କରିବାର ସୁଯୋଗ ଦେଇନଥିଲା। କ୍ରମଶଃ ଧୀରେ ଧୀରେ ତଳେ ଆଣ୍ଠୁମାଡ଼ି ବସିବା ପରେ ସବୁ ଦିନ ପାଇଁ ଆଖିବୁଜି ଦେଇଥିଲା। ଉତ୍କଟ ତଳିପେଟ ଅନ୍ତ୍ରଶୂଳଜନିତ କାରଣରୁ ତା’ର ମୃତ୍ୟୁ ହୋଇଥିବା ଚିକିତ୍ସକମାନେ ଅନୁମାନ କରୁଛନ୍ତି। ଆସନ୍ତାକାଲି ଓୟୁଏଟିର ପ୍ରାଣୀ ଚିକିତ୍ସକମାନଙ୍କ ଦ୍ବାରା ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଅପରପେକ୍ଷ ମାତ୍ର ୧୦ ବର୍ଷ ବୟସର ଏହି ହାତୀର ମୃତ୍ୟୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଗଭୀର ମର୍ମାହତ କରିଛି। ଜୁଲିକୁ ୨୦୦୯ ମେ’ ୩୧ତାରିଖରେ ଢେଙ୍କାନାଳରୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ସେତେବେଳେ ତାକୁ ମାତ୍ର ୨ ମାସ ହୋଇଥିଲା। ଜୁଲିକୁ ଅନ୍ୟ ହାତୀ କମଳା, ଗୌରୀ ଓ ମାମା ସହ କୁମ୍‌କି ତାଲିମ୍‌ ପ୍ରଦାନ ଲାଗି ପଠାଇ ଜଙ୍ଗଲ ଜଗୁଆଳ କାର୍ଯ୍ୟରେ ସାତକୋଶିଆ ପଠାଇବାକୁ ବନ ବିଭାଗ ଯୋଜନା କରିଥିଲା। କିନ୍ତୁ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଜୁଲି ଆଖି ବୁଜିଲା। ଫଳରେ କୁମ୍‌କି ତାଲିମ୍‌ ଓ ଜଙ୍ଗଲ ଜଗୁଆଳ ଯୋଜନାକୁ ଶକ୍ତ ଧକ୍କା ଲାଗିଛି। ଅପରପକ୍ଷେ ଜୁଲି ମୃତ୍ୟୁ ପରେ ନନ୍ଦନକାନନର ହାତୀ ସଂଖ୍ୟା ୭କୁ ହ୍ରାସ ପାଇଛି। ସେମାନଙ୍କ ମଧ୍ୟରେ ପ୍ରେମା(୫୫), ବାସନ୍ତୀ(୫୫), ହୀରା(୨୦), ଗୌରୀ(୬), କମଳା(୬), ମାମା (୨) ଓ ଏକ ମାତ୍ର ଦନ୍ତା ଚନ୍ଦନ(୯) ରହିଛନ୍ତି।

ସମ୍ବନ୍ଧିତ ଖବର