ସହର ଛାଡ଼ିଲା ଦନ୍ତା: ଆଜି ଖୋଲା ରହିବ ଜୟଦେବ ବାଟିକା

ତିନି ଦିନ କଲା ହନ୍ତସନ୍ତ, ଦିନତମାମ ଜୟଦେବ ବାଟିକାରେ ବୁଲିଲା

୩ ଦିନ ହେଲା ରାଜଧାନୀବାସୀଙ୍କୁ ହନ୍ତସନ୍ତ କରିଥିବା ଜଙ୍ଗଲୀ ଦନ୍ତା ଆଜି ରାତି ୧୨ଟା ୩୦ ପରେ ସହର ସୀମା ଡେଇଁଛି। ରାଜଧାନୀର ଜନଗହଳିପୂର୍ଣ ଅଞ୍ଚଳରେ ବଡ଼ ବିପଜ୍ଜନକଭାବେ ବୁଲୁଥିବା ଉକ୍ତ ହାତୀକୁ ସହର ବାହାରକୁ ତଡ଼ିବାରେ ବନ ବିଭାଗ ଶେଷରେ ସଫଳ ହୋଇଛି। ଭରତପୁର, ନାକାଗେଟ୍‌, ତପୋବନ ବସ୍ତି, ଖଣ୍ଡଗିରିବାରୀ, ସତ୍ୟସାଇ ଏନ୍‍କ୍ଲେଭ୍‌ ଆଦି ଅଞ୍ଚଳରେ କୋକୁଆ ଭୟ ଖେଳି ଦେଇଥିଲା ହାତୀଟି। ବନବିଭାଗ କର୍ମଚାରୀଙ୍କ ସହିତ ସ୍ଥାନୀୟ ଲୋକେ ମଧ୍ୟରାତ୍ରି ପର୍ଯ୍ୟନ୍ତ ଶୋଇ ପାରି ନଥିଲେ। ହାତୀ ତଡ଼ିବା ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ତୁରନ୍ତ ତାକୁ ନିଶ୍ଚେତକ ଦେଇ ଜଙ୍ଗଲରେ ଛାଡ଼ିଦେବାକୁ ଦାବି ହୋଇଥିଲା।

ଜୟଦେବ ବାଟିକା ଓ ଖଣ୍ଡଗିରି ପାହାଡ଼ ବନ୍ଦ
ଶୁକ୍ରବାର ରାତିରେ ଦନ୍ତାଟି ହର୍ଟିକଲ୍‌ଚର ଫାର୍ମରୁ ବାହାରି ଆଜି ଭୋର୍‌ ସମୟରେ ଜୟଦେବ ବାଟିକାରେ ପଶିଥିଲା। ଭୋର୍‌ ପ୍ରାୟ ୪ଟାବେଳେ ଦନ୍ତା ଖଣ୍ଡଗିରି ଜୟଦେବ ବାଟିକା ରାସ୍ତାରେ ଯାଉ ଯାଉ ଆମ୍ରି ହସ୍ପିଟାଲ ନିକଟରେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲା। ତେଣୁ ତରବରରେ ଜୟଦେବ ବାଟିକା ପାଚେରି ଭାଙ୍ଗି ଭିତରକୁ ପଶି ଯାଇଥିଲା। ଆଜି ଦିନ ତମାମ୍‌ ବାଟିକା ଭିତରେ ହିଁ ଡେରା ପକାଇଥିଲା। ତେଣୁ ପର୍ଯ୍ୟଟକଙ୍କ ପାଇଁ ଜୟଦେବ ବାଟିକା ଓ ଖଣ୍ଡଗିରି ପାହାଡ଼କୁ ବନ୍ଦ କରି ଦିଆଯାଇଥିଲା। ଖଣ୍ଡଗିରି ଥାନା ପୁଲିସ ଓ ବନ ବିଭାଗର କର୍ମଚାରୀମାନେ ଜଗି ରହି ପର୍ଯ୍ୟଟକଙ୍କୁ ବାରଣ କରିଥିଲେ। ଫଳରେ ଆଜି ଖଣ୍ଡଗିରି ବୁଲିବାକୁ ଆସିଥିବା ବହୁ ପର୍ଯ୍ୟଟକ ହତାଶ ହୋଇଥିଲେ। ତେବେ ଶେଷ ସୂଚନା ଅନୁଯାୟୀ ରବିବାର ଜୟଦେବ ବାଟିକ ଖୋଲା ରହିବ ବୋଲି ଜଣାପଡ଼ିଛି।

ଭୟରେ ଘରୁ ବାହାରୁ ନଥିଲେ ସ୍ଥାନୀୟ ବାସିନ୍ଦା
ଦିନବେଳା ଜୟଦେବ ବାଟିକା କୋଳଥିଆ ରାସ୍ତା ଖାଁ ଖାଁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଏକ ପ୍ରକାର ଗୃହବନ୍ଦୀ ହୋଇ ରହିଥିଲେ। ପିଲାଛୁଆ ଓ ମହିଳାମାନେ ଘରୁ ବାହାରି ନଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜରୁରି କାମରେ ପୁରୁଷମାନେ ପଦାକୁ ବାହାରିଥିଲେ ସିନା ହାତୀ ଭୟରେ ଅନ୍ୟମାନେ ଘରେ ରହିବାକୁ ବାଧ୍ୟ ହୋଇଥିଲେ।

ରାତି ପ୍ରାୟ ୧୨ଟା ୩୦ରେ ସହର ସୀମା ଡେଇଁଲା
ହାତୀକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଚାପା ଉତ୍ତେଜନା ସୃଷ୍ଟି ହେବା ଲକ୍ଷ୍ୟ କରି ଆଜି ବନ ବିଭାଗ ଅଧିକ ତତ୍ପର ହୋଇ ଉଠିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀ ଘଉଡ଼ାଇବା କାର୍ଯ୍ୟକ୍ରମ ଜାରି ରହିଥିଲା। ସାଧାରଣତଃ ହାତୀମାନେ ସୂର୍ଯ୍ୟାସ୍ତ ହେବା ପରେ ଜଙ୍ଗଲରୁ ବାହାରିବାକୁ ଚାହାନ୍ତି। ତେଣୁ ସେହି ସମୟକୁ ଲକ୍ଷ୍ୟ କରି ବନ ବିଭାଗ ଓ ଖଣ୍ଡଗିରି ପୁଲିସ ସଜାଗ ହୋଇଥିଲା। ଆମ୍ରି ହସ୍ପିଟାଲରୁ ଜୟଦେବ ବାଟିକା ଚାରିଛକ ପର୍ଯ୍ୟନ୍ତ ରାସ୍ତା ସିଲ୍‌ କରି ଦିଆଗଲା। ଷ୍ଟ୍ରିଟ୍‌ ଲାଇଟ୍‌ ବନ୍ଦ କରି ଦିଆଗଲା। ଏମିତିକି ରାସ୍ତା କଡ଼ରେ ଥିବା ଘରମାନଙ୍କୁ ବାହାର ଲାଇଟ୍‌ ବନ୍ଦ କରିବାକୁ କୁହାଯାଇଥିଲା। ତେଣୁ ପୂରା ରାସ୍ତାକୁ ଅନ୍ଧାର କିଟ୍‌କିଟ୍‌ କରାଯାଇଥିଲା। ହାତୀ ବାହାରିଲେ, ତାକୁ ଖଣ୍ଡଗିରିବାରୀ ଓ ଘାଟିକିଆ ଦେଇ ଜଙ୍ଗଲକୁ ତଡ଼ିଦେବାକୁ ଯୋଜନା କରାଯାଇଥିଲା। ହାତୀର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ତୀକ୍ଷ୍‌ଣ ନଜର ରଖିଥିଲେ। ଠିକ୍‌ା ୧୧ଟା ୩୦ ବେଳେ ହାତୀ ପୁଣି ଜୟଦେବ ବାଟିକାରୁ ବାହାରିଥିଲା। ଏଥର ସେ ଏକାମୁହାଁ ହୋଇ ଖଣ୍ଡଗିରିବାରୀ ଭିତର ଦେଇ ଘଟିକିଆ ଗହୀର ଓ ପରେ ଶ୍ୟାମପୁର ନୂଆଗାଁ ଦେଇ ସହର ସୀମା ଡେଇଁଥିଲା ବୋଲି ଏସିଏଫ୍‌ ଶରତ ଚନ୍ଦ୍ର ସୂଚନା ଦେଇଛନ୍ତି।

ପାଚେରି ଭାଙ୍ଗି ବାହାରୁଥାଏ, ପୁଣି ଭିତରକୁ ପଶୁଥାଏ
ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୧୦ଟା ଭିତରେ ଦନ୍ତାଟି ପ୍ରାୟ ୬ଥର ବାଟିକା ଭିତରୁ ବାହାରିବାକୁ ଉଦ୍ୟମ କରିଥିଲା। ଅନ୍ଧାର ହେଲେ ୬ ଟି ସ୍ଥାନରେ ପାଚେରି ଭାଙ୍ଗି ବାହାରୁଥାଏ ଓ ପୁଣି ଲୋକଙ୍କୁ ଦେଖି ଭିତରକୁ ପଳାଉଥାଏ। ମୁଣ୍ଡରେ ପାଚେରିକୁ ଧୀରେ କରି ଠେଲି ଦେଉଥିଲେ ବି ମଡ଼ମଡ଼୍‍ ହୋଇ ପାଚେରି ତଳେ ପଡ଼ୁଥିଲା। ସେହିଭଳି ପାଚେରିରେ ଲାଗିଥିବା ଗ୍ରିଲ୍‌କୁ ଆଗଗୋଡ଼ରେ ଚାପି ଦେଉଥିଲା। ବାଟିକା ଭିତରେ ଗୁଆଗଛକୁ ଶୁଣ୍ଡରେ ମୋଡ଼ି ପକାଉଥିଲା। ରାତି ପ୍ରାୟ ୮ଟାବେଳେ ସେ ବାଟିକା ଭିତରୁ ବାହାରି ନିକଟସ୍ଥ ବସ୍ତି ଭିତରକୁ ପଶି ଯାଇଥିଲା। ବନ ବିଭାଗ ହାତୀ ପଛେ ପଛେ ଗୋଡ଼ାଇ ଗୋଡ଼ାଇ ତାକୁ ପିଛା କରିବା ସହ ତଡ଼ିବାକୁ ଉଦ୍ୟମ କରିଥିଲା। ଲୋକେ ବି ହାତୀ ଆସୁଥିବା ଭୟରେ କବାଟତାଟି ବନ୍ଦ କରି ଦେଇଥିଲେ। ମାତ୍ର ହାତୀଟି ଘାଟିକିଆ ଆଡ଼କୁ ମୁହାଁଇବା କ’ଣ ପୁଣି ପଛକୁ ଫେରିଲା। ଆଗରେ ଲୋକଙ୍କ ହୋ-ହଲ୍ଲା ପାଟି ତୁଣ୍ଡ ଶୁଣି ସେ ପଛକୁ ଫେରି ଆସି ଜୟଦେବ ବାଟିକା ଭିତରକୁ ପଶିଗଲା। ସେତେବେଳକୁ ରାସ୍ତାକୁ ଖୋଲି ଦିଆଯାଇଥିଲା। ଫଳରେ ଲୋକ ଚଳପ୍ରଚଳ ଚାଲୁ ହୋଇଯାଇଥିଲା। କିନ୍ତୁ ସୌଭାଗ୍ୟକୁ ଦନ୍ତା କାହାର କିଛି କ୍ଷତି ନକରି ସିଧା ବାଟିକା ଭିତରକୁ ପଳାଇଥିଲା। ଏହା ପରେ ପୁଣି ଥରେ ଷ୍ଟ୍ରିଟ୍‌ ଲାଇଟ୍‌ ବନ୍ଦ କରି ରାସ୍ତାକୁ ଅନ୍ଧାର କରାଗଲା। ମାତ୍ର ଲୋକେ ପୁଲିସକୁ ନ ମାନି ହାତୀ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ହାତୀଟି ପାଚେରି କଡ଼ରେ ବୁଲିବା ସହ ବାରମ୍ବାର ପାଚେରି ଭାଙ୍ଗୁଥିବାରୁ ଲୋକେ ମଜା ନେଉଥିଲେ। ଲୋକଙ୍କ ଏଭଳି ଆଚରଣ ବନ ବିଭାଗ ଓ ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଥିଲା।

ରାତି ସାରା ଖାଇଛି ପ୍ରଚୁର କଦଳୀ
କଳିଙ୍ଗ ଷ୍ଟୁଡିଓରୁ ସନ୍ଧ୍ୟାରେ ବାହାରି ଗତରାତି ସାରା ଦନ୍ତା ହର୍ଟିକଲ୍‌ଚର ଫାର୍ମରେ ରହିଥିଲା। ସେଠାରୁ ପ୍ରଚୁର କଦଳୀ ଖାଇଥିଲା। ପ୍ରଚୁର ଗଛ ନଷ୍ଟ କରିବା ସହ ୪/୫ କଦଳୀ କାନ୍ଧି ଖାଇଥିବା ଜଣାପଡ଼ିଛି। ତେଣୁ ହାତୀଟି ତିନି ଦିନ ହେଲା ଉପାସ ରହିବା କଥାକୁ ବନ କର୍ମଚାରୀମାନେ ଅସ୍ୱୀକାର କରିଛନ୍ତି। ସେହିଭଳି ଦିନବେଳା ଛପି ରହୁଥିବା ବଣରେ(କଳିଙ୍ଗଷ୍ଟୁଡିଓ ହେଉ କି ଜୟଦେବ ବାଟିକା ହେଉ) ବିଭିନ୍ନ ଗଛର ଡାଳପତ୍ର ଭାଙ୍ଗି ଖାଉଛି ବୋଲି ବନ କର୍ମଚାରୀମାନେ କହୁଛନ୍ତି।

ବିଚଳିତ ଦନ୍ତାକୁ ନେଇ ଚିନ୍ତା
ଗତ ୩ ଦିନ ହେଲା ବନ ବିଭାଗ ତାକୁ ଜଙ୍ଗଲକୁ ତଡ଼ିବା ବିଫଳ ହେଉଥିବାବେଳେ ଦନ୍ତା ମଧ୍ୟ ଜଙ୍ଗଲକୁ ବାଟ ନପାଇ ବିଚଳିତ ଓ ବିବ୍ରତ ହୋଇପଡ଼ିଥିଲା। ତେଣୁ ସେ ଏବେ ଅଘଟଣ ଘଟାଇବା କିଛି ବିଚିତ୍ର ନୁହେଁ। ତେଣୁ ବନ ବିଭାଗର ଚିନ୍ତା ବଢ଼ି ଯାଇଥିଲା। ତିନି ରାତି ଅନିଦ୍ରା ହୋଇ ତଡ଼ିବାକୁ ହେଉଥିବା ସମସ୍ତ ଚେଷ୍ଟା ବିଫଳ ହୋଇଥିବାରୁ ବନ କର୍ମଚାରୀମାନେ ହତାଶ ହୋଇପଡ଼ିଥିଲେ। ରାତି ୧୨ଟା ୩୦ ପରେ ହାତୀ ସହର ସୀମା ଡେଇଁଥିବା ଜାଣିବା ପରେ ବନବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର