ଖଣ୍ଡଗିରି: ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ଚନ୍ଦକା ଜଙ୍ଗଲରୁ ଆସିଥିବା ଏକ ଦନ୍ତା ହାତୀ ଚନ୍ଦକା ଫିରିକନାଳୀ ଆଦିବାସୀ ସାହିର ଜଣଙ୍କ ବାଡ଼ି ପଟୁ ଏକ ଧାନବସ୍ତା ନେଇ ପଳାଇଛି। ଗାଁରେ ମାଘ ପର୍ବ ଚାଲିଥିବା ଯୋଗୁଁ ଗହଳଚହଳ ଲାଗିଥିଲେ ବି ଦନ୍ତାଟି ବଡ଼ ସତର୍କତାର ସହ ଧାନବସ୍ତା ନେଇ ଜଙ୍ଗଲ ଭିତରକୁ ପଳାଇଛି। ଗତକାଲି କୁଜିମହଲରେ ହିଞ୍ଜିଡ଼ା ମାକ୍ନା ଦେଖାଯାଇଥିବା ବେଳେ ଆଜି ଦନ୍ତା ଦେଖା ଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ହାତୀ ଆତଙ୍କ ଖେଳିଯାଇଛି। ମିଳିଥିବା ସୂଚନାନୁସାରେ, ଚନ୍ଦକା ଅଭୟାରଣ୍ୟ ଟ୍ରେଞ୍ଚ୍କୁ ଲାଗି ରହିଥିବା ଫିରିକନାଳୀ ଆଦିବାସୀ ଗାଁରେ ଏବେ ଚାଲିଛି ମାଘପର୍ବ। ଲୋକେ ବାଜା ବଜାଇ ନାଚଗୀତରେ ମସ୍ଗୁଲ୍ ହେଉଛନ୍ତି। ଆଜି ସନ୍ଧ୍ୟାରୁ ଗାଁ ଲୋକେ ଦାଣ୍ଡରେ ଏକାଠି ହୋଇ ନାଚଗୀତର ମଜା ନେଉଥିଲେ। ଏତିକିବେଳେ ରାମଚନ୍ଦ୍ର ଚିମ୍ପୁଆଙ୍କ ସ୍ତ୍ରୀ ହାତୀ ହାତୀ ବୋଲି ପାଟି କରି ଡାକ ପକାଇଥିଲେ। ଲୋକେ ତାଙ୍କ ଘରକୁ ଧାଇଁ ଯାଇଥିଲେ। ସେତେବେଳକୁ ଏକ ଛୋଟ ଦନ୍ତା ହାତୀ (ବୟସ ପ୍ରାୟ ୧୨ ବର୍ଷ) ଧାନବସ୍ତା ଧରି ହଲିଟହଲି ଯାଉଛି। ଶୁଣ୍ଢ ଉପରେ ଦୁଇ ଦାନ୍ତ ମଝିରେ ଧାନବସ୍ତା ରହିଥିବା ବେଳେ ହାତୀ ନିର୍ଭୟରେ ଜଙ୍ଗଲ ଭିତରକୁ ଚାଲି ଯାଉଛି। ଗ୍ରାମବାସୀମାନେ ପାଟି କଲେ ବି ଦନ୍ତାଟି କର୍ଣ୍ଣପାତ ନକରି ଜଙ୍ଗଲ ଭିତରକୁ ପଶି ଯାଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ବଡ଼ ଟର୍ଚ୍ଚ ଲାଇଟ୍ ପକାଇ ହାତୀକୁ ଖୋଜିଥିଲେ। କିନ୍ତୁ ସେତେବେଳକୁ ଦନ୍ତା ପାର୍ ହୋଇ ସାରିଥିଲା।
ଦନ୍ତା ଲୁଟି ନେଲା ଧାନବସ୍ତା
/sambad/media/post_attachments/wp-content/uploads/2018/02/arjuna-elephant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)