ବନ ବିଭାଗରେ କର୍ମଚାରୀ ମରୁଡ଼ି : ବଢ଼ୁଛି ହାତୀ-ମଣିଷ ସଂଘର୍ଷ

ଭୁବନେଶ୍ବର: ବନ ବିଭାଗରେ କର୍ମଚାରୀ ମରୁଡ଼ି। ଶହ ଶହ ସଂଖ୍ୟାରେ ବନପାଳ ଓ ବନରକ୍ଷୀ ଭଳି କର୍ମଚାରୀ ପଦବି ପୂରଣ କରାଯାଉ ନ ଥିବାରୁ ତୃଣମୂଳସ୍ତରରେ ଗୁରୁତ୍ବପୂର୍ଣ କାର୍ଯ୍ୟ ସମ୍ପାଦନା ବାଧାପ୍ରାପ୍ତ ହେଉଛି। ବିଶେଷକରି ଏହି କାରଣରୁ ସମ୍ପ୍ରତି ହାତୀ-ମଣିଷ ସଂଘର୍ଷ ବଢ଼ିବାରେ ଲାଗିଛି ଓ ଉଭୟ କ୍ଷତିଗ୍ରସ୍ତ ହେଉଛନ୍ତି। ମିଳିଥିବା ସୂଚନାନୁସାରେ ଚନ୍ଦକା ବନଖଣ୍ଡରେ ଏବେ ୧୭ ଜଣ ବନପାଳ ଓ ୧୮ ଜଣ ବନରକ୍ଷୀ କାମ କରୁଛନ୍ତି। କିନ୍ତୁ ନିୟମାନୁସାରେ ଏଠାରେ ୨୫ ଜଣ ବନପାଳ ଓ ୪୫ ଜଣ ବନରକ୍ଷୀ ନିଯୁକ୍ତି ପାଇବା କଥା। ସେହିଭଳି ସମଗ୍ର ରାଜ୍ୟରେ ୨୫୨୬ ଜଣ ବନପାଳଙ୍କ ଆବଶ୍ୟକତା ଥିବାବେଳେ ଏବେ ମାତ୍ର ୧୭ଶହ ଜଣ କାମ କରୁଛନ୍ତି। ସେହିଭଳି ୫୩୫୧ ଜଣ ବନରକ୍ଷୀଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୩୬ଶହ ଜଣ କାମ ଚଳାଉଛନ୍ତି। ଦୀର୍ଘ ଦିନ ହେଲା ୮ଶହ ବନରକ୍ଷୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ତାହା ଅଧାପନ୍ତରିଆ ଅବସ୍ଥାରେ ଫାଇଲ୍‌ ତଳେ ଚାପି ହୋଇ ପଡ଼ିଛି। ତେଣୁ ଏଭଳି ଅବସ୍ଥାରେ ବନ ବିଭାଗର ତୃଣମୂଳସ୍ତରର କାର୍ଯ୍ୟ କେମିତି ହେଉଥିବ ତାହା ଜଳଜଳ ହୋଇ ଦିଶିଯାଉଛି।

ଗତ ୨୩ ତାରିଖର ପିପିଲି ଅଘଟଣକୁ ତର୍ଜମା କଲେ, ବନ କର୍ମଚାରୀଙ୍କ ଅଭାବରୁ ହାତୀ-ମଣିଷ ସଂଘର୍ଷର କରୁଣ ଚିତ୍ର ସ୍ପଷ୍ଟ ହୋଇଯାଉଛି। ୨୨ ତାରିଖ ଅପରାହ୍‌ଣରେ ଚନ୍ଦକା ଜଙ୍ଗଲରୁ ଦନ୍ତା ହାତୀ ବାହୁବଳି ଖୋର୍ଦ୍ଧା ବରୁଣେଇ ପାହାଡ଼ ଦେଇ ଡେଲାଙ୍ଗ ଅଞ୍ଚଳକୁ ଚାଲି ଯାଇଥିଲା। ଡେଲାଙ୍ଗ ଥାନା କୁଆପଦା ଓ ମୋଟରି ଅଞ୍ଚଳ ଦେଇ ବାହୁବଳି ପିପିଲି ବଳଙ୍ଗା ଆଡ଼କୁ ମାଡ଼ି ଯାଇଥିଲେ ବି ବନ କର୍ମଚାରୀମା‌ନେ ତା’ର ପତ୍ତା ପାଇ ନ ଥିଲେ। ଫଳରେ ଖୋର୍ଦ୍ଧା ବନଖଣ୍ଡ ଓ ପୁରୀ ବନଖଣ୍ଡ ପକ୍ଷରୁ ଲୋକଙ୍କୁ ସତର୍କ ସୂଚନା ଦିଆ ପାରି ନ ଥିଲା ଓ ପରଦିନ ୨୩ ତାରିଖ ସକାଳେ ବାହୁବଳି ପାଦରେ ଦଳି ହୋଇ ପିପିଲି ଅଞ୍ଚଳର ଚାରି ଚାରି ଜଣଙ୍କ ଜୀବନ ଚାଲିଗଲା। ଅବଶ୍ୟ ୨୪ ତାରିଖ ସକାଳୁ ବାହୁବଳି ଅନ୍ୟ କୌଣସି କ୍ଷତି ନକରି ପୁଣି ଚନ୍ଦକା ଜଙ୍ଗଲକୁ ଫେରି ଯାଇଥିଲା। ମାତ୍ର ବ୍ୟତିକ୍ରମ ଥିଲା ଯାଜପୁର ନରହନ୍ତା ଦନ୍ତା ନରସିଂହା କ୍ଷେତ୍ରରେ। ତାକୁ ପିଛା କରି କରି ଜଙ୍ଗଲ ଭିତରକୁ ଘଉଡ଼ାଇବା ସମ୍ଭବ ନ ହେବାରୁ ସେ ଯାଜପୁରରେ ଚାରି ଚାରି ଜଣଙ୍କ ଜୀବନ ନେଲା। ଏହା ପରେ ବି ତାକୁ ପୁଣି ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ଉଦ୍ୟମ କରା ନ ଯାଇ ନିଶ୍ଚେତକ ଦେଇ କାବୁ କରାଗଲା ଓ ପରେ ଉପଯୁକ୍ତ ଚିକିତ୍ସା ନ ଯୋଗାଇ ତାକୁ ମୃତ୍ୟୁମୁଖକୁ ଠେଲି ଦିଆଗଲା। ବନକର୍ମଚାରୀମାନଙ୍କ ଅଭିଯୋଗ ଅନୁସାରେ ବିଭିନ୍ନ ସମୟରେ ବିଦ୍ୟୁତ୍ ଆଘାତ କିମ୍ବା ଟ୍ରେନ୍‌ ଧକ୍କାରେ ହାତୀ ମଲେ, ତଳିଆ କର୍ମଚାରୀଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅଥଚ କର୍ମଚାରୀ ଅଭାବରୁ ଏଭଳି ସ୍ଥିତି ଉପୁଜୁଥିଲେ ମଧ୍ୟ ଏହି ଗୁରୁତ୍ବପୂର୍ଣ ପ୍ରସଙ୍ଗ ପ୍ରତି କେହି ନଜର ଦେଉନାହାନ୍ତି। ଖାଲି ପଡ଼ିଥିବା ପଦବି ପୂରଣ ହେଉ ନାହିଁ, ପୁରୁଣା ଭତ୍ତା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉ ନାହିଁ ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିବାରେ ମଧ୍ୟ ପଦାଧିକାରୀମାନେ ଆଗ୍ରହ ପ୍ରଦର୍ଶନ କରୁନାହାନ୍ତି। ତେଣୁ ତଳିଆ କର୍ମଚାରୀମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ଲାଗି ରହିଛି। ଏଭଳି ପରିସ୍ଥିତିରେ ଆଗକୁ ଆଗକୁ ହାତୀ-ମଣିଷ ସଂଘର୍ଷ ବଢ଼ି ଚାଲିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର