ବାରଙ୍ଗ : କୁମାରଖୁଣ୍ଟିରେ ହିଂସ୍ର ହାତୀଙ୍କୁ ଦେଇଥାଆନ୍ତା ତାଲିମ୍‌। ସେଥିପାଇଁ ବନ ବିଭାଗ ଗୋଡ଼ିବାରିରୁ ତାକୁ ନେଇଥିଲା। ମାତ୍ର ବନ ବିଭାଗର ସ୍ବପ୍ନ ଧୂଳସା‌ତ୍ ହୋଇଗଲା। ଯୋଜନା ଫଳବତୀ ହେବା ପୂର୍ବରୁ ସୋମବାର ଭୋର୍ ୪ଟାରେ ସବୁଦିନ ପାଇଁ ଶୋଇଗଲା। ୧୨ ବର୍ଷ ହେଲା ଚନ୍ଦକା ଅଭୟାରଣ୍ୟ ଗୋଡ଼ିବାରିଠାରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ହାତୀ ନନ୍ଦର ଜୀବନ ନାଟକର ଯବନିକା ପଡ଼ିଗଲା। ହଠାତ୍ ସେପ୍‌ଟିସେମିଆରେ ପୀଡ଼ିତ ନନ୍ଦର ଏଭଳି ଆକସ୍ମିକ ମୃତ୍ୟୁ କିନ୍ତୁ ସ୍ଥାନୀୟ ଲୋକଙ୍କୁ ଖୁବ୍‌ ବ୍ୟଥିତ କରିଥିଲା। ବନ ବିଭାଗର ଦାୟିତ୍ବହୀନତାରୁ ୩୫ ବର୍ଷୀୟ କୁମ୍‌କି ପ୍ରିଶିକ୍ଷିତ ନନ୍ଦର ମୃତ୍ୟୁ ହେଲା ବୋଲି ଅଭିଯୋଗ କରି ସ୍ଥାନୀୟ ଲୋକେ ଗୋଡ଼ିବାରି ଫାଟକ ନିକଟରେ ପ୍ରବଳ ପାଟିତୁଣ୍ଡ କରିଥିଲେ। ନନ୍ଦର ଶେଷ ଦର୍ଶନ କରିବାକୁ ଦାବି କରି ସ୍ଥାନୀୟ ଲୋକେ ହୋ-ହଲ୍ଲା କରିଥିଲେ। କିନ୍ତୁ ଚନ୍ଦକା ଥାନା ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Advertisment

ସକାଳୁ ସକାଳୁ ନନ୍ଦର ମୃତ୍ୟୁ ଖବର ପ୍ରଚାରିତ ହୋଇଥିଲା। ଶବ ବ୍ୟବଛେଦ ଲାଗି ପୂର୍ବାହ୍ନ ୧୦ଟା ବେଳକୁ କୁମାରଖୁଣ୍ଟିରେ ପହଞ୍ଚିଥିଲେ ଓୟୁଏଟି ପ୍ରାଣୀ ଚିକିତ୍ସା ନିଦାନ ବିଭାଗ ମୁଖ୍ୟ ପ୍ରଫେସର ସୁଷେଣ ପଣ୍ଡା, ସହକାରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଆଚାର୍ଯ୍ୟ। ପୂର୍ବରୁ ସେଠାରେ ଚନ୍ଦକା ପ୍ରାଣୀଧନ ଅଧିକାରୀ ଡା. କିଶୋର ଚନ୍ଦ୍ର ଦାସ ପହଞ୍ଚି ସାରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ପ୍ରାୟ ୬ ଘଣ୍ଟା ଲାଗିଥିଲା। ବ୍ୟବଚ୍ଛେଦ ପରେ ଜେସିବିରେ ଗାତ କରି ନନ୍ଦର ମୃତଦେହକୁ ପୋତି ଦିଆଯାଇଥିଲା। ପ୍ରଫେସର ପଣ୍ଡାଙ୍କ ସୂଚନାନୁସାରେ, ନନ୍ଦ ସେପ୍‌ଟିସେମିଆରେ ପୀଡ଼ିତ ଥିଲା। କୌଣସି ଜୀବାଣୁଜନିତ ସଂକ୍ରମଣରୁ ନନ୍ଦ ସେପ୍‌ଟିସେମିଆରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ତେବେ ସଂକ୍ରମିତ କରିଥିବା ଜୀବାଣୁଟି କେଉଁ ପ୍ରଜାତିର, ତାହା ଜଣାପଡ଼ିନାହିଁ। ତେଣୁ ନନ୍ଦ ମୃତଦେହରୁ ସଂଗ୍ରହ କରାଯାଇଥିବା ନମୁନା ଗବେଷଣାଗାରକୁ ପଠାଯାଇଛି ଓ ସେଠାରୁ ରିପୋର୍ଟ ଆସିବା ପରେ ଉକ୍ତ ଜୀବାଣୁ ଚିହ୍ନଟ ହୋଇପାରିବ ବୋଲି ସେ କହିଛନ୍ତି। ସମ୍ପ୍ରତି ଅତ୍ୟଧିକ ଗରମ ହେଉଥିବା ବେଳେ ନିକଟରେ ହୋଇଥିବା ବର୍ଷା ଯୋଗୁଁ ବହୁ ପ୍ରକାରର ସଂକ୍ରାମକ ଭୁତାଣୁ ଓ ଜୀବାଣୁ ପ୍ରାଣୀମାନଙ୍କୁ ସଂକ୍ରମିତ କରିଥାଆନ୍ତି ବୋଲି ବିଶେଷଜ୍ଞମାନଙ୍କ ମତ। ତେଣୁ ନନ୍ଦ ସେଭଳି କିଛି ମାରାତ୍ମକ ଜୀବାଣୁ ପ୍ରଭାବ‌ରେ ସଂକ୍ରମଣର ଶିକାର ହୋଇଥିବା ଚିକିତ୍ସକମାନେ ଅନୁମାନ କରିଛନ୍ତି।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ନନ୍ଦ ଅଚାନକ ତଳେ ପଡ଼ିଯାଇଥିଲା। ଚିକିତ୍ସା ପାଇଁ ଓୟୁଏଟି ଔଷଧ ବିଭାଗ ମୁଖ୍ୟ ପ୍ରଫେସର ନିରଞ୍ଜନ ସାହୁ, ଅସ୍ଥି ଓ ଶଲ୍ୟ ବିଭାଗ ମୁଖ୍ୟ ପ୍ରଫେସର ଇନ୍ଦ୍ରମଣୀ ନାଥ, ନନ୍ଦନକାନନର ଡା‌. ସନ୍ତୋଷ ଗୁପ୍ତା ପ୍ରମୁଖ ସେଠାରେ ପହଞ୍ଚି ନନ୍ଦର ଚିକିତ୍ସା କରିଥିଲେ। କିନ୍ତୁ ସେପ୍‌ଟିସେମିଆ ପୀଡ଼ିତ ନନ୍ଦକୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଏଭଳି ସଂକ୍ରମଣର ଶିକାର ହାତୀମାନେ ସାଧାରଣତଃ ୩ ରୁ ୩୬ ଘଣ୍ଟା ମଧ୍ୟରେ ମରିଥାଆନ୍ତି। ତେଣୁ ନନ୍ଦ କ୍ଷେତ୍ରରେ ବି ସେୟା ହୋଇଥିଲା ଓ ପ୍ରାୟ ୧୨ ଘଣ୍ଟା ଭିତରେ ତା’ର ମୃତ୍ୟୁ ହୋଇଯାଇଥିଲା।

publive-image

ଯଶୋଦାକୁ ଝୁରିଝୁରି ମରିଗଲା!
ନନ୍ଦର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଭୋଳା, କୁଜିମହୁଲ, କଣ୍ଟାବାଡ଼ ଓ ସ୍ଥାନୀୟ ଆଦିବାସୀସାହିର ଲୋକେମାନେ ଗୋଡ଼ିବାରି ଫାଟକ ନିକଟକୁ ଧାଇଁଥିଲେ। ବନ ବିଭାଗ ହିଁ ନନ୍ଦକୁ ମାରିଦେଲା ବୋଲି ଅଭିଯୋଗ କରି ପାଟି କରିଥିଲେ। ମାସକ ତଳେ ନନ୍ଦକୁ ଗୋଡ଼ିବାରିରୁ କୁମାରଖୁଣ୍ଟିକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ନିଶ୍ଚେତକ ପ୍ରୟୋଗ କରି ତାକୁ କୁମାରଖୁଣ୍ଟି ନିଆଯାଇଥିଲା। ଗୋଡ଼ିବାରିରୁ କୁମାରଖୁଣ୍ଟି ଦୂରତା ମାତ୍ର ୧୦ କିଲୋମିଟର ଭିତରେ ହୋଇଥିବାରୁ ଗୋଟିଏ ସୁସ୍ଥ ହାତୀକୁ ଅଯଥାରେ ନିଶ୍ଚେତକ ଦିଆଯାଇ ଗାଡ଼ିରେ ନିଆଯାଇଥିଲା। ନି‌ଶ୍ଚେତକ ପ୍ରଭାବରୁ ନନ୍ଦ ଅସୁସ୍ଥ ହୋଇପଡ଼ିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ସେହିଭଳି କିଛି ଲୋକ ନନ୍ଦକୁ ଯଶୋଦାଠାରୁ ଅଲଗା କରିବା କଥାକୁ ଦାୟୀ କରିଥିଲେ। ଦୀର୍ଘ ୧୨ ବର୍ଷ ହେଲା ନନ୍ଦ ଓ ମାଈ ହାତୀ ଯଶୋଦା ଗୋଡ଼ିବାରିରେ ଏକାଠି ରହିଥିଲେ। ଏକାଠି ଜଙ୍ଗଲକୁ ଯାଉଥିଲେ। ଏକାଠି ପର୍ଯ୍ୟଟକଙ୍କୁ ପିଠିରେ ବସାଇ ବୁଲାଉଥିଲେ। ମାତ୍ର ଗତ ମାସରେ ନନ୍ଦକୁ ଯ‌ଶୋଦାଠାରୁ ଅଲଗା କରି କୁମାରଖୁଣ୍ଟିକୁ ନିଆଯାଇଥିଲା। କୁମାରଖୁଣ୍ଟିରେ ହାତୀ ଶଙ୍କର ରହୁଥିଲେ ବି ନନ୍ଦ ତା’ ସହିତ ମିଶି ପାରିନଥିଲା। ପୂରା ଏକୁଟିଆ ହୋଇଯାଇଥିଲା। ଏହି ନିଃସଙ୍ଗ ଜୀବନର କୁପ୍ରଭାବ ନନ୍ଦ ଉପରେ ପଡ଼ିଲା ଓ ସେ ଯଶୋଦାକୁ ଝୁରିଝୁରି ଅସୁସ୍ଥ ହେବା ସହ ପ୍ରାଣ ହରାଇଲା ବୋଲି ଲୋକେ ଅଭିଯୋଗ କରିଥିଲେ।

ବିପଦରେ ଶଙ୍କର ଓ ଯଶୋଦା
ସଂକ୍ରମଣରେ ନନ୍ଦର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହେବା ପରେ ବନ ବିଭାଗର ଚିନ୍ତା ବଢ଼ି ଯାଇଛି। ଗୋଡ଼ିବାରିରେ ରହୁଥିବା ଯଶୋଦା ଓ କୁମାରଖୁଣ୍ଟିରେ ଥିବା ଶଙ୍କରକୁ ନେଇ ବନ ବିଭାଗର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି। ୨୦୨୧ ଫେବ୍ରୁଆରିରେ କଳାହାଣ୍ଡି କଲରାପାଟ ବନଖଣ୍ଡରେ ଏମିତି ସେପ୍‌ଟିସେମିଆ କାରଣରୁ ୬ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ତେଣୁ କଲରାପାଟ ମାମଲା ଭଳି ଚନ୍ଦକାରେ ଅଘଟଣ ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ମତ ପ୍ରକାଶ ପାଇଛି। ତେବେ ଶଙ୍କର ଓ ଯଶୋଦା ଉପରେ ବନ ବିଭାଗ ସତର୍କ ନଜର ରଖିଛି ବୋଲି କୁହାଯାଇଛି।