ହାତୀଙ୍କ ଜଳକ୍ରୀଡ଼ା : ବିଶାଳ ଦନ୍ତା ଚିନ୍ତାର କାରଣ

ଖଣ୍ଡଗିରି : ଆଜି ରାଜଧାନୀବାସୀ ନିକଟରୁ ୩ ଜଙ୍ଗଲୀ ହାତୀଙ୍କ ଜଳକ୍ରୀଡ଼ା ମନଭରି ଉପଭୋଗ କରିଛନ୍ତି। ବିଶାଳ ଦନ୍ତା ସହ ଗୋଟିଏ ମାକେନା ଓ ଅନ୍ୟ ଏକ ଛୋଟ ଦନ୍ତାର ଜଳକ୍ରୀଡ଼ା ଲୋକଙ୍କୁ ବେଶ୍‌ ଆମୋଦିତ କରିଥିଲା। ହାତୀମାନଙ୍କର ଏହି ଜଳକ୍ରୀଡ଼ା ରାଜଧାନୀବାସୀଙ୍କୁ ଯେତିକି ଖୁସି ଦେଇଥିଲା, ସହର ନିକଟରେ ରହୁଥିବା ବିଶାଳ ଦନ୍ତା ପାଇଁ ସେମାନେ ସେତିକି ଭୟଭୀତ ହୋଇ ପଡ଼ିଥିବା ଜଣାପଡ଼ିଥିଲା। ବହୁ ସମୟରେ ହାତୀମାନେ ସହର ଭିତରକୁ ପଶି ଆସୁଥିବାରୁ ଲୋକେ ଏହି ଦନ୍ତା ପାଇଁ ଚିନ୍ତିତ ଓ ଆତଙ୍କିତ ଥିବା ପ୍ରକାଶ କରିଥିଲେ।

ରେଣ୍ଟାଲ କଲୋନି-ଭରତପୁର ରାସ୍ତାକୁ ଲାଗି ରହିଥିବା ଭରତପୁର ସଂରକ୍ଷିତ ଜଙ୍ଗଲର ଏକ ଜଳାଶୟ ରାସ୍ତା କଡ଼କୁ ରହିଛି। ବହୁ ସମୟରେ ହାତୀପଲ ଏହି ଜଳାଶୟକୁ ଆସି ଗାଧୋଇବାବେଳେ ଲୋକେ ଦେଖି ପାରନ୍ତି। ଆଜି ଅପରାହ୍‌ଣ ପ୍ରାୟ ୨ଟାବେଳେ ୩ଟି ହାତୀ ମିଳିତଭାବେ ଏଠାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଥିଲା ଗୋଟିଏ ବଡ଼ ଦନ୍ତା। ବନ ବିଭାଗ କର୍ମଚାରୀମାନଙ୍କ ସୂଚନାନୁସାରେ ଏହି ଦନ୍ତାର ଆନୁମାନିକ ବୟସ ୧୫ ବର୍ଷ ହେବ ଓ ଏହା ବଡ଼ ଭୟଙ୍କର। ମାକେନାକୁ ମଝିରେ ରଖି ଦୁଇ ଦନ୍ତା ଜଳକ୍ରୀଡ଼ା କରୁଥିଲେ। ମାକେନାକୁ ପାଣି ଭିତରେ ଗଡ଼େଇ ତୁଡ଼େଇ ବୁଡ଼ାଇ ଦେଉଥିଲେ। ତେବେ ଜଳାଶୟର ମଝିକୁ ଛୋଟ ଦନ୍ତା ରହୁଥିବାବେଳେ ବଡ଼ ଦନ୍ତା ଅଧିକ ପାଣିକୁ ଆସୁ ନଥିଲା। ପ୍ରାୟ ଏକ ଘଣ୍ଟା କାଳ ସେମାନେ ଜଳକ୍ରୀଡ଼ା କରିବା ପରେ ଜଙ୍ଗଲକୁ ଫେରି ଯାଇଥିଲେ। ଏହି ଦୃଶ୍ୟ ଦେଖିବା ପାଇଁ ରାସ୍ତାରେ ପ୍ରବଳ ଭିଡ଼ ହୋଇଥିଲା। ତେବେ କେହି ପାଟିତୁଣ୍ଡ କରି ହୋ-ହଲ୍ଲା କରି ସେମାନଙ୍କୁ ବିରକ୍ତ କରାଉ ନଥିଲେ। ବନ ବିଭାଗର କର୍ମଚାରୀମାନେ ଲୋକଙ୍କ ନିକଟରେ ରହି ହାତୀମାନଙ୍କ ଉପରେ ନଜର ରଖିଥିଲେ। ବନ କର୍ମଚାରୀମାନଙ୍କ କହିବା କଥା ଏବେ ଏଠାରେ ୨ଟି ମାକେନା ସମେତ ମୋଟ୍‌ ୫ଟି ହାତୀ ଅଛନ୍ତି। ଗୋଟିଏ ହାତୀ ଗୋଠଖଣ୍ଡିଆ ହୋଇ ବୁଲୁଛି।

ସମ୍ବନ୍ଧିତ ଖବର