ମେଣ୍ଢାଶାଳ/ବାରଙ୍ଗ : ଦୀର୍ଘ ୭ ମାସ ପରେ ଦର୍ଶକ ତଥା ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ଚନ୍ଦକା ହସ୍ତୀ ଅଭୟାରଣ୍ୟ। ଗାନ୍ଧୀ ଜୟନ୍ତୀ ଅବସରରେ ଏହି ଅଭୟାରଣ୍ୟ ସାଧାରଣ ଦର୍ଶକଙ୍କ ପାଇଁ ଖୋଲିବ ବୋଲି ବନ ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଆଜି କାର୍ଯ୍ୟକାରୀ ହୋଇଛି। ଆଶା ଓ ଆଶଙ୍କା ଭିତରେ ଥାଇ ସୁଦ୍ଧା ଆଜି ଗୋଡ଼ିବାରିରେ ୭୨ ଟିକେଟ୍ ବିକ୍ରି ହୋଇଥିବା ବେଳେ ଡେରାସ ଡ୍ୟାମ୍ରେ ୧୬୭ ଟିକେଟ୍ ବିକ୍ରି ହୋଇଥିଲା। ଗୋଡ଼ିବାରିରୁ ୯ ହଜାର ଟଙ୍କା ଓ ଡେରାସରୁ ୧୫ହଜାର ଟଙ୍କା ଆୟ ହୋଇଥିବା ଜଣାପଡ଼ିଛି।
ତେବେ ଡେରାସରେ କର୍ମଚାରୀମାନଙ୍କ ମନମାନି କାରଣରୁ ଦର୍ଶକ ଓ ପର୍ଯ୍ୟଟକମାନେ ସମସ୍ୟାରେ ପଡ଼ିଥିବା ଅଭିଯୋଗ ହୋଇଛି। କରୋନା କଟକଣା ପାଇଁ ଦୀର୍ଘ ୭ ମାସ ହେଲା ଏହି ଅଭୟାରଣ୍ୟ ବନ୍ଦ ରହିଥିଲା। ଆଜି ଗାନ୍ଧୀ ଜୟନ୍ତୀରେ ଖୋଲିବ ବୋଲି ବନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ପ୍ରଥମ ଦିନ ଖୋଲିବ କି ନାହିଁ, ସନ୍ଦେହରେ ଥାଇ ବି କିଛି ଦର୍ଶକ ଆଜି ଗୋଡ଼ିବାରିରେ ପହଞ୍ଚିଥିଲେ। ମାତ୍ର ଟିକେଟ୍ କାଉଣ୍ଟର ବନ୍ଦ ଥିବା ଦେଖି ସେମାନଙ୍କ ସନ୍ଦେହ ସତ ହେଲା ଭାବି ନେଇଥିଲେ। ବିଳମ୍ବରେ କର୍ମଚାରୀ ଆସି ଟିକେଟ କାଉଣ୍ଟର ଖୋଲିଥିଲେ ଓ ପର୍ଯ୍ୟଟକମାନେ ଜଙ୍ଗଲ ବୁଲିବାର ମଜା ଉଠାଇଥିଲେ। ଏଠାରେ ହାତୀଙ୍କ ଜଳକ୍ରୀଡ଼ା ବେଶ୍ ଉପଭୋଗ୍ୟ ଥିଲା ବୋଲି ଦର୍ଶକମାନେ କହିଥିଲେ।
ମାତ୍ର ଡେରାସ ଡ୍ୟାମ୍ରେ ପର୍ଯ୍ୟଟକମାନେ ବହୁ ସମୟ ପର୍ଯ୍ୟନ୍ତ ହଇରାଣ ହୋଇଥିଲେ। ଉପସ୍ଥିତ କର୍ମଚାରୀମାନେ ଟିକେଟ୍ କାଉଣ୍ଟର୍ ଖୋଲି ନଥିଲେ। ସେମାନଙ୍କ ପାଖକୁ ନିର୍ଦ୍ଦେଶ ଆସି ନଥିବା କହି କାଉଣ୍ଟର ବନ୍ଦ ରଖିଥିଲେ। ଫଳରେ ଶହ ଶହ ସଂଖ୍ୟାରେ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ପର୍ଯ୍ୟଟକ ଡିଏଫ୍ଓ କେଦାର କୁମାର ସ୍ବାଇଁଙ୍କୁ ଫୋନ୍ରେ ଅଭିଯୋଗ କରିବା ପରେ ସମସ୍ୟାର ସମାଧାନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/chandaka-damapada.jpg)