ସହରମୁହାଁ ହାତୀ ପଲ : ଭରତପୁର ଜଙ୍ଗଲ ପାଚେରି ଦୁର୍ବଳ, ଭୁବ‌ନେଶ୍ବର ଉପକଣ୍ଠ ଲୋକେ ଭୟଭୀତ

ଚନ୍ଦ୍ରଶେଖରପୁର : ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ହାତୀ ନାହାନ୍ତି। ବାତ୍ୟା ‘ଫନି’ ପରେ ହାତୀମାନେ ଜଙ୍ଗଲ ଛାଡ଼ି ପଳାଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ତେବେ ଏବେ ଏହା ଭୁଲ୍‌ ପ୍ରମାଣିତ ହୋଇଛି। ହାତୀ ଛାଡ଼ି ନାହାନ୍ତି, ବରଂ ହାତୀଙ୍କୁ ଏବେ ଅଭୟାରଣ୍ୟରେ ଦେଖିବାକୁ ମିଳିଛି। ଗୋଟିଏ କି ଦୁଇଟି ନୁହେଁ। ଅୟଭାରଣ୍ୟ ଭିତ‌ରେ ଦୁଇରୁ ୩ଟି ହାତୀ ପଲ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ପଲ ଏବେ ଭରତପୁର ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛନ୍ତି। ଜଙ୍ଗଲରେ ବୁଲିବା ସହ ବେଳେବେଳେ ପାଚେରି ନିକଟକୁ ଚାଲି ଆସୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି।

ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ବାଉଁଶ ଗଜା ଧରିବା ସହ ଜଙ୍ଗଲରେ ଥିବା ଜଳାଶୟଗୁଡ଼ିକରେ ପର୍ଯ୍ୟାପ୍ତ ପାଣି ରହିଛି। ଯାହା ସେମାନଙ୍କ ଜଳକ୍ରୀଡ଼ା ପାଇଁ ଅନୁକୂଳ ହୋଇଛି। ଏଥିସହ ଭରତପୁର ସଂରକ୍ଷିତ ଜଙ୍ଗଲରେ ଖାଦ୍ୟ ରହିଥିବାରୁ ଏହି ସମୟରେ ହାତୀ ପଲ ଭରତପୁରକୁ ଆସିଥାନ୍ତି। ବେଳେବେଳେ ଜଙ୍ଗଲ ପାଚେରି ଡେଇଁ ସହର ଭିତରକୁ ପ୍ରବେଶ କରିବାର ନଜିର ରହିଛି। ଜଙ୍ଗଲର କେତେକ ସ୍ଥାନରେ ପାଚେରି ଦୁର୍ବଳ ରହିଥିବାରୁ ଏବେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ଦାସପୁର, ପଥରଗାଡ଼ିଆ, ଅନ୍ଧାରୁଆ, ରେଣ୍ଟାଲ କଲୋନି, ଭରତପୁର ଆଦି ଅଞ୍ଚଳକୁ ଲାଗି ରହିଥିବା ପାଚେରି ନିକଟରେ ହାତୀ ବୁଲୁଥିବାର ଲୋକେ ଦେଖିବାକୁ ପାଇଛନ୍ତି। ପୂର୍ବରୁ ଜଙ୍ଗଲୀ ହାତୀ ସହର ଭିତରକୁ ପ୍ରବେଶ କରିବା ସହ ମଇଁଷି ମାରିବାର ନଜିର ରହିଛି। କାଳେ ପୂର୍ବ ଘଟଣାର ‌ପୁନରାବୃତ୍ତି ଘଟିବ ସେନେଇ ଜଙ୍ଗଲକୁ ଲାଗି ରହୁଥିବା ଲୋକେ ଚିନ୍ତାରେ ପଡ଼ିଛନ୍ତି।

ମିଳିଥିବା ସୂଚନା ମୁତାବକ ଜଙ୍ଗଲ ବାହାରକୁ ହାତୀ ଆସିବା ପାଇଁ ଏକାଧିକ ଦୁର୍ବଳ ସ୍ଥାନ ରହିଛି। ସେଗୁଡ଼ିକ ମଧ୍ୟରେ ପଥରଗାଡ଼ିଆ-ଦାରୁଠେଙ୍ଗ ରାସ୍ତା, ମୈତ୍ରୀ ବିହାର ଚନ୍ଦକା ରେଞ୍ଜ, ନୀଳାଦ୍ରିବିହାର ନିକଟ ପଣ୍ଡା ପାର୍କ, ରେଣ୍ଟାଲ କଲୋନି-କଳିଙ୍ଗ ଷ୍ଟୁଡିଓ ରାସ୍ତା, ଅନ୍ଧାରୁଆ ରାସ୍ତା ଅନ୍ୟତମ। କେତେକ ସ୍ଥାନରେ ପାଚେରି ଦୁର୍ବଳ ‌ରହିଥିବା ବେଳେ ଆଉ କିଛି ସ୍ଥାନରେ ହାତୀଙ୍କ ଚଲାପଥ ରହିଛି। ତେଣୁ ହାତୀମାନେ ସହର ମୁହାଁ ହେବାର ସମ୍ଭାବନା ଅଧିକ ରହୁଛି।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା ମୁତାବକ ଭୁବନେଶ୍ବରକୁ ଲାଗି ଏହି ସଂରକ୍ଷିତ ଜଙ୍ଗଲ ରହିଛି। ତେଣୁ ସେଠାରେ ହାତୀ ରହିବା ସ୍ବାଭାବିକ। ତେବେ ଦୁଇ ଦଶନ୍ଧି ତଳେ ଏହି ଜଙ୍ଗଲରେ ଯେଉଁ ପରିମାଣର ହାତୀ ଥିଲେ ଏବେ ସଂଖ୍ୟା କମିଛି। ଜଙ୍ଗଲ ଭିତରେ ଜନବସତି ଗଢ଼ିଉଠିଛି। ଯାହାକି ହାତୀଙ୍କ ବାସସ୍ଥଳୀ ପାଇଁ ବିପଦ ସୃଷ୍ଟି କରିଛି। ତେ‌ବେ ବର୍ତମାନ ସମୟରେ ଭରତପୁର ଜଙ୍ଗଲରେ ପ୍ରଚୁର ଖାଦ୍ୟ ସହ ଜଳାଶ୍ରୟରେ ପାଣି ରହୁଛି। ତେଣୁ ହାତୀମାନେ ବର୍ଷା ଦିନ ଆରମ୍ଭରୁ ଏଠାକୁ ଚାଲି ଆସିଛନ୍ତି। ଦୁଇରୁ ତିନି ମାସ ରହିବା ପରେ ପୁଣି ଆଠଗଡ଼ ଜଙ୍ଗଲ ଆଡ଼କୁ ପଳାଇ ଯିବେ। ତେବେ ବେଳେବେଳେ ବାଟବଣା ହୋଇ ସହର ଭିତରକୁ ପଶିଆସନ୍ତି। ଧନଜୀବନ ନଷ୍ଟ କରନ୍ତି। ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ରଖିବା ସହ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି।

ଚନ୍ଦକା ଅଭୟାରଣ୍ୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଭରତପୁରକୁ ଆସିଥିବା ଜଙ୍ଗଲୀ ହାତୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ୱାଚ୍‌ ଟାୱାର ଉପରୁ ପ୍ରତିଦିନ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ପର୍ଯ୍ୟଟକମାନେ ଜଙ୍ଗଲ ସଫାରିରେ ଯିବା ସମୟରେ ହାତୀ ଦେଖିବାକୁ ପାଉଛନ୍ତି। ପାଚେରି ପାଖକୁ ଆସିବା କ୍ଷଣି ସେମାନଙ୍କୁ ଘଉଡ଼ାଇବା ଲାଗି ପଦକ୍ଷେପ ନିଆଯାଉଥିବା ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର