ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ହାତୀ: ୨୦୧୭ରେ ଗୋଟିଏ, ଏବେ ୩୭

ଦୁଇ ବର୍ଷ ହେଲା ଜଙ୍ଗଲ ଛାଡ଼ି ଯାଉନାହାନ୍ତି, ଏଠାରେ ଜନ୍ମ ହେଲେଣି ୪ଟି ହାତୀ, ଭରତପୁର ଜଙ୍ଗଲରେ ୧୬ ଟିକିଆ ହାତୀ

ଚନ୍ଦ୍ରଶେଖରପୁର : ୧୯୭୯ରୁ ରାଜ୍ୟରେ ହାତୀ ଗଣନା କରାଯାଉଛି। ପ୍ରଥମ ଗଣନା ସମୟରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଗୋଟିଏ ବି ହାତୀ ନ ଥିଲେ। ୧୯୯୯ ବେଳକୁ ଏଠାରେ ହାତୀଙ୍କ ମଧ୍ୟରେ ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ୮୩ଟି ହାତୀ ଦେଖିବାକୁ ମିଳିଥିଲେ। ୪ ବର୍ଷ ବ୍ୟବଧାନରେ ୨୦୦୨ ହାତୀ ଗଣନା ବେଳକୁ ରାଜଧାନୀ ଉପକଣ୍ଠ ଏହି ଅଭୟାରଣ୍ୟରେ ହାତୀଙ୍କ ସଂଖ୍ୟା ୬୨କୁ ଖସି ଆସିଥିଲା। ୨୦୦୭ରେ ପୁଣି ଗୋଟିଏ ହାତୀ ଦଳ ସାମିଲ ହେବା ପରେ ସଂଖ୍ୟା ୬୭କୁ ବୃଦ୍ଧି ପାଇଥିଲା।

ତେବେ ୨୦୧୦ରେ ଗୋଟିଏ ପରେ ଗୋଟିଏ ଦଳ ଚନ୍ଦକା ଛାଡ଼ି ବାହାର ଜଙ୍ଗଲକୁ ଚାଲିଯାଇଥିଲେ ଏବଂ ସେବେଠାରୁ ହିଁ ଚନ୍ଦକାରୁ ହାତୀଙ୍କ ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୧୦ରେ ହାତୀ ସଂଖ୍ୟା ହ୍ରାସ ପାଇ ୨୩ରେ ପହଞ୍ଚିଥିବା ବେଳେ ୨୦୧୨ରେ ୨୪, ୨୦୧୫ ଗଣନା ବେଳକୁ ସଂଖ୍ୟା ୮ ଥିଲା। ୨୦୧୭ ଗଣନା ସମୟରେ ମାତ୍ର ଗୋଟିଏ ହାତୀକୁ ଦେଖିବାକୁ ମିଳିଥିଲା।

ହାତୀଙ୍କ ଚଳପ୍ରଚଳ ବଢ଼ୁଥିବାରୁ ୧୯୮୨ରେ ୧୭୫.୭୯ ବର୍ଗ କିମିର ଏହି ଜଙ୍ଗଲକୁ ହାତୀ ଅଭୟ‌ାରଣ୍ୟର ମାନ୍ୟତା ପାଇଥିଲା। ୨୦୧୭ରେ ହାତୀ ଗଣନା ରିପୋର୍ଟ ପ୍ରକାଶ ପରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ହାତୀ ଶୂନ୍ୟ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏପରିକି ୨୦୧୯ରେ ବାତ୍ୟା ‘ଫନି’ ପରେ ଏହି ଅଭୟାରଣ୍ୟ ହାତୀଶୂନ୍ୟ ହୋଇଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା।
ବର୍ତ୍ତମାନ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ୨୦୨୩ ହାତୀ ଗଣନା ପ୍ରକ୍ରିୟା ଚାଲିଥିବା ବେଳେ ଚନ୍ଦକାରୁ ଆସିଛି ଭଲ ଖବର।

ଅଭୟାରଣ୍ୟରେ ଏବେ ୩୭ଟି ହାତୀ ରହିଛନ୍ତି। ପାଖାପାଖି ଦୁଇ ବର୍ଷ ହେଲା ହାତୀଗୁଡ଼ିକ ଦୁଇଟି ଦଳରେ ବିଭକ୍ତ ହୋଇ ଏଠାରେ ରହିଛନ୍ତି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ୨୦ରୁ ଅଧିକ ହାତୀ ରହିଥିବା ବେଳେ ରାଜଧାନୀ ସଂଲଗ୍ନ ଭରତପୁର ଜଙ୍ଗଲରେ ୧୬ ଟିକିଆ ହାତୀପଲ ସେଭଳି ଡେରା ପକାଇ ରହିଛନ୍ତି। ଜଙ୍ଗଲ ଛାଡ଼ି ଆଦୌ ଯାଉନାହାନ୍ତି। ଖାଦ୍ୟ ଅନ୍ବେଷଣରେ ବେଳେବେଳେ ସେମାନେ ପାଚେରି ଭାଙ୍ଗି ସହର ଭିତରକୁ ମାଡ଼ି ଆସୁଛନ୍ତି। ମାତ୍ର ନିକଟବର୍ତ୍ତୀ ଆଠଗଡ଼ କିମ୍ବା ଖୋର୍ଦ୍ଧା ବନଖଣ୍ଡକୁ ଯାଉ ନ ଥିବା ଦେଖିବାକୁ ମିଳୁଛି। ଭଲ ଖବର ହେଉଛି ଯେ ଅଭୟାରଣ୍ୟରେ ହାତୀ ଜନ୍ମ ଗ୍ରହଣ କରୁଛନ୍ତି। ଗଲା ଦେଢ଼ବର୍ଷ ମଧ୍ୟରେ ୪ଟି ହାତୀ ଏଠାରେ ଜନ୍ମ ଗ୍ରହଣ କରିଛନ୍ତି। ଯେଉଁଥିପାଇଁ ୩୭ଟି ହାତୀଙ୍କ ମଧ୍ୟରେ ୪ଟି ଛୁଆ ହାତୀ ରହିଥିବା ଜଣାପଡ଼ିଛି।

 

ଚନ୍ଦକା ଡିଏଫ୍‌ଓ ମହମ୍ମଦ ଜମିଲ୍‌ଙ୍କ କହିବାନୁଯାୟୀ ଅଭୟାରଣ୍ୟରେ ଭରପୂର ଖାଦ୍ୟ ରହିଥିବାରୁ ହାତୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବରୁ ଗୋଟିଏ ଦୁଇଟି ହାତୀ ରହୁଥିବା ବେଳେ ଦୁଇ ବର୍ଷ ହେଲା ୩୭ରୁ ଅଧିକ ହାତୀ ଅଭୟାରଣ୍ୟ ଭିତରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଆଠଗଡ଼, ଖୋର୍ଦ୍ଧା, ଖୁଣ୍ଟୁଣି ସମେତ ମହାନଦୀ ଡିଭିଜନ୍‌ରୁ ହାତୀପଲ ବିଭିନ୍ନ ସମୟରେ ଏଠାକୁ ଆସିଥାନ୍ତି। କିଛି ଦିନ ଧରି ଏଠାରେ ରହିବା ପରେ ପୁଣି ଫେରିଯାଆନ୍ତି। ବାତ୍ୟା ‘ଫନି’ ପରେ ପ୍ରଚୁର ବାଉଁଶ ଗଛ ଲଗାଯାଇଥିବ‌ାରୁ ସେମାନଙ୍କ ଖାଇବା ପାଇଁ ଭଲ ହେଉଛି। ଯେଉଁଥିପାଇଁ ହାତୀ ପଲ ଜଙ୍ଗଲ ଛାଡ଼ି ଯାଉନାହାନ୍ତି। ହାତୀମାନେ କେବଳ ଗୋଟିଏ ସ୍ଥାନରେ ରହିବେ ବୋଲି କିଛି ମାନେ ନାହିଁ। ସେମାନେ ଗୋଟିଏ ଦିନରେ ଶତାଧିକ କିଲୋମିଟର ଯାଇପାରିବେ। ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଯିବା ସେମାନଙ୍କର ନିତିଦିନିଆ ଅଭ୍ୟାସ। କଅଁଳିଆ ବାଉଁଶ ଗଛ ରହିଥିବାରୁ ହାତୀ ଛୁଆଙ୍କ ଖାଇବା ଲାଗି ତାହା ଭଲ ହେଉଛି। ପାନୀୟ ଜଳର କୌଣସି ଅଭାବ ନାହିଁ। ୫ଟି ଜଳାଶୟ ମଧ୍ୟରୁ ଗୋଟିଏ ଶୁଖିଯାଇଛି। ବାକି ୪ଟିରେ ପାଣି ରହିଛି। ଆଗକୁ ବର୍ଷା ଦିନ ଆସୁଥିବାରୁ ଜଙ୍ଗଲରେ ବ୍ୟାପକ ବୃକ୍ଷରୋପଣ କରିବା ଦିଗରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର