ନିରାକାରପୁର : ୧୬ ନମ୍ବର ଜାତୀୟ ରାଜପଥରେ ହାତୀପଲ

ନିରାକାରପୁର : କିଛିଦିନ ହେଲା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନଖଣ୍ଡ ଅନ୍ତର୍ଗତ ବଡ଼ପୋଖରିଆ, ତୋଟାପଡ଼ା, ନାଲସିଂହ, ବଘେଇପୁଟ, ରାମେଶ୍ବର, ଖଜୁରୀପଡ଼ା ଓ କାଶୀପୁର ଅଞ୍ଚଳରେ ପ୍ରାୟ ୨୫ଟି ହାତୀ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। ତେବେ ଆଜି ଅପରାହ୍ନ ପ୍ରାୟ ସାଢ଼େ ପାଞ୍ଚଟାବେଳେ ୧୫ଟି ହାତୀ ଚିତ୍ରକୁଟ ପାହାଡ଼ରୁ ଆସି ବଡ଼ପୋଖରିଆ ଛକରେ ୧୬ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିଥିଲେ। ହାତୀପଲକୁ ଦେଖି ଯାତ୍ରୀ ଓ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଜାତୀୟ ରାଜପଥରେ ଉଭୟ ପାର୍ଶ୍ବର ଗମନାଗମନ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ତେବେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ହାତୀପଲକୁ ଘଉଡ଼ାଇ ଦିଆଯାଇଥିଲା। ହାତୀପଲ ନିକଟସ୍ଥ ବଡ଼ପୋଖରୀଆ କାଜୁ ଜଙ୍ଗଲ ମଧ୍ୟକୁ ପଳାଇଥିଲେ ମଧ୍ୟ ଜାତୀୟ ରାଜପଥରେ ହାତୀକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି। ଅନ୍ୟପକ୍ଷରେ ହାତୀ ପଲ ଘଉଡ଼ାଇବା ଦିଗରେ ବନ ବିଭାଗ ଉପଯୁକ୍ତ ପଦକ୍ଷେପ ନେଉ ନ ଥିବାରୁ ହାତୀଗୁଡ଼ିକ ଏଣେତେଣେ ଚାଲିଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ଟାଙ୍ଗୀ ରେଞ୍ଜର ଅଜୟ କୁମାର ଜଗଦେବ କହିଛନ୍ତି ଯେ ହାତୀ ଘଉଡ଼ାଇବା ପାଇଁ ଆବଶ୍ୟକ ସରଞ୍ଜାମ ନ ଥିଲେ ମଧ୍ୟ ୨୫ ଜଣ କର୍ମଚାରୀଙ୍କୁ ନେଇ ୪ଟି ଟିମ୍ ଗଠନ କରାଯାଇଛି। ହାତୀମାନଙ୍କର ଗତିପଥ ପ୍ରତି ଦୃଷ୍ଟି ରଖାଯାଇଥିବା ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର