ଭରତପୁରରେ ମାକେନା ଯୋଡ଼ିଙ୍କ ଜଳକ୍ରୀଡ଼ା

ଗ‌ଣେଶ ପୂଜାରେ ଗଜରାଜ ଦର୍ଶନ, ରାସ୍ତା ଜାମ୍‌

ଖଣ୍ଡଗିରି : ସୋମବାର ଅପରାହ୍ଣରେ ରାଜଧାନୀବାସୀ ପୁଣି ଭରତପୁର ମାକେନା(ହିଞ୍ଜଡ଼ା ହାତୀ) ଯୋଡ଼ିଙ୍କ ଜଳକ୍ରୀଡ଼ା ଦେଖି ବେଶ୍‌ ମଜା ଉଠାଇଛନ୍ତି। କଳିଙ୍ଗନଗର-ରେଣ୍ଟାଲ କଲୋନି ରାସ୍ତା ପାର୍ଶ୍ବସ୍ଥ ଭରତପୁର ସଂରକ୍ଷିତ ଜଙ୍ଗଲର ଜଳାଶୟରେ ଏହି ହସ୍ତୀ ଜଳକ୍ରୀଡ଼ା ଗଣେଶ ପୂଜା ଅବସରକୁ ଅଧିକ ଆନନ୍ଦଦାୟକ କରିଛି। ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ଜଳକ୍ରୀଡ଼ା ପାଇଁ ଭରତପୁର ରାସ୍ତା ଜାମ୍ ହୋଇଥିଲା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଖଣ୍ଡଗିରି ଥାନା ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା।

ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ଭରତପୁର ସଂରକ୍ଷିତ ଜଙ୍ଗଲର ମାକେନା ଯୋଡ଼ି ଏହି ରାସ୍ତା କଡ଼କୁ ଚାଲି ଆସିଥିଲେ। ଏଠାରେ ଥିବା ଏକ ଗଭୀର ଜଳାଶୟରେ ଜଳକ୍ରୀଡ଼ା କରିବା ପାଇଁ ହାତୀମାନେ ବହୁ ସମୟରେ ଆସନ୍ତି। ଏହା ଭରତପୁର ଜଙ୍ଗଲ ପାଇଁ ଏକ ସାଧାରଣ ଘଟଣା ହୋଇଥିଲେ ବି ‌ରାଜଧାନୀବାସୀଙ୍କ ପାଇଁ ମଜାର କଥା। ମାତ୍ର ୧୦/୧୨ ମିଟର ଦୂରରୁ ଜଙ୍ଗଲୀ ହାତୀଙ୍କ ଜଳକ୍ରୀଡ଼ା ଦେଖିବାର ମଜା ନିଆରା। ଏହି ମାକେନା ଯୋଡ଼ି ପାଣି ଭିତରେ ଖେଳିବା ବେଳେ ଠେଲାପେଲା ହେବା, ଶୁଣ୍ଢରେ ପରସ୍ପରକୁ ପାଣି ଫୋପାଡ଼ିବା, ପାଣି ଭିତରେ ଗଡ଼ାଗଡ଼ି ଭଳି ଦୃଶ୍ୟ ବେଶ୍ ମଜାଦାୟକ ଥିଲା। ଏହି ଖବର ବ୍ୟାପିଯିବା ପରେ ଜଗନ୍ନାଥବିହାର, ଭରତପୁର, ରେଣ୍ଟାଲ କଲୋନିବାସୀଙ୍କ ସମେତ ରାସ୍ତାରେ ଯାଉଥିବା ଶହ ଶହ ଲୋକ ସେଠାରେ ଅଟକି ଯାଇଥିଲେ। ‌ଲୋକମାନେ ମୋବାଇଲ୍‌ରେ ଫଟୋ ଉଠାଉଥିବା ବେଳେ କିଛି ଲୋକ ଜଙ୍ଗଲ ପାଚେରି କଡ଼କୁ ଯାଇ ଫଟୋ ନେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ବନ କର୍ମଚାରୀମାନେ ସେମାନଙ୍କୁ ବାରଣ କରିଥିଲେ। ହାତୀମାନଙ୍କୁ ବିରକ୍ତ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଥିଲେ। ତେ‌ବେ ଧୀରେ ଧୀରେ ଲୋକଙ୍କ ଭିଡ଼ ବଢ଼ିବାରୁ ହାତୀଦ୍ବୟ ଜଳାଶୟରୁ ଉଠି ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ।

ବନ କର୍ମଚାରୀଙ୍କ ସୂଚନାନୁସାରେ, ଏବେ ଭରତପୁର ଜଙ୍ଗଲରେ ଦନ୍ତା ହାତୀ ରାମୁ ଓ ଖଣ୍ଡିକୁ ମିଶାଇ ମୋଟ ୫ଟି ହାତୀ ଡେରା ପକାଇଛନ୍ତି। ଗୋଟିଏ ମାଇ ହାତୀ ଓ ଦୁଇଟି ମାକେନା ଅଛନ୍ତି। ଦନ୍ତା ଖଣ୍ଡି ସ୍ବଭାବରେ ଉଗ୍ର ଓ ସେ ଏକାକୀ ରହୁଥିବା ବେଳେ ମାକେନା ଯୋଡ଼ି ହୋଇ ରହୁଛନ୍ତି। ଏବେ ଭରତପୁର ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ତାଳବଣରେ ପାଚିଲା ତାଳ ସରିଯାଇଛି। ତେଣୁ ଏଣିକି ହାତୀମାନେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ବାହାରକୁ ଯିବା ଆଶଙ୍କା ରହିଛି। ଫଳରେ କେତେବେଳେ ରାତିରେ ସହରକୁ ପଶି ଆସିବାର ଭୟ ରହିଛି। ମାତ୍ର ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଗତ ପ୍ରାୟ ମାସେ ହେଲା ଏହି ୫ ହାତୀ ଭରତପୁର ଆସିବାଠାରୁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିଛି।

ସମ୍ବନ୍ଧିତ ଖବର