ଖଣ୍ଡଗିରି: ବାଟବଣା ହୋଇ ରାଜଧାନୀ ଭିତରକୁ ପଶିଆସିଥିବା ଦନ୍ତାକୁ ଆଜି ଭୁବନେଶ୍ବର ଏମ୍ସ ସଂଲଗ୍ନ କାଜୁ ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇଛି। ୨୦୨୨ ନଭେମ୍ବରରେ ଏହି ଦନ୍ତାକୁ ପାତ୍ରପଡ଼ା ଶନିମନ୍ଦିର ନିକଟରେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା ଏବଂ ପରେ ତାକୁ ଜଙ୍ଗଲରେ ଛାଡ଼ିଦିଆଯାଇଥିଲା। ୨ ବର୍ଷ ପରେ ପୁଣି ସେହି ପାତ୍ରପଡ଼ା ଆସି ଫସିଛି ଦନ୍ତା। ଗତଥର ତାକୁ ମୁକ୍ତ ଭାବେ ବିଚରଣ କରିବାକୁ ଜଙ୍ଗଲରେ ଛଡ଼ାଯାଇଥିଲା। ଏଥର କିନ୍ତୁ ତାକୁ ବନ୍ଦୀ କରାଯାଇଛି। ଏଣିକି ସେ ଚନ୍ଦକା ଅଭୟାରଣ୍ୟର କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ରହିବ ଏବଂ କୁମ୍କି ତାଲିମ ନେବ ବୋଲି ଭୁବନେଶ୍ବର ସିଟି ଡିଏଫ୍ଓ ଅଜିତ୍ ଶତପଥୀ ସୂଚନା ଦେଇଛନ୍ତି।
ଗତ ୩ ଦିନ ହେଲା ଜଟଣୀ ଅଞ୍ଚଳରେ ବୁଲୁଥିବା ଏହି ଦନ୍ତା ଗତକାଲି ରାତିରୁ ଭୁବନେଶ୍ବର ଏମ୍ସ ନିକଟ କାଜୁ ଜଙ୍ଗଲରେ ଡେରା ପକାଇଥିବା ଏହି ଦନ୍ତାକୁ ଜଙ୍ଗଲ ଭିତରକୁ ଫେରାଇବାକୁ ବନ କର୍ମଚାରୀ ଦିନ ତମାମ ଉଦ୍ୟମ କରି ବିଫଳ ହୋଇଥିଲେ। ସକାଳୁ ସକାଳୁ ଜଙ୍ଗଲ ଭିତରକୁ ଯାଇଥିବା ସମୟରେ ସ୍ଥାନୀୟ ଲୋକେ ହାତୀଟିକୁ ଦେଖିବାକୁ ପାଇଥିଲେ। ନିକଟରେ ଜନବସତି ଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇଯାଇଥିଲେ। ସକାଳ ପ୍ରାୟ ୯ଟା ବେଳକୁ ଚନ୍ଦକା ଓ ସିଟି ବନଖଣ୍ଡ ଅଧିକାରୀଙ୍କ ସମେତ କର୍ମଚାରୀମାନେ ପହଞ୍ଚିଥିଲେ। ଏହାପରେ ହାତୀ ଘଉଡ଼ାଇବା ଅଭିଯାନ ଆରମ୍ଭ ହୋଇଥିଲା। କାଜୁ ଜଙ୍ଗଲ ଭିତରେ ହାତୀଟି କେଉଁଆଡ଼େ ଯାଉଛି, ତାହା ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ଡ୍ରୋନ୍ର ସହାୟତା ନିଆଯାଇଥିଲା। କାଜୁ ଜଙ୍ଗଲ ଚାରିପାଖରେ ଡ୍ରୋନ୍ ଉଡ଼ାଇ ହାତୀର ଚଳପ୍ରଚଳ ଓ ସ୍ବଭାବ ବିଷୟରେ ନିରୀକ୍ଷଣ କରାଯାଇଥିଲା। ହାତୀ ଯେପରି ଲୋକଙ୍କର କୌଣସି କ୍ଷତି ନ କରିବ, ସେଥିପାଇଁ ୨୦ରୁ ଅଧିକ ବନ କର୍ମଚାରୀ ଜଙ୍ଗଲ ବାହାରେ ଜଗି ରହିଥିଲେ।
ଦିନରେ ହାତୀଟି ଶାନ୍ତ ଥିଲେ ମଧ୍ୟ ତାକୁ ଘଉଡ଼ାଇବାକୁ ବନ କର୍ମଚାରୀମାନେ ଆଦୌ ଉଦ୍ୟମ କରି ନ ଥିଲେ। ହାତୀଟି କାଳେ ଜନବସତି ଆଡ଼କୁ ମାଡ଼ି ଆସିବ, ସେହି ଭୟରେ କର୍ମଚାରୀମାନେ କୌଣସି ପ୍ରକାର ରିସ୍କ ନେବାକୁ ଚାହି ନ ଥିଲେ। ବରଂ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ। ସନ୍ଧ୍ୟା ହେବା ପରେ ହାତୀଟି ଜଙ୍ଗଲରୁ ବାହାରକୁ ବାହାରିଥିଲା। କର୍ମଚାରୀମାନେ ହାତୀକୁ ଭୁବନେଶ୍ବର ସଂଲଗ୍ନ ଭରତପୁର ଜଙ୍ଗଲ ଭିତରକୁ ନେବାକୁ ଉଦ୍ୟମ କରିଥିଲେ। କିନନ୍ତୁ ସେ ଜଙ୍ଗଲମୁହାଁ ହେବା ବଦଳରେ ହାତୀଟି ଏମ୍ସ ପାର୍ଶ୍ବ କାଜୁ ଜଙ୍ଗଲରୁ ବାହାରି ଅପରପାର୍ଶ୍ବରେ ଥିବା ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମି ପାଖରେ ଥିବା କାଜୁ ଜଙ୍ଗଲକୁ ପଳାଇ ଆସିଥିଲା। ରାତିରେ ହାତୀଟି ଅଧିକ ଉତ୍ପାତ କରିବାର ଆଶଙ୍କା ପ୍ରକାଶ ପାଇବାରୁ ବନ କର୍ମଚାରୀମାନେ ତାହାକୁ ଟ୍ରାଙ୍କୁଲାଇଜ୍ କରିଥିଲେ। ରାତି ୯ଟାରେ ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା।
ଏମ୍ସ ନିକଟ କାଜୁ ଜଙ୍ଗଲରେ ଡେରା ପକାଇଲା
ଡ୍ରୋନ୍ ଉଡ଼ାଇ ଜଗିରହିଲେ ବନ କର୍ମଚାରୀ
ଜଙ୍ଗଲକୁ ଘଉଡ଼ାଇ ପାରିଲେନି
କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ ଶିବିରକୁ ସ୍ଥାନାନ୍ତର
ଦେଢ଼ଘଣ୍ଟା ରାସ୍ତା ଜାମ୍, ୨ଘଣ୍ଟା ଅନ୍ଧାର
ଦନ୍ତା ହାତୀଟି କାଜୁ ଜଙ୍ଗଲରୁ ବାହାରି ଅପରପାର୍ଶ୍ବ ଜଙ୍ଗଲକୁ ଯିବା ସମୟରେ ଏମ୍ସ ରାସ୍ତା ଜାମ୍ ହୋଇଯାଇଥିଲା। କାରଣ ଦନ୍ତା ଯେତିକି ଆଗକୁ ଯାଉଥିଲା, ତା’ଠାରୁ ଅଧିକ ପୁଣି ପଛକୁ ଫେରୁଥିଲା। ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ସେ ପଛକୁ ଫେରୁଥିଲା। ହାତୀକୁ ଘଉଡ଼ାଇବାକୁ ଯାଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ କାଟ୍ ହୋଇଥିଲା। ଆଖପାଖ ଅଞ୍ଚଳରେ ଥିବା ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକୁ ବନ୍ଦ କରାଯାଇଥିଲା। ସେହିପରି ସ୍ବତନ୍ତ୍ର ଗାଡ଼ିରେ ହାତୀକୁ ନିଆଯିବା ସମୟରେ ମଧ୍ୟ ବନ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା।
ଦ୍ବିତୀୟ ଥର ନିଶ୍ଚେତକ
ଗୋଠଛଡ଼ା ଏହି ଦନ୍ତା ବାରମ୍ବାର ସହରମୁହାଁ ହେଉଥିବାରୁ ଏଥର ଟ୍ରାଙ୍କୁଲାଇଜ୍ କରାଯାଇ କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରକୁ ନିଆଯାଇଛି। ସେଠାରେ ଅନ୍ୟ ହାତୀଙ୍କ ଭଳି ଏହାକୁ ମଧ୍ୟ ତାଲିମ ଦିଆଯିବ। ପୂର୍ବରୁ ଖୋର୍ଧାର ରାମେଶ୍ୱର ବନାଞ୍ଚଳ ଦେଇ ଡେଲାଙ୍ଗ, ପିପିଲି, ଧଉଳି, ସାମନ୍ତରାପୁର, ଲିଙ୍ଗରାଜ ମନ୍ଦିର, ଭୀମଟାଙ୍ଗୀ, ପୋଖରୀପୁଟ ଓ ଶେଷରେ ପାତ୍ରପଡ଼ାରେ ପହଞ୍ଚିଥିଲା। ସେଠାରେ ତାହାକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ନିୟମ ଅନୁସାରେ ହାତୀଟି ଯେଉଁ ଅଞ୍ଚଳରୁ ସହରମୁହାଁ ହୋଇଥାଏ, ତାକୁ ସେହି ଅଞ୍ଚଳରେ ଛଡ଼ାଯିବା କଥା। ସେହି ଅନୁଯାୟୀ ଖୋର୍ଧା ବନଖଣ୍ଡରେ ହାତୀକୁ ଛାଡ଼ିବା ପାଇଁ ଯୋଜନା ହୋଇଥିଲା। ମାତ୍ର ସେହି ଅଞ୍ଚଳରେ ପ୍ରବଳ ବିରୋଧ ହେବାରୁ ବନ ବିଭାଗ ଶେଷରେ ହାତୀକୁ ଚନ୍ଦକାରେ ଛାଡ଼ିଥିଲା। ଏଥର ସେ ଜଟଣୀ ଅଞ୍ଚଳରୁ ଖୋର୍ଦ୍ଧା ବନଖଣ୍ଡକୁ ଫେରିବା ରାସ୍ତା ଭୁଲି ଭୁବନେଶ୍ବର ଚାଲିଆସିଥିଲା।
ଜଙ୍ଗଲମୁହାଁ ମଣିଷ, ଜନବସତିମୁହାଁ ହାତୀ
ଦିନ ଥିଲା ରାଜଧାନୀ ଉପକଣ୍ଠରେ ଥିଲା ଘଞ୍ଚ ଜଙ୍ଗଲ। ବୁଲୁଥିଲେ ହାତୀ, ଭାଲୁ, କଲରାପତରିଆ। ନା ଥିଲା ଖାଦ୍ୟର ଅଭାବ, ନା କଂକ୍ରିଟ୍ ଜଙ୍ଗଲର ଭୟ। ଦୁଇରୁ ତିନି ଦଶନ୍ଧି ମଧ୍ୟରେ ବଦଳିଯାଇଛି ରାଜଧାନୀର କଳେବର। ଜଙ୍ଗଲମୁହାଁ ହୋଇଛନ୍ତି ମଣିଷ। ଆଉ ଜନବସତି ମୁହାଁ ହୋଇଛନ୍ତି ବନ୍ୟପ୍ରାଣୀ। ହାତୀ, ବାଘ, ଭାଲୁ ଏବେ ସହର ଭିତରେ ପ୍ରବେଶ କରୁଛନ୍ତି। କେତେବେଳେ ବିମାନବନ୍ଦର ଭିତରକୁ କଲରାପତରିଆ ପଶିଯାଉଛି ତ ଆଉ କେତେବେଳେ ଭରତପୁରରେ ଦନ୍ତା କରୁଛି ଉତ୍ପାତ। ଘର ପାଚେରି ଭାଙ୍ଗୁଛି। ଲୋକଙ୍କ ବାଡ଼ିରେ ପଶି ଫସଲ ଉଜାଡ଼ୁଛି।