ବାରଙ୍ଗ: ଆଜି ନନ୍ଦନକାନନରେ ବିଶ୍ବ ହସ୍ତୀ ଦିବସ ପାଳିତ ହୋଇଯାଇଛି। ଅତିଥି ଓ ପର୍ଯ୍ୟଟକମାନେ ଚୁଲ୍‌ବୁଲି ମାମା(୬)କୁ କଦଳୀ ଓ ନଡ଼ିଆ ଆଦି ଫଳ ଦେଇ ଆପ୍ୟାୟିତ କରିଥିଲେ। ସେହିଭଳି ହାତୀ ସଫାରି ଭିତରେ ମାଈ ହାତୀ ହୀରା, ପ୍ରେମା ଓ ବାସନ୍ତୀକୁ ବି ଆଜି ବିଭିନ୍ନ ଫଳ ଓ ଆଖୁ ଖାଇବାକୁ ଦିଆଯାଇଥିଲା। ତେବେ ଏହି ଅବସରରେ ଆସିଛି ଏକ ବଡ଼ ଖୁସି ଖବର। ଯୁବା ହାତୀ ହୀରା ମା’ ହେବାକୁ ଯାଉଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୧୪ ବର୍ଷୀୟା ହୀରା ପ୍ରଥମଥର ପାଇଁ ଗର୍ଭଧାରଣ କରିଥିବା ଜଣାପଡ଼ିଛି। ତେଣୁ ଦୀର୍ଘ ବର୍ଷ ପରେ ନନ୍ଦନକାନନ ହାତୀ ସଫାରିରେ ଏକ ହାତୀ ଶାବକ ଜନ୍ମ ହେବ ବୋଲି କର୍ତ୍ତୃପକ୍ଷ ଓ କର୍ମଚାରୀମାନେ ଖୁସି ଅଛନ୍ତି।

Advertisment

ଆଜି ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହସ୍ତୀ ଦିବସ ଉତ୍ସବର ମୁଖ୍ୟ ଅତିଥି ଭାବେ ପ୍ରଧାନ ମୁଖ୍ୟ ବନସଂରକ୍ଷକ କେଦାର କୁମାର ସ୍ବାଇଁ ଯୋଗ ଦେଇଥିଲେ। ଚେତନା କେନ୍ଦ୍ର ନିକଟରେ ଛୁଆ ହାତୀ ମାମାକୁ ଶ୍ରୀ ସ୍ବାଇଁ ଫଳ ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେଠାରେ ଉପସ୍ଥିତ ଥିବା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ନନ୍ଦନକାନନର କର୍ମଚାରୀ ଓ ପର୍ଯ୍ୟଟକମାନେ ମାମାକୁ ବିଭିନ୍ନ ଫଳ ଖୁଆଇଥିଲେ। ଉପନିର୍ଦ୍ଦେଶକ ସଂଜିତ କୁମାର ଓ ମୁଖ୍ୟ ଅତିଥି ଶ୍ରୀ ସ୍ବାଇଁ ଉପସ୍ଥିତ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କୁ ହସ୍ତୀ ସୁରକ୍ଷା ଉପରେ ବିଭିନ୍ନ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ପରେ ସେମାନେ ହାତୀ ସଫାରିକୁ ଯାଇଥିଲେ। ସେଠାରେ ପ୍ରେମା, ବାସନ୍ତୀ ଓ ହୀରାକୁ କଦଳୀ, ସେଓ, ନଡ଼ିଆ, ଆଖୁ, ତରଭୁଜ ଆଦି ଖୁଆଇଥିଲେ। ଏହି ଅବସରରେ ମାହୁନ୍ତମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ଅନୁଷ୍ଠିତ ହୋଇଯାଇଥିବା ଦସ୍ତଖତ ଅଭିଯାନ, ଚିତ୍ରାଙ୍କନ, ସ୍ଲୋଗାନ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏସିଏଫ୍ ଶରତ ଚନ୍ଦ୍ର ସାହୁ ଓ ରେଞ୍ଜ ଅଫିସର ସୁଦୀପ୍ତ କୁମାର ପଣ୍ଡାଙ୍କ ସହ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏବେ ନନ୍ଦନକାନନରେ କେବଳ ୪ଟି ମାଈ ହାତୀ ଅଛନ୍ତି। ଏଣେ ହୀରା ପୂର୍ଣ୍ଣଯୌବନପ୍ରାପ୍ତ ହୋଇଥିଲେ ବି ମିଳନ ପାଇଁ ତାକୁ ସାଥୀଟିଏ ମିଳୁନାହିଁ। ତେଣୁ ହୀରା ବହୁ ସମୟରେ ଅସ୍ବାଭାବିକ ଆଚରଣ କରୁଛି ଓ ମାହୁନ୍ତମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। କିନ୍ତୁ ଏବେ ସେ ଗର୍ଭବତୀ ଥିବା ଜଣାପଡ଼ିଛି। ଉପନିର୍ଦ୍ଦେଶକ ସଂଜିତ କୁମାର ନିଜେ ଏହି ସୂଚନା ଦେଇଛନ୍ତି। ଗତ କିଛି ମାସ ତଳେ ପାଚେରି ଭାଙ୍ଗି ନନ୍ଦନକାନନ ହାତୀ ସଫାରିକୁ ପଶି ଆସିଥିବା କୌଣସି ଜଙ୍ଗଲୀ ହାତୀ ସହ ତା’ର ମିଳନ ହୋଇଥିବା ଅନୁମାନ କରାଯାଉଛି। ପୂର୍ବରୁ ହୀରା ପ୍ରେମରେ ପାଗଳ ମାକ୍‌ନା ଓ ଅନ୍ୟ ହାତୀ ନନ୍ଦନକାନନ ପାଚେରି ଭାଙ୍ଗି ପଶୁଥିଲେ। ତେଣୁ ସେମିତି କୌଣସି ସମୟରେ ହୀରା ମା’ ହେବାର ସୁଯୋଗ ଲାଭ କରିଛି ବୋଲି କର୍ତ୍ତୃପକ୍ଷ ଅନୁମାନ କରିଛନ୍ତି।