ଚନ୍ଦ୍ରଶେଖରପୁର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଭରତପୁର ଜଙ୍ଗଲ। ଆଉ ସେଠାରୁ ସିଧା ସଳଖ ଶିଖରଚଣ୍ଡୀ ପାହାଡ଼। ଏଭଳି ଏକ ବାଟ ତିଆରି କରିଛନ୍ତି ରାଜଧାନୀ ଉପକଣ୍ଠରେ ଡେରା ପକାଇଥିବା ହାତୀ ପଲ। ଗତ ସପ୍ତାହରେ ଶିଖରଚଣ୍ଡୀ ମୁଣ୍ଡିଆରେ ବନ କର୍ମଚାରୀଙ୍କୁ ପାଣି ପିଆଇଥିବା ହାତୀ ପଲ ପୁଣିଥରେ ଶିଖରଚଣ୍ଡୀ ମୁହାଁ ହୋଇଛନ୍ତି। ଏଥର ୩ଟି ନୁହେଁ, ବରଂ ଦୁଇଟି ହାତୀ ଶିଖରଚଣ୍ଡୀ ପାହାଡ଼ରେ ଗୋଟିଏ ରାତି ବିତାଇବା ପରେ ଭୋର ସମୟରେ ପୁଣିଥରେ ଭରତପୁର ଜଙ୍ଗଲକୁ ଫେରି ଯାଇଛନ୍ତି। କାହାର କୌଣସି କ୍ଷତି କରି ନ ଥିଲେ ମଧ୍ୟ ହାତୀ ଦୁଇଟିକୁ ଦେଖି ସହର ଉପକଣ୍ଠରେ ଲୋକଙ୍କ ମଧ୍ୟରେ ଛନକା ପଶିଛି। ୧୦ ଦିନ ମଧ୍ୟରେ ଶିଖରଚଣ୍ଡୀ ପାହାଡ଼କୁ ବାରମ୍ବାର ହାତୀଙ୍କ ପ୍ରବେଶ ଚିନ୍ତା ବଢ଼ାଇଛି।
ଉପକଣ୍ଠବାସୀ ଭୟଭୀତ, ରାସ୍ତାରେ ଯାଉନାହାନ୍ତି
ଭରତପୁର ଜଙ୍ଗଲ ନିକଟକୁ ଲାଗି ରହିଥିବା ଗଣେଶଘାଟ କଲୋନି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତ ଦୁଇ ସପ୍ତାହ ହେଲାଣି ସେମାନେ ଚୁନକୋଳି ବସ୍ତି ରାସ୍ତା ଦେଇ କଲୋନି ଭିତରକୁ ଯିବା ଆସିବା କରୁନାହାନ୍ତି। ବରଂ କିସ୍-ପଥରଗାଡ଼ିଆ ରାସ୍ତା ଦେଇ ପାଖାପାଖି ୪ କିମି ବୁଲି କଲୋନିକୁ ଯିବା ଆସିବା କରୁଛନ୍ତି। ହାତୀ ବାରମ୍ବାର ଶିଖରଚଣ୍ଡୀକୁ ଆସୁଥିବା ବାଟରେ ଟ୍ରେଞ୍ଜ ଖୋଳିବାକୁ ସ୍ଥାନୀୟ ଲୋକେ ବନ ବିଭାଗକୁ ନିବେଦନ କରିଛନ୍ତି। ଭରତପୁର ଅଭୟାରଣ୍ୟ ଟ୍ରେଞ୍ଜ ଗୁଡ଼ିକ ପୋତି ହୋଇଯାଇଥିବାରୁ ରାତି ହେଲେ ହାତୀଗୁଡ଼ିକ ଚନ୍ଦକାରୁ ହାତୀ ଚଲା ପଥ ରାସ୍ତାରେ ସିଧାସଳଖ ଶିଖରଚଣ୍ଡୀ ଆସୁଛନ୍ତି ଏବଂ ସକାଳ ହେଲେ ପୁଣି ଫେରିଯାଉଛନ୍ତି। ଏହି ସମୟରେ ସେମାନଙ୍କ ଆଗରେ ପାଚେରି, ଘର, ଗଛ ଥିଲେ ତାହାକୁ ଭାଙ୍ଗି ଦେଇଛନ୍ତି। ଏମିତିକି କୌଣସି ପୋଷା ଜନ୍ତୁ ଯଦି ସେମାନଙ୍କ ସମ୍ମୁଖକୁ ଆସିଯାଉଛି ତାହା ହେଲେ ପାଦରେ ଦଳି ଚକଟି ମାରି ଦେଉଛନ୍ତି।
ବନ ବିଭାଗ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଅନ୍ଧାରୁଆ ଓ ପଥରଗାଡ଼ିଆ ଅଞ୍ଚଳରେ ହୋଇଥିବା ପନିପରିବା ଚାଷ ମୋହରେ ସେମାନେ ବାରମ୍ବାର ଜଙ୍ଗଲ ବାହାରକୁ ପଳାଇ ଆସୁଛନ୍ତି। ଏଥିସହ ଜଙ୍ଗଲ ଭିତରେ ଜଳାଶୟ ଅଭାବ ଯୋଗୁଁ ସେମାନଙ୍କ ଜଳକ୍ରୀଡ଼ା ସମ୍ଭବପର ହେଉନାହିଁ। ଯେଉଁଥିପାଇଁ ସେମାନେ ବାହାରକୁ ଚାଲି ଆସୁଛନ୍ତି। ଗତକାଲି ରାତିରେ ଦୁଇଟି ଯାକ ହାତୀ ଭରତପୁର ଜଙ୍ଗଲରୁ ବାହାରି ଶିଖରଚଣ୍ଡୀ ପାହାଡ଼ ଆଡ଼କୁ ପଳାଇ ଆସିଥିଲେ। ଆଜି ଭୋର ସମୟରେ ପୁଣିଥରେ ଜଙ୍ଗଲକୁ ଫେରି ଯାଇଛନ୍ତି। ଅଭୟାରଣ୍ୟରେ ଡେରା ପକାଉଥିବା ହାତୀ ପଲଙ୍କ ଉପରେ ନଜର ରଖାଯାଇଛି।
ଏବେ ଶିଖରଚଣ୍ଡୀ ପାହାଡ଼ରେ ଝଙ୍କାଳିଆ ଗଛ କିମ୍ବା ସବୁଜ ଡାଳପତ୍ର ନଥିବାରୁ ଆଗକୁ ଆଉ ହାତୀମାନେ ଏଠାକୁ ଆସିବେ ନାହିଁ ବୋଲି ଅନୁମାନ କରୁଛନ୍ତି। ଏବେ ଖରା ବଢ଼ୁଥିବାରୁ ସେମାନେ ଦିନରେ ଜଙ୍ଗଲ ବାହାରେ ଅଧିକ ସମୟ ରହିପାରିବେ ନାହିଁ। କାରଣ ଖରା ହେଲେ ସେମାନଙ୍କ ଲାଗି ବଡ଼ ଗଛର ଆବଶ୍ୟକତା ରହିଛି, ଯାହାକି ଏବେ ଭୁବନେଶ୍ବର ଉପକଣ୍ଠରୁ ହଜିବାକୁ ବସିଲାଣି। ଦୁଇ ଦିନ ପୂର୍ବେ ଗୋଟିଏ ହାତୀ ନନ୍ଦନକାନନ ହାତୀ ରହୁଥିବା ସ୍ଥାନକୁ ଚାଲିଯାଇଥିଲା। ସେଠାରୁ ଚିଡ଼ିଆଖାନା ଭିତରକୁ ପ୍ରବେଶ ନେଇ ସୁବିଧା ନ ହେବାରୁ ପୁଣି ଚନ୍ଦକା ଅଭୟାରଣ୍ୟକୁ ଫେରିଯାଇଥିଲା।