ସହରରେ ହାତୀପଲ, ଜଙ୍ଗଲକୁ ଫେରୁନାହାନ୍ତି

ଚନ୍ଦ୍ରଶେଖରପୁର: ପାହାଡ଼ ଉପରେ, ତଳେ; ଯୁଆଡ଼େ ଚାହିଁଲେ ହାତୀ। କେତେବେଳେ ଲୋକ ଦେଖି ବଣବୁଦା ଭିତରେ ଲୁଚି ଯାଉଛନ୍ତି ତ ଆଉ କେତେବେ‌ଳେ ପାହାଡ଼ ଶିଖରରେ ଦୌଡ଼ୁଛନ୍ତି। ୨୪ଘଣ୍ଟା ହେଲା ଏଭଳି ଭାବେ ଶିଖରଚଣ୍ଡୀ ପାହାଡ଼ରେ ଆତଙ୍କ ସୃଷ୍ଟି କରୁଛନ୍ତି ୪ଟିକିଆ ହାତୀପଲ। ଏଥିରେ ଗୋଟିଏ ଦନ୍ତା ସହିତ ଦୁଇଟି ମାଈ ଓ ଗୋଟିଏ ଛୁଆ ହାତୀ ରହିଛନ୍ତି।

ଗୁରୁବାର ରାତିଠାରୁ ହାତୀପଲ ଶିଖରଚଣ୍ଡୀ ପାହାଡ଼ରେ ରହିଥିଲେ ମଧ୍ୟ ବନ ବିଭାଗ ଘଉଡ଼ାଇପାରିନି। ୧୦ରୁ ଅଧିକ କର୍ମଚାରୀ ୨୪ ଘଣ୍ଟା ହେଲା ହାତୀମାନଙ୍କୁ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କିନ୍ତୁ ହାତୀମାନଙ୍କୁ ତଡ଼ିବାରେ ସେମାନେ ସଫଳ ହୋଇପାରିନାହାନ୍ତି। ରାତି ପ୍ରାୟ ୧୨ଟା ବେଳକୁ ହାତୀପଲ ଶିଖରଚଣ୍ଡୀ ପାହାଡ଼ ପା‌ଦଦେଶ ଓ-ହବ୍‌ ନିକଟରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ପାହାଡ଼ ତଳରେ ବସବାସ କରୁଥିବା ଲୋକେ ରାତି ଅନିଦ୍ରା ହୋଇ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ହାତୀ ପଲ ଯେପରି ସହରମୁହାଁ ନ ହୁଅନ୍ତି, ସେଥିପ୍ରତି ବନ ବିଭାଗ କର୍ମଚାରୀ ଓ ପୁଲିସ ଜଗିଛି।

ବାଣ ଧରି ଜଗି ବସିଛନ୍ତି ବନ କର୍ମଚାରୀ
ଦନ୍ତା ଭୟଙ୍କର, ଛୁଆକୁ ସୁରକ୍ଷା ଦେଉଛି ମା’

ଶୁକ୍ରବାର ସକାଳୁ ସ୍ଥାନୀୟ ଅଞ୍ଚଳ ଲୋକେ ମର୍ଣ୍ଣିଂୱାର୍କ କରୁଥିବା ସମୟରେ ପାହାଡ଼ ଉପରେ ଦୁଇଟି ହାତୀ ବୁଲୁଥିବାର ଦେଖିବା କ୍ଷଣି ଶିଖରଚଣ୍ଡୀ ମନ୍ଦିର ପୂଜକ ଓ ବନ ବିଭାଗକୁ ଖବର ଦେଇଥିଲେ। ସକାଳ ୬ଟାରେ ବନ କର୍ମଚାରୀମାନେ ପହଞ୍ଚିଲା ବେଳକୁ ହାତୀଗୁଡ଼ିକ ପାହାଡ଼ ଉପରେ ରହିଥିବା ଦେଖିବାକୁ ପାଇଥିଲେ ଏବଂ ଘଉଡ଼ାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁଥିଲେ। ମାତ୍ର ସଫଳତା ମିଳି ନଥିଲା। ଲଣ୍ଡା ହୋଇଥିବା ହନୁମାନ ପାହାଡ଼ରେ ସେମାନଙ୍କୁ ଘଉଡ଼ା ଯାଉଥିବା ବେଳେ ସେମାନେ ଶିଖରଚଣ୍ଡୀ ପାହାଡ଼କୁ ପଳାଇ ଯାଉଥିଲେ। ହାତୀମାନେ ବଣବୁଦା ମଧ୍ୟରୁ ଖୁବ୍‌ କମ୍‌ ସମୟ ବାହାରକୁ ବାହାରୁଥିବାରୁ ବନ କର୍ମଚାରୀମାନଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ପର୍ଯ୍ୟନ୍ତ ହାତୀପଲ ହନୁମାନ ପାହାଡ଼ ଉପର ଏକ ବୁଦା ନିକଟରେ ଲୁଚି ରହିଥିଲେ।

ମଧ୍ୟାହ୍ନରେ କିଛି ସମୟ ବର୍ଷା ହେବାରୁ ହାତୀମାନେ ଭରତପୁର ଜଙ୍ଗଲ ଆଡ଼କୁ ଚାଲିଯାଇଥିଲେ। ଏହି ସମୟରେ ବନ କର୍ମଚାରୀମାନେ ସେମାନଙ୍କ ଉପରେ ନଜର ରଖିବା ସହ ପଥରଗାଡ଼ିଆ ଓ ଚୁନୁକୋଳି ବସ୍ତି ରାସ୍ତାକୁ ସିଲ୍‌ କରିଦେଇଥିଲେ। ଅପରାହ୍‌ଣ ପ୍ରାୟ ୪ଟା ବେଳକୁ ହାତୀପଲ ଭରତପୁର ଜଙ୍ଗଲମୁହାଁ ହୋଇଥିଲେ। ତାହାକୁ ନଜରରେ ରଖି ପଥରଗାଡ଼ିଆର ୨୦୦ ଫୁଟିଆ ରାସ୍ତାକୁ ବନ କର୍ମଚାରୀମାନେ ସିଲ୍‌ କରିଥିଲେ। ମାତ୍ର ସନ୍ଧ୍ୟା ବେ‌ଳକୁ ହାତୀ ପଲ ପୁଣିଥରେ ପାହାଡ଼ ମୁହାଁ ହୋଇଥିଲେ। ରାତି ପ୍ରାୟ ୮ଟା ବେଳକୁ ୪ଟି ଯାକ ହାତୀ ଓ-ହବ୍‌ ନିକଟ ଜଙ୍ଗଲରେ ରହିଥିବା ଜଣାପଡ଼ିଛି। ରିପୋର୍ଟ ଲେଖା ହେଲା ବେଳକୁ ବନ କର୍ମଚାରୀ ହାତରେ ବାଣ ଧରି ଓ-ହବ୍‌ ନିକଟରେ ହାତୀ ପଲକୁ ଜଗି ରହିଛନ୍ତି।

ଗଣେଶ ଘାଟ କଲୋନି ଦେଇ ପଶିଛନ୍ତି

ବନ ବିଭାଗ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ହାତୀପଲ ଚନ୍ଦକା ଅଭୟାରଣ୍ୟରୁ ବାହାରି ଭରତପୁର ଜଙ୍ଗଲ ପାଖ ଦେଇ ପଥରଗାଡ଼ିଆ ଗଣେଶ ଘାଟ କଲୋନି ଓ ଓ-ହବ୍ ପଛ ପାଖ ଦେଇ ଶିଖରଚଣ୍ଡୀ ପାହାଡ଼ର ହନୁମାନ ମୁଣ୍ଡିଆକୁ ଚାଲି ଆସିଥିଲେ। ଗୁରୁବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଭରତପୁର ଟ୍ରେଞ୍ଚ ନିକଟ ଗଣେଶ ଘାଟ କଲୋନି ପାରି ହୋଇ ଆସିଥିବା ସ୍ଥାନୀୟ ଲୋକ ଦେଖିଛନ୍ତି। ଶିଖରଚଣ୍ଡୀ ପାହାଡ଼ରେ ସକାଳ ହୋଇଯିବାରୁ ସେମାନେ ଗୋଟିଏ ସ୍ଥାନରେ ଅଟକି ଯାଇଥିଲେ। ଦିନ ସମୟରେ ସେମାନେ ଜଙ୍ଗଲ ବାହାରକୁ ଆସୁ ନ ଥିବାରୁ ଘଉଡ଼ାବାକୁ ଅସୁବିଧା ହୋଇଥିଲା। ରାତି ହେବା ପରେ ଆମେ ବାଣ ମାରି ହାତୀ ପଲକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଫଳପ୍ରଦ ହୋଇ ନଥିଲା। ଆମେ ସେମାନଙ୍କ ଉପରେ ନଜର ରଖିଛୁ। ସହର ମଧ୍ୟକୁ ପଶି ଯେପରି ଲୋକଙ୍କ କ୍ଷତି ନ କରେ ସେଥିପ୍ରତି ଗୁରୁତ୍ବ ଦେଉଛୁ।

ଆକ୍ସନ୍‌ ମୁଡ୍‌ରେ ଦନ୍ତା

ହାତୀଗୁଡ଼ିକ ଶିଖରଚଣ୍ଡୀ ପାହାଡ଼ରେ ଭୟଙ୍କର ବାତାବରଣ ସୃଷ୍ଟି କରିଥିଲେ। ପ୍ରତ୍ୟକ୍ଷଦର୍ଶୀ ସୁଦର୍ଶନ ମିଶ୍ରଙ୍କ କହିବାନୁଯାୟୀ ଦନ୍ତା ହାତୀଟି ଆକ୍ସନ-ମୁଡ୍‌ରେ ରହିଛି। ଲୋକଙ୍କୁ ଦେଖିବା କ୍ଷଣି ଗୋଡ଼େଇ ଆସୁଥିଲା। ଯେଉଁଥିପାଇଁ ସକାଳୁ ପାହାଡ଼ ଉପରେ ସେମାନେ ଲୁଚି ରହିଥିବାରୁ କୌଣସି ବି ପର୍ଯ୍ୟଟକଙ୍କୁ ପାହାଡ଼ ଉପରକୁ ପ୍ରବେଶ ଲାଗି ଅନୁମତି ମିଳି ନଥିଲା। ସମୟ ସମୟରେ ହାତୀଗୁଡ଼ିକ ଗର୍ଜନ କରୁଥିବାର ଶବ୍ଦ ଶୁଣିବାକୁ ମିଳିଥିଲା। ଛୋଟ ହାତୀଦ୍ବୟଙ୍କ ସୁରକ୍ଷା କବଚ ଭାବେ ଦନ୍ତା ଓ ମାଈ ହାତୀ ଜଗି ରହିଥିଲେ।

ବାଟ ଭୁଲିଯାଇଛନ୍ତି

ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଜଣେ ଅଧିକାରୀଙ୍କ କହିବା କଥା, ଢେଙ୍କାନାଳ ଜିଲ୍ଲା କପିଳାସରୁ ଏକ ୧୪ ଟିକିଆ ଦଳ ଚନ୍ଦକା ଆସିଛନ୍ତି। ସେଥିରୁ ୪ଟି ହାତୀ ଦିଗ ପରିବର୍ତ୍ତନ କରି ଭରତପୁର ଜଙ୍ଗଲକୁ ଯିବା ପରିବର୍ତ୍ତେ ଶିଖରଚଣ୍ଡୀ ହନୁମାନ ପାହାଡ଼କୁ ଚାଲି ଆସିଛନ୍ତି। ଫେରିବା ଲାଗି ବାଟ ଖୋଜୁଥିଲେ ମଧ୍ୟ ପାଉନାହାନ୍ତି। ପାହାଡ଼ ଲଣ୍ଡା ହୋଇଯାଇଥିବାରୁ ସେମାନେ ସିଧାସଳଖ ହାତୀ ଚଲାପଥ ଦେଇ ମୁଣ୍ଡିଆ ଉପରକୁ ଚାଲି ଆସୁଛନ୍ତି। ଏବେ ପନିପରିବା ଫସଲ ଓ ହାଣ୍ଡିଆ ବାସ୍ନା ହେଉଥିବାରୁ ସେମାନେ ସହର ଉପକଣ୍ଠମୁହାଁ ହେଉଛନ୍ତି।

ସମ୍ବନ୍ଧିତ ଖବର