ଭୁବନେଶ୍ବର : ରାଜଧାନୀରେ ମାତିଛନ୍ତି ନିଶାଦିଆ ଲୁଟେରା। ଲିଫ୍ଟ ଦେବା ଆଳରେ ଗତ ୩୧ ଜାନୁଆରିରେ ଜଣେ ଶିକ୍ଷକଙ୍କୁ ଆଚାର୍ଯ୍ୟବିହାରରୁ ଲୁଟିଥିବା ବେଳେ ଗତକାଲି ମଧ୍ୟ ସମାନ ଢଙ୍ଗରେ ଜଣେ ଯୁବକଙ୍କୁ ସତ୍ସଙ୍ଗବିହାରରୁ ଲୁଟ୍ କରିଛନ୍ତି। ସହିଦନଗର ଥାନାରେ ଲୁଟ୍ର ଶିକାର ଯୁବକ କେନ୍ଦ୍ରାପଡ଼ାର ବୀରେନ୍ କୁମାର ଅଭିଯୋଗ କରିଛନ୍ତି। ଗତ ୧ ତାରିଖ ଦିନ ସେ ବେଙ୍ଗାଲୁରୁରୁ ବିମାନରେ ଭୁବନେଶ୍ବର ଆସିବା ପରେ ସତ୍ସଙ୍ଗବିହାରରୁ କେନ୍ଦ୍ରାପଡ଼ା ଯିବା ପାଇଁ ବସ୍କୁ ଅପେକ୍ଷା କରିଥିଲେ। ସକାଳ ପ୍ରାୟ ୬ଟା ବେଳେ ସେ ସତ୍ସଙ୍ଗବିହାର ଛକରେ ଛିଡ଼ା ହୋଇଥିବା ବେଳେ ତାଙ୍କ ପାଖରେ ଏକ କାର୍ ଆସି ଲାଗିଥିଲା। କାର୍ ଚାଳକ ତାଙ୍କୁ କେଉଁଠାକୁ ଯିବ ବୋଲି ପଚାରିଥିଲା। ବୀରେନ୍ କେନ୍ଦ୍ରାପଡ଼ା ଯିବାକୁ ବସ୍କୁ ଅପେକ୍ଷା କରିଥିବା କହିବା ପରେ କାର୍ ଚାଳକ ମଧ୍ୟ କେନ୍ଦ୍ରାପଡ଼ା ଯାଉଥିବା କହିଥିଲେ। ତେଣୁ ସେ ତାଙ୍କୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଲିଫ୍ଟ ଦେବେ ବୋଲି କହିଥିଲେ।
ବୀରେନ୍ ଧୂର୍ତ୍ତ କାର୍ ଚାଳକର ଚାଲ୍ ବୁଝି ନପାରି ଗାଡ଼ିରେ ବସି ଯାଇଥିଲେ। କଟକରେ କାର୍ ଚାଳକ ଗାଡ଼ି ଅଟକାଇ ୨ଟି ଅମୁଲ କୁଲ୍ ଆଣି ବୀରେନଙ୍କୁ ପିଇବାକୁ ଦେଇଥିଲେ। ବୀରେନ୍ ଅମୁଲ କୁଲ୍ ପିଇବା ପରେ ଚେତା ହରାଇଥିଲେ। କାର୍ ଚାଳକ ତାଙ୍କ ବ୍ୟାଗ୍ରେ ଥିବା ପ୍ରାୟ ୪୦ ହଜାର ଟଙ୍କା, ଏଟିଏମ୍, ମୋବାଇଲ୍ ଓ ପର୍ସ ଲୁଟିନେଇ ତାଙ୍କୁ ଛତିଆ ନିକଟସ୍ଥ ଏକ ପଡ଼ିଆ ପାଖରେ ଫୋପାଡ଼ି ଫେରାର୍ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ଗତ ମାସରେ ଜଣେ ବ୍ୟବସାୟୀଙ୍କୁ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ନିଶାଦିଆ ଲୁଟେରା ଖଣ୍ଡପଡ଼ା ଯାଏଁ ଲିଫ୍ଟ ଦେବା ବାହାନାରେ ଲୁଟି ଚନ୍ଦକା ଜଙ୍ଗଲରେ ଫୋପାଡ଼ି ଫେରାର୍ ହୋଇଯାଇଥିଲେ। ଏମିତି ନିଶାଦିଆ ଲୁଟେରା ଯାତ୍ରୀଙ୍କୁ ଟାର୍ଗେଟ୍ କରି ଲୁଟ୍ପାଟ୍ କରୁଛନ୍ତି।