ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ଗୁରୁବାରଠାରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ମାତ୍ର କରୋନା ସଂକ୍ରମଣ ସ୍ବାଭାବିକ ପରିସ୍ଥିତିକୁ ଫେରି ନ ଥିବାରୁ ଉପସ୍ଥାନ କମ୍ ରହିଥିଲା। କେଉଁଠି ଅଧା ପିଲା ଆସିଥିଲେ ତ ଆଉ କେଉଁଠି ହାତଗଣତି ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମ ଦିନର ପାଠପଢ଼ା ହୋଇଛି। ପୂର୍ବାହ୍ନ ୧୦ଟାରୁ ପାଠପଢ଼ା ଆରମ୍ଭ ହେବାକୁ ଥିବାରୁ ଏହାର ଯଥେଷ୍ଟ ପୂର୍ବରୁ ଅଭିଭାବକଙ୍କ ସହ ପିଲାମାନେ କଲେଜରେ ପହଞ୍ଚି ଯାଇଥିଲେ। କାଳେ କୌଣସି ଅସୁବିଧା ହେବ ଅଭିଭାବକମାନେ ପିଲାଙ୍କ ସାଙ୍ଗରେ ରହିବା ସହ କେଉଁ ରୁମ୍, ରୋଲ୍ ନମ୍ବର ଆଦି ଖୋଜି ଦେଇଥିଲେ। ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ କଲେଜରେ ପାଦ ଥାପିଥିବାରୁ ସେମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ରହିଥିଲା। ମାତ୍ର କ୍ଲାସରୁମ୍ରେ ପ୍ରବେଶ ପରେ ଶିକ୍ଷକମାନଙ୍କ ବ୍ୟବହାର ସମସ୍ତ ଭୟକୁ ଦୂର କରିଦେଇଥିଲା।
ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ଜାରି ରହିଥିବାରୁ କଲେଜ କର୍ତୃପକ୍ଷ ମଧ୍ୟ ଆଗୁଆ ବ୍ୟବସ୍ଥା କରିଥିଲେ। କ୍ୟାମ୍ପସକୁ ବିଶୋଧନ କରିବା ସହ ସାମାଜିକ ଦୂରତା ରକ୍ଷା ଉପରେ ପ୍ରାଥମକିତା ଦେଇଥିଲେ। ମାତ୍ର ପ୍ରଥମ ଦିନରେ ଅଧିକାଂଶ ଶିକ୍ଷାନୁଷ୍ଠାନରେ କରୋନା କଟକଣା ପାଳନ ହେଉ ନ ଥିବାରୁ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀ ଅଭିଭାବକଙ୍କ ସହମତିପତ୍ର ଆଣି ଅଫ୍ଲାଇନ୍ କ୍ଲାସରେ ଅଂଶଗ୍ରହଣ କରିଛନ୍ତି। କ୍ୟାମ୍ପସରେ ପାନୀୟ ଜଳ ସୁବିଧା କରାଇବା, ପରିବହନ ବ୍ୟବସ୍ଥାକୁ ଏଡ଼ାଇବା ଦିଗରେ ବିଦ୍ୟାଳୟଗୁଡ଼ିକ ଯଥାସମ୍ଭବ ଚେଷ୍ଟା କରିଛନ୍ତି। ଘରୋଇ ବିଦ୍ୟାଳୟ ଏକ୍ଷେତ୍ରରେ ଅଧିକ ଗୁରୁତ୍ବ ଦେଇଛନ୍ତି। କ୍ଲାସରୁମ୍ରେ ବସିବା ସମୟରେ ସାମାଜିକ ଦୂରତା ରକ୍ଷା, ପ୍ରତି ପିଲାଙ୍କ ପାଇଁ ନିଦ୍ଧିଷ୍ଟ ସ୍ଥାନ ଚିହ୍ନଟ, ଷ୍ଟାଫ୍ କମନ୍ ରୁମ୍ରେ ଦୂରତା ରକ୍ଷା, ମାସ୍କ ପରିଧାନ, ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାବୁନ୍ ରଖିବା, ହାତ ଧୋଇବାକୁ ବାଧ୍ୟତାମୂଳକ କରିବା, ସ୍ବତନ୍ତ୍ର ଆଇସୋଲେସନ୍ ରୁମ୍ ରଖିଛନ୍ତି। କ୍ଲାସରୁମ୍ ଶିକ୍ଷା ସହ ହଷ୍ଟେଲ ଖୋଲିଥିବାରୁ ସେଠାରେ ବି କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଗଣଶିକ୍ଷା ବିଭାଗ ସମେତ ଏସ୍ଟି ଓ ଏସ୍ସି ଉନ୍ନୟନ ବିଭାଗ, ପଛୁଆ ବର୍ଗ ବିକାଶ ବିଭାଗ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟଗୁଡ଼ିକର କ୍ଲାସ୍ ମଧ୍ୟ କଟକଣା ଅନୁଯାୟୀ ଖୋଲିଛି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଏକାଦଶ ଶ୍ରେଣୀ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ଭିତରେ କ୍ଲାସ୍ କରିବାକୁ ଆଗ୍ରହ ଦେଖିବାକୁ ମିଳିଛି। ପ୍ରଥମ ଦିନ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଏଭଳି ଫିଡ୍ବ୍ୟାକ ଆସିଛି। ପୂର୍ବରୁ ଜାରି ହୋଇଥିବା ଏସ୍ଓପି କଡ଼ାକଡ଼ି ପାଳନ ହେଉଛି। କରୋନା ଯେହେତୁ ସମ୍ପୂର୍ଣ୍ଣ ଭାବେ ଯାଇନି, ସେଥିପାଇଁ ଶିକ୍ଷା ସହ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଛି। ପାଠପଢ଼ା ମନିଟରିଂ ଟିମ ଗଠନ ହୋଇଛି। ଦେହ ଭଲ ନ ଲାଗିଲେ ଛାତ୍ରଛାତ୍ରୀ ସ୍କୁଲ ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/keshab-1.jpg)