ଭୁବନେଶ୍ବର: ବାହାରେ ତାଲା ଝୁଲୁଛି। ହେଲେ ଭିତରେ ଜମୁଛି ମଦ ଆସର। ଡିଜେ ତାଳେ ତାଳେ ମତୁଆଲା ହେଉଛନ୍ତି ଯୁବକ, ଯୁବତୀ। ରଙ୍ଗ ବେରଙ୍ଗ ଆଲୁଅର ଲୁଚକାଳି ଭିତରେ ବାର୍ ଗାର୍ଲ ନାଚୁଛନ୍ତି। ଏସବୁ ଚାଲୁଛି ଅନେକ ରାତିଯାଏ। ଏମିତିକି ଗ୍ରାହକଙ୍କ ଖୁସି ପାଇଁ ସେ ବାର୍ ଗାର୍ଲଙ୍କୁ ଭୋର ପର୍ଯ୍ୟନ୍ତ ନୃତ୍ୟ ଜାରି ରଖିବାକୁ ବାଧ୍ୟ କରାଯାଉଛି। ଭୁବନେଶ୍ବରର ଅନେକ ଡାନ୍ସ ବାର୍ରେ ଏମିତି ଚାଲୁଥିବାର ଖବର ଆଉ ନୂଆ ହୋଇ ରହିନାହିଁ। ହେଲେ ଆଉ ଚଳିବନି ଏ ବାହାରେ ତାଲା-ଭିତରେ ମେଲା ନୀତି। ଗୋଟିଏ ପରେ ଗୋଟିଏ ବାର୍ରେ ଚଢ଼ଉ ହେବ। ଯେଉଁମାନେ ନିୟମ ଉଲ୍ଲଂଘନ କରିଥିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଅମାନିଆ ବାର୍ ମାଲିକମାନଙ୍କୁ ସାବାଡ଼ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ‘ଶୂନ୍ୟ ସହନଶୀଳତା’ ନୀତି ଲାଗୁ କରାଯାଇଛି। ଏବେ ବାର୍ ମାଲିକଙ୍କ ଭିତରେ ଭାଳେଣି ପଡ଼ି ଯାଇଛି।
ରାଜଧାନୀରେ ବର୍ତ୍ତମାନ ଡ୍ୟାନ୍ସ ବାର ଓ ପବ୍ ସଂସ୍କୃତି ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାର ସୁଯୋଗ ନେଇ କଞ୍ଚା ପଇସା ରୋଜଗାର ପାଇଁ ବାର ଓ ପବ୍ ମାଲିକ ସବୁ ନୀତି ନିୟମକୁ ମଡ଼ିମକଚି ଦେଉଛନ୍ତି। ବାର୍ ବନ୍ଦ କରିବା ସମୟ, ବାର୍ ଗାର୍ଲ ନିଯୁକ୍ତି, ଗ୍ରାହକଙ୍କ ସୁରକ୍ଷା ନେଇ ଯାହା ସବୁ ନିୟମ ରହିଛି, ସେସବୁକୁ ସହରର କ୍ବଚିତ୍ ବାର୍ ପାଳନ କରୁଛନ୍ତି। ଅଧିକାଂଶ ଖୋଲାଖୋଲି ଭାବେ ନିୟମ ଉଲ୍ଲଂଘନ କରି ଚାଲିଛନ୍ତି। ତେଣୁ ଡାନ୍ସରଙ୍କୁ ନିର୍ଯାତନା, ଗଣ୍ଡଗୋଳ, ଦାଦାଗିରି ଓ ଗ୍ରାହକଙ୍କୁ ଆକ୍ରମଣ ଆଦି ଅଭିଯୋଗ ନିୟମିତ ଆସିବାରେ ଲାଗିଛି। ଏହାର ସଦ୍ୟ ଉଦାହରଣ ହେଉଛି ଗତ ସପ୍ତାହରେ ଅଶୋକନଗର ଅଞ୍ଚଳରେ ଥିବା ଏକ ବାର୍ରେ ଦୁଇଜଣ ଡ୍ୟାନ୍ସରଙ୍କୁ ପାରିଶ୍ରମିକ ବଦଳରେ ନିର୍ଯାତନା ଦେବା, ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ଓ ଭୋର ପର୍ଯ୍ୟନ୍ତ ନୃତ୍ୟ ପରିବେଷଣ କରିବାକୁ ବାଧ୍ୟ କରିବା, କଥା ନ ମାନିଲେ ମାଡ଼ ମାରିବା, ଏମିତିକି ଜୀବନରୁ ମାରି ଦେବା ଧମକ ଦିଆଯିବାକୁ ନେଇ ସଂପୃକ୍ତ ବାରଗାର୍ଲ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ଅନେକ ଉଣାଅଧିକ ଏଭଳି ସମାନ ଅଭିଯୋଗ ରହିଛି।
ବାର୍ରେ ଉପରୋକ୍ତ ଗଣ୍ତଗୋଳ ହେବା ତଥା ଆଇନ ଉଲଂଘନ ହେବାର ପ୍ରାୟ ସବୁ ପ୍ରସଙ୍ଗ ପଛରେ ରହିଛି ବାର୍ ମାଲିକମାନଙ୍କର ଅଧିକ ଲାଭର ଲୋଭ। ସେଥିପାଇଁ ସେମାନେ ବାର୍ଗୁଡ଼ିକ ମିଳିଥିବା ଅନୁମତିର ଅବଧି ଠାରୁ ଢ଼େର୍ ଅଧିକ ସମୟ ଖୋଲା ରଖୁଛନ୍ତି। ସେହି ସମୟରେ ହିଁ ମୁଖ୍ୟତଃ ଏହି ବିଶୃଙ୍ଖଳା ଘଟୁଛି। ତେବେ ଭଲ ଖବର ହେଉଛି, ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ଅବକାରୀ ବିଭାଗର କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି।
ଅବକାରୀ ଏସ୍ପି ପ୍ରଦୀପ ପଟ୍ଟନାୟକ କହିଛନ୍ତି ଯେ, ଆଗକୁ ପାର୍ବଣ ଋତୁ ଥିବାରୁ ଗ୍ରାହକଙ୍କ ସଂଖ୍ୟା, ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି। ଏହି ସମୟରେ ବାର୍ଗୁଡ଼ିକରେ ଅଧିକ ଭିଡ଼ ଦେଖାଦେବ। ତେଣୁ ଏହି ସମୟରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ। ଏଥିପାଇଁ ସ୍ପତନ୍ତ୍ର ଭାବେ ୩ଟି ଟିମ୍ ଗଠନ କରାଯାଇଛି। ପଟିଆ, ଭୁବନେଶ୍ବର ମଧ୍ୟମ ଏବଂ କଟକ ରୋଡ୍ ଅଞ୍ଚଳରେ ଏହି ଟିମ୍ ପାଟ୍ରୋଲିଂ କରି ବାର୍ ଓ ପବ୍ ଉପରେ କଡ଼ା ନଜର ରଖିବେ। ନିର୍ଦ୍ଧାରିତ ୧୨ ଏବଂ ଯେଉଁମାନେ ୧.୩୦ ପର୍ଯ୍ୟନ୍ତ ଅନୁମତି ନେଇଥିବେ, ତା’ ପରେ ଯେଉଁ ବାର୍ ଖୋଲାଥିବ, ତା’ ବାର୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା ବାର୍ଗୁଡ଼ିକରେ ଗ୍ରାହକଙ୍କ ସୁରକ୍ଷା ଏବଂ ବାର୍ ଗାର୍ଲ ନିଯୁକ୍ତି ନିୟମ ଠିକ୍ ଅଛିକି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ। ଯେଉଁମାନେ ନିୟମ ଉଲ୍ଲଂଘନ କରିଥିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦରକାର ପଡ଼ି ଲାଇସେନ୍ସ ରଦ୍ଦ କରାଯିବ ଓ ଗିରଫ ମଧଅ କରାଯିବ ବୋଲି ଏସ୍ପି ଶ୍ରୀ ପଟ୍ଟନାୟକ କହିଛନ୍ତି।