ଭୁବନେଶ୍ୱର: ଦୀର୍ଘ ଦିନର ଛକାପଞ୍ଝା ପରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ହାତରେ ଧରାପଡ଼ିଛି ଟିଟୋର ଅନ୍ୟତମ ଘନିଷ୍ଠ ସହଯୋଗୀ ମହମ୍ମଦ ତବ୍ରିଜ୍। ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ କ୍ରିଷ୍ଣାନନ୍ଦପୁର ଗ୍ରାମରେ। ପତ୍ନୀଙ୍କ ସହ ଥାଇଲାଣ୍ଡ ଫେରାର୍ ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ କୋଲକାତା ନେତାଜୀ ସୁବାସ ଚନ୍ଦ୍ର ବୋଷ ଏୟାରପୋର୍ଟରୁ ତାକୁ ଗିରଫ କରାଯାଇଛି। ଓଡ଼ିଶା ଅଣାଯିବା ପରେ ତାକୁ ଦୁଇ ଦିନିଆ ରିମାଣ୍ଡରେ ନିଆଯାଇଛି। ଆସନ୍ତାକାଲିଠାରୁ ତାକୁ ପଚରାଉଚରା କରାଯିବ। ଅପରପକ୍ଷେ ସେ ପୂର୍ବରୁ ରହୁଥିବା ଖଣ୍ଡଗିରି ଘର ଓ ଏବେ ରହୁଥିବା ହଂସପାଳ ମେଟ୍ରୋ ସାଟେଲାଇଟ୍ ସିଟିରେ ଥିବା ଘରେ ଏସ୍ଟିଏଫ୍ର ଅଧିକାରୀମାନେ ଚଢ଼ଉ କରିଛନ୍ତି। ସେଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି। କେବଳ ଟିଟୋ ନୁହେଁ, ବେଆଇନ ଖଣି ବେପାରର ଲେଡି ଡନ୍ କୁହାଯାଉଥିବା ମହିଳାଙ୍କ ମଧ୍ୟ ସେ ସହଯୋଗୀ ଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ବେଆଇନ ଖଣି ଖନନ ମାମଲାରେ ଟିଟୋ ଇସାରାରେ ସେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଉଥିଲା। ଖୋର୍ଦ୍ଧା ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖନନ ମାମଲା ସହ ବିଭିନ୍ନ ଅପରାଧରେ ସଂଶ୍ଳିଷ୍ଟ ଥିବା ପ୍ରମାଣ ମିଳିବା ପରେ ସେ ଆତ୍ମଗୋପନ କରିଥିଲା। ଏସ୍ଟିଏଫ୍ ପକ୍ଷରୁ ଲୁକ୍-ଆଉଟ୍ ନୋଟିସ୍ ଜାରି କରାଯିବା ସହ ସମସ୍ତ ବିମାନବନ୍ଦରକୁ ତା’ର ସମ୍ପୂର୍ଣ୍ଣ ବିବରଣୀ ଅବଗତ କରାଯାଇଥିଲା। ତିନି ଦିନ ତଳେ ସେ ବିମାନ ଯୋଗେ କୋଲାକାତାରୁ ଫେରାର୍ ହେବାକୁ ଉଦ୍ୟମ କଲା ବେଳେ ବ୍ୟୁରୋ ଅଫ୍ ଇମିଗ୍ରେସନ୍ ଅଧିକାରୀମାନେ ଅଟକ ରଖି ବିଧାନନଗର କମିସନରେଟ୍ ପୁଲିସକୁ ହସ୍ତାନ୍ତର କରିଥିଲେ। ତାକୁ ବାରାକ୍ପୁର କୋର୍ଟ ଚାଲାଣ କରାଯାଇଥିଲା। ଏସ୍ଟିଏଫ୍ ବାରାକପୁର ଏସ୍ଡିଜେଏମ୍ଙ୍କଠାରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଖୋର୍ଦ୍ଧା ଏସ୍ଡିଜେଏମ୍ଙ୍କ କୋର୍ଟ ଚାଲାଣ କରିଥିଲା। ଏହାସହ ଦୁଇ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା। ଆସନ୍ତାକାଲିଠାରୁ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି। ରିମାଣ୍ଡରେ ଆସିଲେ ଅନ୍ୟ କେତେକ ଅଭିଯୁକ୍ତଙ୍କ ବାବଦରେ ତଥ୍ୟ ମିଳିପାରେ ବୋଲି ଏସ୍ଟିଏଫ୍ ଆଶା ବାନ୍ଧିଛି।
ବେଆଇନ ଖଣି ଉତ୍ତୋଳନରେ କେହି ବାଧା ଦେଲେ ତବ୍ରିଜ୍ ଟିଟୋର ଇସାରାରେ ବନ୍ଧୁକ ଦେଖାଇ ଧମକ ଦେଉଥିଲା। ଏହାସହ ପାହାଡ଼ ଫଟାଇବା ପାଇଁ ବ୍ୟବହାର ହେଉଥିବା ବାରୁଦ ଓ ଅନ୍ୟାନ୍ୟ ବିସ୍ଫୋରକ ଦ୍ରବ୍ୟର ସୁରକ୍ଷିତ ପରିବହନରେ ସହଯୋଗ କରୁଥିଲା। ଏଭଳି ଅଭିଯୋଗର ପ୍ରମାଣ ପାଇବା ପରେ ତା’ ନାମରେ ଏସ୍ଟିଏଫ୍ରେ ଜୁନ୍ ୨୧ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ସେବେଠାରୁ ସେ ଫେରାର୍ ରହିଥିଲା। ଖୋଳତାଡ଼ ବେଳେ କେତେକ ତଥ୍ୟ ଏସ୍ଟିଏଫ୍ ହାସଲ କରିଥିଲା। କଟକ କିଶନନଗର ଥାନାରେ ମଧ୍ୟ ତା’ ନାମରେ ଏକ ମାମଲା ରହିଥିବା ଜଣା ପଡ଼ିଥିଲା। ବେଆଇନ ଭାବରେ ନଦୀରୁ ବାଲି ଉଠାଇବା ବେଳେ ବିବାଦ ଉପୁଜିବାରୁ ସେ ଗୁଳିକାଣ୍ଡ ଘଟାଇଥିଲା। ନିକଟ ଅତୀତରେ ଝାରପଡ଼ାରେ ଟିଟୋକୁ ଦେଖା କରିବାକୁ ଆସିଥିବା ବେଳେ ଧରାପଡ଼ିବା ପୂର୍ବରୁ ଖସିଯିବାକୁ ସକ୍ଷମ ହୋଇଥିଲା।