ଧଉଳି ଶାନ୍ତସ୍ତୂପରେ ବେଆଇନ ବାଇକ ଷ୍ଟାଣ୍ଡ ବନ୍ଦ

ଧଉଳି: ଧଉଳି ଶାନ୍ତିସ୍ତୂପ ସମ୍ମୁଖରେ ଦୀର୍ଘବର୍ଷ ଧରି ବେଆଇନ ଭାବେ ଚାଲିଥିବା ବାଇକ ଷ୍ଟାଣ୍ଡ ବନ୍ଦ ନେଇ ଦାବି ହେବା ପରେ ଶେଷରେ ଡିଡିସି ଓ ଧଉଳି ଥାନା ପୁଲିସ ଉକ୍ତ ଷ୍ଟାଣ୍ଡକୁ ବନ୍ଦ କରିଛନ୍ତି। ଗତ ଦୁଇଦିନ ତଳେ ଥାନା ଅଧିକାରୀ ଜୟଦେବ ବିଶ୍ବଜିତଙ୍କ ନିର୍ଦ୍ଦେଶରେ ଟୁରିଷ୍ଟ ସେଲ୍‌ର ପୁଲିସ ଏସ୍ଆଇ ମଧୁସୂଦନ ଭୋଇ ସଂପୃକ୍ତ ଗୋଷ୍ଠୀଙ୍କୁ ଡକାଇ ଷ୍ଟାଣ୍ଡ ବନ୍ଦ କରିବା ପାଇଁ କହିଥିଲେ। ଡିଡିସି ଏବଂ ପର୍ଯ୍ୟଟନ ବିଭାଗର ବିନା ସ୍ବୀକୃତିରେ ଏହି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବାଇକ୍‌ ପିଛା ୧୦ ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ଏନେଇ ପର୍ଯ୍ୟଟକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଣିକି ପର୍ଯ୍ୟଟକମାନଙ୍କୁ ଶାନ୍ତିସ୍ତୂପ ନିକଟରେ ସେମାନଙ୍କ ବାଇକ୍‌ ରଖିବା ପାଇଁ ଆଉ ପାର୍କିଂ ଫି ବାବଦରେ ଟଙ୍କା ଦେବାକୁ ପଡ଼ିବ ନାହିଁ। କିନ୍ତୁ ପର୍ଯ୍ୟଟକମାନେ ଗାଡ଼ି ନିଜ ହେପାଜତରେ ରଖିବେ। ଶାନ୍ତିସ୍ତୂପ ସମ୍ମୁଖରୁ ୧୦୦ ମିଟର ଦୂର ପୁଲିସ ଷ୍ଟପ ପୋଷ୍ଟ ନିକଟ ସଂରକ୍ଷିତ ଜାଗାରେ ପର୍ଯ୍ୟଟକମାନେ ନିଜର ବାଇକ୍‌ ରଖିବା ପାଇଁ ବ୍ୟବସ୍ଥା ହୋଇଛି। ଶାନ୍ତିସ୍ତୂପରେ ବେଆଇନ ବାଇକ ଷ୍ଟାଣ୍ଡ ବନ୍ଦ କରିବା ପାଇଁ ଡିସିପି ଓ ପର୍ଯ୍ୟଟନ ବିଭାଗ କର୍ତୃପକ୍ଷଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର