ସୁନନ୍ଦାଙ୍କୁ ଏ ଜାତି ଦେଲା କ’ଣ? ଏଡ଼େ କୃତଘ୍ନ!

ଭୁବନେଶ୍ବର: ମୁଁ ଅନ୍ତତଃ ଏତିକି ଜାଣେ ଯେ ଓଡ଼ିଶା ମତେ କିଛି ଦେଉ କି ନଦେଉ, ହେଲେ ମୁଁ ଯେତେବେଳେ ଯୋଉ ଅବସ୍ଥାରେ ଥିଲେ ବି ଓଡ଼ିଶା ମତେ କୋଳେଇ ନେବ…। ସତରେ, ଏ ଜାତି ପ୍ରତି କେତେ ବିଶ୍ବାସ ଥିଲା ସଂଗୀତ ମହିୟସୀ ସୁନନ୍ଦା ପଟ୍ଟନାୟକଙ୍କର। ବୋଧେ ସେଇଥିପାଇଁ ଦିନେ ଓଡ଼ିଶା କଥା ପଚାରିବା ମାତ୍ରେ ତାଙ୍କ ପାଟିରୁ ବାହାରି ଆସିଥିଲା ଏଇ ଓଡ଼ିଶା ପ୍ରତି ତାଙ୍କର ବାତ୍ସଲ୍ୟଭରା କଥା। ମାତ୍ର ସେ ଯୋଉ ଜାତିକୁ ଏତେ ବିଶ୍ବାସ କରିଥିଲେ, ସେ ତାଙ୍କୁ କୋଳେଇ ନେବା ତ ଦୂରେ ଥାଉ ତାଙ୍କ ପାଇଁ ଶୋକ ସଭାଟିଏ ବି ଆୟୋଜନ କଲାନାହିଁ। ହୁଏତ ସେ ଏ ରାଜ୍ୟରେ ଜନ୍ମ ନେବା ଭୁଲ୍‌ ହେଇଗଲା, ନଚେତ ଏ ଜାତି ତାଙ୍କୁ ଏଯାଏ ଚିହ୍ନିଲା ନାହିଁ।

ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତରେ ଜଣେ ଓଡ଼ିଆ ଭାବେ ସେ ଯେଉଁ ଶିଖରକୁ ଛୁଇଁଥିଲେ, ବୋଧେ ତାଙ୍କ ପରେ ଆଉ କେହି ‌ଜନ୍ମ ନେବେ ନାହିଁ ବୋଲି ଏଇ ନିକଟରେ କହିଥିଲେ ବିଶିଷ୍ଟ ସଂଗୀତ ସାଧିକା ଶ୍ୟାମାମଣୀ ଦେବୀ। ସୁନନ୍ଦାଙ୍କ ଗୀତ କଥା ଆଲୋଚନା କରୁକରୁ ଭକ୍ତିରେ ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଆଖିପତା ଛିଡ଼ା ହୋଇଯାଇଥିଲା। ମାତ୍ର ଆମ ବଡ଼ବାବୁମାନଙ୍କ ଶୋକବାର୍ତା ପଦେରେ ସବୁ କିଛି ଶେଷ ହୋଇଗଲା। ଓଡ଼ିଶା ସଂଗୀତ ନାଟକ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଂଜ ସମ୍ମାନ’ ପାଇଥିବା ସୁନନ୍ଦାଙ୍କ ପାଇଁ ଏକାଡେମି ପରିସରରେ ୨ ମିନିଟ୍‌ର ନିରବ ପ୍ରାର୍ଥନାଟିଏ ବି କରାଗଲା ନାହିଁ କି ଏଯାଏ ତାଙ୍କ ପାଇଁ ସ୍ମୃତି ସଭାଟିଏ ଆୟୋଜନ କରିବାର ଆନ୍ତରିକତା ଦେଖାଗଲା ନାହିଁ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ମଧ୍ୟ ତାଙ୍କ ପାଇଁ ଶୋକ ସଭାଟିଏ ଆୟୋଜନ କରାଗଲା ନାହିଁ କି ତାଙ୍କ ସମ୍ବନ୍ଧରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚର୍ଚ୍ଚା କରାଗଲା ନାହିଁ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ମିନତି ମିଶ୍ରଙ୍କ ବିୟୋଗ ପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଅନ୍ତତଃ ସେଇଦିନ ଶୋକସଭାର ଆୟୋଜନ କରାଯାଇ ଅଜସ୍ର ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ମାତ୍ର ସୁନନ୍ଦାଙ୍କ ପାଇଁ ଶୋକ ସଭାଟିଏ ବି ଆୟୋଜନ ହେଲାନାହିଁ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମଧ୍ୟ ଶୋକ ସଭାର ଆୟୋଜନ କରିବାକୁ କେହି ଉଚିତ ମଣିଲେ ନାହିଁ।

ରବିବାରିଆ ଛୁଟିକୁ ଉପଭୋଗ କରୁଥିବା ସରକାରୀ ବାବୁମାନେ କି କଳା ଅନୁଷ୍ଠାନର କେହି ବି ଜଣେ ସୁନନ୍ଦାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ତାଙ୍କୁ ଓଡ଼ିଶାକୁ ଆଣିବାକୁ କହିଲେ ନାହିଁ। ନିମତାଲା ଘାଟରେ ତାଙ୍କ ଶରୀର ଓ ସ୍ବର ମାଟିରେ ମିଶିଗଲା। ଓଡ଼ିଶା ସେ ସ୍ବରର ଧାଂସ ଟିକେ ବି ପାଇଲା ନାହିଁ। ଓଡ଼ିଶା ତାଙ୍କୁ ଆଉ କୋଳେଇବା ତ ଦୂରେ ଥାଉ ଟିକେ ମାଟି ଛୁଇଁବାକୁ ବି ଆନ୍ତରିକତା ଦେଖାଇଲା ନାହିଁ। ସଂଗୀତ ପାଇଁ ସେ ତିଳତିଳ କରି ନିଜକୁ ସମର୍ପି ଦେଲେ। ସଂଗୀତ ପାଇଁ ସେ ସଂସାର କଲେ ନାହିଁ। ମାତ୍ର ସଂଗୀତର ଏ ପୂଜାରିଣୀଙ୍କୁ ଏ ଜାତି ଚିହ୍ନିଲା ନାହିଁ କି ପରପିଢ଼ିକୁ ଚିହ୍ନେଇଲା ନାହିଁ। ସେ ତ ବେଶି କିଛି ଆଶା କରି ନ ଥିଲେ। କେବଳ ପରପିଢ଼ି ପାଇଁ ତାଙ୍କର ସ୍ବର ଓ ସଂଗୀତକୁ ସାଇତି ରଖିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ମାତ୍ର ତାହା ବି ପୂରଣ କରିବାକୁ ‌କାହା ମୁହଁରୁ ଏଯାଏ ପଦୁଟିଏ କଥା ବାହାରିଲା ନାହିଁ। ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ତାଙ୍କ ଫେସ୍‌ବୁକ୍‌ରେ ଲେଖିଛନ୍ତି ଯେ ନବେ ଦଶକ ଆରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମିର ରଜତ ଜୟନ୍ତୀ ବେଳେ ସୁନନ୍ଦାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ବାଦ୍ୟଯନ୍ତ୍ରୀଙ୍କ ସହଯୋଗ ପାଇଁ ସେ ୫ ହଜାର ଟଙ୍କା ଦାବି କରିବାରୁ ତାଙ୍କୁ ମନା କରିଦିଆଗଲା। ଏପରିକି ଶ୍ରୀ ପଣ୍ଡା ୧୯୯୪ରୁ ୧୯୯୬ ମଧ୍ୟରେ ସଂସ୍କୃତି ବିଭାଗର ସଚିବ ଥିବା ସମୟରେ ସୁନନ୍ଦାଙ୍କ ସ୍ବର, ସଂଗୀତ ସିଡିକୁ ସାଇତି ରଖିବା ପାଇଁ ପ୍ରସ୍ତାବ ଦେଲେ। ମାତ୍ର ତତ୍କାଳୀନ ସରକାରଙ୍କ ଜଣେ ବଡ଼ବାବୁ କହିଲେ, ସୁନନ୍ଦା ପଟ୍ଟନାୟକଙ୍କ ଆ..ଆ..ଆ..ଆ..ଶୁଣିବାକୁ ଆଜିକାଲି କାହାର ଆଗ୍ରହ ଅଛି। ବାସ୍‌ କଥା ଏତିକିରେ ଅଟକିଗଲା।

ଓଡ଼ିଶା ବାହାରେ ଓଡ଼ିଶାର ସ୍ବର ହୋଇ ସେ ଓଡ଼ିଆ ଝିଅ ଭାବେ ଅଜସ୍ର ପ୍ରସିଦ୍ଧି ସାଉଁଟିଲେ। ଓଡ଼ିଶାକୁ ଗର୍ବିତ କଲେ। ପୁଣି ଓଡ଼ିଶା ପାଇଁ କିଛି କରିବେ ବୋଲି ବିଜୁ ପଟ୍ଟନାୟକ ଦେଇଥିବା ଜାଗାରେ ଗୀତର ମନ୍ଦିରଟିଏ ତୋଳି‌ଥିଲେ। ତାକୁ ବି ଚୋର ତଷ୍କରଙ୍କ ଦେହ ସହିଲାନି। କବାଟ ଝରକା ତାଡ଼ି ନେଇ ଗୀତର ମନ୍ଦିରକୁ ଛାରଖାର କରିଦେଲେ। ଜାଗାକୁ ମାଡ଼ି ବସିଲେ। ଏ ଜାତି ଶେଷରେ ଏ ଶିଳ୍ପୀଙ୍କୁ ସମ୍ମାନ ବି ଦେଇ ପାରିଲାନି। ବଡ଼ବଡ଼ ଶିଳ୍ପୀମାନେ ଚାଲିଗଲେ ତାଙ୍କ ପୁଅ ଝିଅମାନେ ପିତା/ମାତାଙ୍କ ସ୍ମୃତି ରକ୍ଷା ନିମନ୍ତେ ଆଗେଇ ଆସନ୍ତି। ସ୍ମୃତିସଭା ଆୟୋଜନ କରନ୍ତି। କିନ୍ତୁ ସୁନନ୍ଦାଙ୍କ ପାଇଁ କିଏ କରିବ? ସେ ଯେ ସଂଗୀତ ପାଇଁ ସଂସାର କରିନାହାନ୍ତି…

ସମ୍ବନ୍ଧିତ ଖବର