ସଙ୍ଗୀତ ସାମ୍ରାଜ୍ଞୀ ସୁନନ୍ଦା : ତାନପୁରା ଥିଲେ ଆଉ କିଛି ଲୋଡ଼ା ନାହିଁ…

ମତେ ଜଙ୍ଗଲରେ ଫିଙ୍ଗି ଦିଅ କି ସମୁଦ୍ରରେ..। ଯଦି ମୋ’ ସହ ତାନପୁରାଟିଏ ଅଛି, ତେବେ ମୋ’ର ଆଉ କିଛି ବି ଲୋଡ଼ା ନାହିଁ। ଇଏ ଥିଲା ସଂଗୀତ ପ୍ରତି ସୁନନ୍ଦା ପଟ୍ଟନାୟକଙ୍କର ସମର୍ପିତ ଭାବନାର ନିଚ୍ଛକ ଅଭିବ୍ୟକ୍ତି। ସେ ଏକଥା ବି କହୁଥିଲେ ସଂଗୀତ ମୋ ପାଇଁ ଜଣେ ଅନ୍ଧର ଆଶାବାଡ଼ି ଭଳି। ସଂଗୀତ ଅଛି ତ ମୁଁ ଅଛି, ସଂଗୀତ ନାହିଁ ତ ମୁଁ ନାହିଁ। ପିଲା ବେଳୁ ହିଁ ସଂଗୀତ ପ୍ରତି ଏକ ଅଜବ ପାଗଳାମୀ ତାଙ୍କ ଭିତ‌ରକୁ ଧସେଇ ପଶି ଆସିଥିଲା। ଯେବେ ସେ ସଂଗୀତ ଶିଖିବା ପାଇଁ ପରିବାର ଓ ସମ୍ପର୍କୀୟଙ୍କ ଆଗରେ ଇଚ୍ଛା ପ୍ରକଟ କଲେ ସମସ୍ତେ ତାଙ୍କୁ ବଡ଼ ବଡ଼ ଆଖିରେ ଚାହିଁଲେ। କହିଲେ, ତୁ ଗୀତ ଗାଇବୁ? ବାଇଜୀ ହବୁ ନା କ’ଣ? ତେବେ ସୁନନ୍ଦା ଏ କଥାରେ ବିଚଳିତ ହେଲେ ନାହିଁ। ବରଂ ଦିନେ ମୁହଁ ଖୋଲି କହିଲେ, ଯଦି ବାଇ ଘରେ ମତେ ସଂଗୀତ ଶିଖିବାକୁ ମିଳିବ ମୁଁ ସେଠି ଯାଇ ମୁଁ ବାସନ ମାଜି ସଂଗୀତ ଶିଖିବି। ଯେମିତି ସଂଗୀତ ପାଇଁ ହିଁ ତାଙ୍କର ଜନ୍ମ ହୋଇଥିଲା। ଉପସ୍ଥାପନା: ସତ୍ୟନାରାୟଣ ରାଉତରାୟ

ଅଡିସନ୍‌ରୁ ଫେରି ଡରରେ ପିଜୁଳି ଗଛରେ ବସି ରହିଥିଲେ
ସଂଗୀତର ମୋହିନୀ ମନ୍ତ୍ରରେ ଏତେ ବୁଡ଼ି ରହୁଥିଲେ ଯେ ମାତ୍ର ୧୪ ବର୍ଷ ବୟସରେ ଘରେ କାହାକୁ କିଛି ନକହି କଟକ ରେଡିଓ ଷ୍ଟେସନ୍‌କୁ ଅଡିସନ୍‌ ଦେବାକୁ ଚାଲି ଯାଇଥିଲେ। ୧୯୪୮ ମସିହାରେ ନୂଆ ନୂଆ ଆକାଶବାଣୀ କେନ୍ଦ୍ର ଖୋଲିବାରୁ ସେ ଏକ ସାର୍ଟ ଓ ଟ୍ରାଉଜର ପିନ୍ଧି ଘରୁ ବାହାରି ସିଧା ରେଡିଓ ଷ୍ଟେସନ୍‌ ଅଭିମୁଖେ ଚାଲିଲେ। ସମସ୍ତଙ୍କୁ ଅଡିସନ୍‌ ପାଇଁ ଡକାଗଲା, କିନ୍ତୁ ତାଙ୍କ ନାଁ ଡକାଗଲା ନାହିଁ। ଶେଷରେ ଜଣେ ଅଧିକାରୀ ତାଙ୍କୁ ପଚାରିଲେ, ହେ ପିଲା ତୁ ଏଠି କାହିଁକି ବସିଛୁ, ତୁ କ’ଣ ଗାଇବୁ? ସେ ମୁଣ୍ଡ ଟୁଙ୍ଗାରିବା ପରେ ତାଙ୍କର ଅଡିସନ ଆରମ୍ଭ ହେଲା। ତାଙ୍କୁ କୁହାଗଲା ତମେ ଯାହା ଜାଣିଛ ଗାଅ। ସେ ‘ବଡ଼େ ଚଲୋ କିସାନ ବୀର..ଗୀତ ଗାଇବା ପରେ ବିଚାରକମାନେ ଅଭିଭୂତ ହୋଇଗଲେ। ତେବେ ସେଠୁ ଅଡିସନ ସାରି ଫେରିବା ବେଳକୁ ସଂଜ ନଇଁ ଯାଇଥିଲା। ସେ ଘର ପାଖରେ ପହଞ୍ଚି ଶୁଣିଲେ ତାଙ୍କ ମା’ ଘର ଭିତରେ ଅନ୍ୟ ଭାଇ ଭଉଣୀଙ୍କ ଉପରେ ରାଗି ଗୋଡ଼ ହାତ ଭାଙ୍ଗି ଦେବାକୁ କହୁଛନ୍ତି। ଏହା ଶୁଣି ଆଉ କି ସେ ଘରକୁ ଯିବେ। ତେଣୁ ବାରି କାନ୍ଥ ଡେଇଁ ଘର ପଛରେ ଥିବା ଏକ ପିଜୁଳି ଗଛରେ ବସି ରହି‌ଲେ। ଯେତେବେଳେ ମା’ଙ୍କ ରାଗ ଶାନ୍ତ ହେଲା, ସାହସ ବାନ୍ଧି ଘର ଭିତରକୁ ପ୍ରବେଶ କଲେ।

ରାଷ୍ଟ୍ରପତିଙ୍କୁ ସଂଗୀତରେ ବିମୁଗ୍ଧ କରି ଷ୍ଟାଇପେଣ୍ଡ୍‌ ପାଇଥିଲେ
୧୯୫୧ ମସିହାରେ ସୁନନ୍ଦାଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଥିଲା। ସେଇ ବର୍ଷ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥାଆନ୍ତି। ଅସରଫ ଅଲ୍ଲି ସେତେବେଳେ ରାଜ୍ୟପାଳ ଥାଆନ୍ତି। ପୂର୍ବରୁ ସେ ରେଡିଓରେ ସୁନନ୍ଦାଙ୍କ ଗୀତ ଶୁଣି ସାରିଥିବାରୁ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ସଂଗୀତ ଆସର ଆୟୋଜନ କରି ସୁନନ୍ଦାଙ୍କୁ ଗାଇବା ପାଇଁ ଡକାଇଲେ। ସୁନନ୍ଦାଙ୍କ କଣ୍ଠରେ ସନ୍ଥ କବର ଦାସଙ୍କ ‘ରହ୍‌ନା ନେହିଁ, ଦେଶ ବିରାନା ‌ହୈ.. ଗୀତ ଶୁଣି ରାଷ୍ଟ୍ରପତି ଖୁବ୍‌ ଖୁସି ହେଇଗଲେ। ପଚାରିଲେ, କେଉଁଠୁ ଗୀତ ଶିଖୁଛ? ସୁନନ୍ଦା କହିଲେ, କାହାଠାରୁ ନୁହେଁ। ଏହା ଶୁଣି ରାଷ୍ଟ୍ରପତି ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ, ଜଣେ କେଉଁ ଗୁରୁଙ୍କ ପାଖରୁ ଗୀତ ଶିଖିବାକୁ ଚାହୁଁଛ କି? ସେତେବେଳେ ସେ ସଙ୍ଗେସଙ୍ଗେ ପଣ୍ଡିତ ବିନାୟକ ରାଓ ପଟ୍ଟବର୍ଧନଙ୍କଠାରୁ ଗୀତ ଶିଖିବାକୁ କହିଲେ। ପଣ୍ଡିତ ପଟ୍ଟବର୍ଧନ ରାଷ୍ଟ୍ରପତିଙ୍କ ବନ୍ଧୁ ଥିବାରୁ ସୁନନ୍ଦାଙ୍କ ଇଚ୍ଛା ପୂରଣ କଲେ। ରାଷ୍ଟ୍ରପତି ସଙ୍ଗେସଙ୍ଗେ ତାଙ୍କ ପାଇଁ ମାସିକିଆ ଷ୍ଟାଇପେଣ୍ଡ୍‌ ୫୦ ଟଙ୍କା ମଞ୍ଜୁର କରିଦେଲେ। ଏଥିସହ ରାଜ୍ୟପାଳ ଅସରଫ ଅଲ୍ଲି ମଧ୍ୟ ଆଉ ୨୫ ଟଙ୍କାର ଷ୍ଟାଇପେଣ୍ଡ କରେଇ ଦେଲେ।

ସବୁଜ ଯୁଗର କବି ବୈକୁଣ୍ଠନାଥ ପଟ୍ଟନାୟକ ଓ ଝିଅ ସୁନନ୍ଦା

ପଟ୍ଟବର୍ଧନଙ୍କ ‘ଦରବାରୀ କନାରା’ ହିଁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଧାରାକୁ ଟାଣିନେଲା
କଟକ ଆକାଶବାଣୀ ପକ୍ଷରୁ ଆୟୋଜିତ ଅଲ୍‌ ଇଣ୍ଡିଆ ରେଡିଓ ସଂଗୀତ ସଭାରେ ପଣ୍ଡିତ ବିନାୟକ ରାଓ ପଟ୍ଟବର୍ଧନ ସଂଗୀତ ଗାନ କରୁଥାନ୍ତି। ଏଇ ସମୟରେ ସୁନନ୍ଦା ବସି ଗୀତ ଉପଭୋଗ କରୁଥାଆନ୍ତି। ପଟ୍ଟବର୍ଧନଙ୍କ କଣ୍ଠରେ ଦରବାରୀ କନାରାରେ ‘ଘୁଙ୍ଘଟ୍‌ କେ ପଟ ଖୋଲ୍‌ ରେ ତୋରେ ପିୟା ମିଲେଙ୍ଗେ… ଗୀତ ସୁନନ୍ଦାଙ୍କୁ ଏତେ ବିମୁଗ୍ଧ କଲା ଯେ ସେ ସେଇଠି ନିଷ୍ପତ୍ତି ନେଲେ, ମୁଁ ଏମିତି ହିଁ ଗାଇବି। ଶେଷରେ ଯେବେ ରାଷ୍ଟ୍ରପତି ତାଙ୍କୁ ପଚାରିଲେ ଯେ ସେ କାହା ପାଖରୁ ସଂଗୀତ ଶିଖିବାକୁ ଚାହାନ୍ତି, ସେତେବେଳେ ସେ ସେଇ ସଂଗୀତ ସଭାରେ ଶୁଣିଥିବା ପଟ୍ଟବର୍ଧନଙ୍କ କଥା ମନେ ପକାଇ ତାଙ୍କଠାରୁ ଗୀତ ଶିଖିବା ପାଇଁ କହିଥିଲେ ଏବଂ ‌ପୁନେ ଯାଇ ଗୀତ ଶିଖିଥିଲେ।

ସମ୍ବନ୍ଧିତ ଖବର